ସାରା ରାଜ୍ୟରେ ସାର କଳାବଜାର, ଚାରିଗୁଣା ଚଢ଼ା ଦରରେ ବିକ୍ରି ହେଉଛି ୟୁରିଆ,ଚାଷୀ ପଞ୍ଜୀକରଣଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ପଞ୍ଜୀକରଣ ପାଇଁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏବେ ଧାନ ରୋଇବା ପରେ ସାର ଅଭାବ ଚାଷୀଙ୍କୁ ନାକରେ କନ୍ଦାଇ ସାରିଲାଣି-ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

Spread the love

ସାରା ରାଜ୍ୟରେ ସାର କଳାବଜାର, ଚାରିଗୁଣା ଚଢ଼ା ଦରରେ ବିକ୍ରି ହେଉଛି ୟୁରିଆ

ଭୁବନେଶ୍ୱର: ଚାଷୀ ପଞ୍ଜୀକରଣଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ପଞ୍ଜୀକରଣ ପାଇଁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏବେ ଧାନ ରୋଇବା ପରେ ସାର ଅଭାବ ଚାଷୀଙ୍କୁ ନାକରେ କନ୍ଦାଇ ସାରିଲାଣି। ରାଜ୍ୟବ୍ୟାପୀ ଲାମ୍ପସ୍‌ ଓ ସମବାୟ ଆଗରେ ଚାଷୀମାନେ ଯାଇ ଧାରଣା ଆନ୍ଦୋଳନ କରୁଛନ୍ତି କେବେ ସାର ମିଳିବ, ତା’ର ଉତ୍ତର ମିଳୁନାହିଁ। ଯେଉଁ ୟୁରିଆ ସାର ସରକାରୀ ଭାବେ ୨୬୬ଟଙ୍କା ବାହାରେ ୭ଶହରୁ ୮ଶହ ଟଙ୍କାରେ ବିକ୍ରି ହେଉଛି। ଏତେ ଟଙ୍କା ଦେଇ ଚାଷୀମାନେ କିଣିବାକୁ ସକ୍ଷମ ହେଉନାହାନ୍ତି।

ସାରା ରାଜ୍ୟରେ ୟୁରିଆ ସାର ଅଭାବ। ସାଲେପୁରରୁ ସମ୍ୱଲପୁର, ସୁନ୍ଦରଗଡ଼ରୁ କୋରାପୁଟ ସବୁଠି ସାର ଅଭାବକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ସରକାର କହୁଛନ୍ତି, କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରନ୍ତୁ। ଚାଷୀଙ୍କ ପାଖକୁ ଯାଇ ସମସ୍ୟା ବୁଝି ସମାଧାନ କରନ୍ତୁ। ଅନ୍ୟପଟେ ଚାଷୀ ବାଧ୍ୟହୋଇ ଚାଷ ସମୟରେ ବିଲବାଡ଼ି ଛାଡ଼ି ପ୍ରତିବାଦ, ଆନ୍ଦୋଳନରେ ସାମିଲ ହେଉଛନ୍ତି। କ୍ଷେତରେ ଫସଲ ଉଜୁଡ଼ିଯିବାକୁ ବସିଲାଣି। ଅଧିକାଂଶ ପ୍ୟାକ୍ସରେ ସାର ଆଦୌ ନାହିଁ। ଯେଉଁଠି ଅଛି, ଆଧାର କାର୍ଡ ଦେଖାଇଲେ, ଗୋଟିଏ ବସ୍ତା ସାର ଦେଉଛନ୍ତି। ପ୍ରତ୍ୟେକ ଚାଷୀ ଏକର, ଦୁଇ ଏକର ଲେଖାଁଏ ଚାଷ କରିଛନ୍ତି, ସେଠି ଗୋଟିଏ ବସ୍ତା ସାର ନେଇ କିଭଳି ନିଜର ଆବଶ୍ୟକତା ପୂରଣ କରିବୁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଜଣେ ପ୍ୟାକ୍ସ ସଭାପତି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସରକାର ପର୍ଯ୍ୟାପ୍ତ ସାର ଯୋଗାଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ସରକାର ଆମକୁ ନ ଦେଲେ, ଆମେ କୋଉଠୁ ଦେବୁ ବୋଲି ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ପ୍ୟାକ୍ସରେ ସାର ମିଳୁନଥିବା ବେଳେ ବାହାର ଖୋଲାବଜାରରେ ଚଢ଼ା ଦରରେ ବିକ୍ରି ହେଉଛି। ତେଣୁ ସାର ଅଭାବ କୃ୍‌ତ୍ରିମ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ତଳି ରୋଇବାର ୨୧ ଦିନ ପରେ ଜମିରେ ସାର ପକେଇବା କଥା; କିନ୍ତୁ ଧାନ ରୋଇବାକୁ ମାସେ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ସାର ମିଳିନାହିଁ। ଗୋଟିଏ ଆଧାରକାର୍ଡରେ ଯଦି ଗୋଟିଏ ବସ୍ତା ସାର ଦିଆଯିବ ତେବେ ୧୦ ଏକର ଜମି ଚାଷ କରୁଥିବା ଚାଷୀ ଗୋଟିଏ ବସ୍ତା ନେଇ କ’ଣ କରିବେ ? ଯଥାଶୀଘ୍ର ଯଦି ପର୍ଯ୍ୟାପ୍ତ ପରିମାଣର ସାର ବଣ୍ଟନ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଚାଷୀ ସଙ୍ଗଠନ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *