ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ମହା ସମାରୋହରେ ପାଳିତ//ଭୁବନେଶ୍ୱର ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଲେଖିକା, ସାମାଜିକ କର୍ମୀ, ନାରୀବାଦୀ ତଥା ଓଡିଶାର ପ୍ରଥମ ମହିଳା ବିଧାୟକ ଭାବେ ରାଜନୀତିରେ ନିଜର ଛାପ ଛାଡିଯାଇଥିବା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ସମାରୋହ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି।

Spread the love

ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ମହା ସମାରୋହରେ ପାଳିତ

ଭୁବନେଶ୍ବର, ୧୦/୮: ଦର୍ଶନ ସମୀକ୍ଷା

ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଲେଖିକା, ସାମାଜିକ କର୍ମୀ, ନାରୀବାଦୀ ତଥା ଓଡିଶାର ପ୍ରଥମ ମହିଳା ବିଧାୟକ ଭାବେ ରାଜନୀତିରେ ନିଜର ଛାପ ଛାଡିଯାଇଥିବା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ସମାରୋହ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି।

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ ଓ ସାରଳା ଦେବୀ ସ୍ମାରକୀ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଦୀନେଶ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ ଓଡିଶାର ମାଟି ବୀର ପ୍ରସବିନୀ। ଏହି ମାଟିରେ ସଂଘର୍ଷ କରିବାର କଳା ରହିଛି। ଯେଉଁ ସମୟରେ ନାରୀମାନେ ଘରୁ ବାହାରକୁ ବାହାରୁ ନ ଥିଲେ ସେହି ସମୟରେ ସାରଳା ଦେବୀ ଶିକ୍ଷା ଓ ସାମାଜିକ ସଂସ୍କାରରେ ନିଜକୁ ନିୟୋଜିତ କରି ପାରିଥିଲେ।
ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସ୍ବାଧୀନତା ପୂର୍ବରୁ ନାରୀବାଦ ଓ ନାରୀ ସଶକ୍ତିକରଣର କଥା କୁହାଯାଉଥିଲା, ଏବେ ମଧ୍ଯ କୁହାଯାଉଛି। ତେବେ ଗତ କିଛିଦିନ ଧରି ରାଜ୍ଯରେ ମହିଳାଙ୍କୁ ନେଇ ଘଟୁଥିବା ବିଭିନ୍ନ ଘଟଣାବଳୀ ଏହି ନାରୀ ସଶକ୍ତିକରଣ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଆଜି ଯଦି ସରଳା ଦେବୀ ଥା’ନ୍ତେ ତେବେ ନାରୀ ନିର୍ଯାତନାକୁ କିପରି ସହ୍ଯ କରିପାରିଥାନ୍ତେ? ଏଣୁ ନାରୀ ସମାଜକୁ ସ୍ଵର୍ଗୀୟା ସରଳା ଦେବୀଙ୍କ ଭଳି ହେବାକୁ ପଡ଼ିବ।
ପ୍ରଶାସକ ତଥା ଗାଳ୍ପିକ ଦେବ ପ୍ରସାଦ ଦାଶ ମୁଖ୍ଯବକ୍ତା ଭାବେ ଯୋଗଦେଇ ସରଳା ଦେବୀଙ୍କ ଜୀବନୀକୁ ଅନୁଶୀଳନ କରି ‘ବହ୍ନିକନ୍ୟା’ର ଆଖ୍ଯା ଦେଇ ତାଙ୍କ ଭଳି ବିପ୍ଳବିନୀ ସ୍ୱାଧୀନଚେତା ନାରୀ ବିରଳ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକା ମନୋରମା ବିଶ୍ବାଳ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଜାତି ଗଠନରେ ସରଳା ଦେବୀଙ୍କ ଆଭିମୁଖ୍ଯ ଚିରସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ସରଳା ଦେବୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ଲାଗି ବିଧାନସଭା ପରିସରରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ପ୍ରସ୍ତାବ ଦେଇ ଥିଲେ।
ଏହି ଅବସରରେ ନିଶା ନିବାରଣ ଆନ୍ଦୋଳନର ପୁରୋଧା ଶତାୟୁ ପଦ୍ମଚରଣ ନାୟକଙ୍କୁ ‘ତୃତୀୟ ସରଳା ଦେବୀ ପୁରସ୍କାର’ ପ୍ରଦାନ ଓ ସମ୍ମାନିତ ଅତିଥି କନ୍ନଡ ଚଳଚ୍ଚିତ୍ର ନିର୍ମାତା ରମେଶ ନାଗାଥେଲ୍ଲୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ଯକ୍ତି ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଥିଲେ। ଟ୍ରଷ୍ଟର ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନସୂୟା ସାହୁ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ବେଳେ ପରିଷଦର ସଭାପତି ଅନୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *