Spread the love

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିଛନ୍ତି। ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ବୁଧବାର ଫୁଲୁରି ତେଲ ଲାଗି ହୋଇଛି। ଦଇତାପତି ସେବକମାନେ ଫୁଲୁରି ତେଲ ଲାଗି କରିଛନ୍ତି।

ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରି ତେଲ ଯୋଗାଇ ଦିଆଯାଇଛି। ପ୍ରତିବର୍ଷ ଅଣସରରେ ୬ସେର ଫୁଲୁରି ତେଲ ଯୋଗାଇଦିଆଯାଏ। କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରି ତେଲ ଦିଆଯାଇଥାଏ। ଫୁଲୁରି ତେଲ ପ୍ରସ୍ତୁତି ସମ୍ପର୍କରେ ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ କହିଛନ୍ତି ଯେ, ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶି ତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ପୋତାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ବୁଧବାର ଅପରାହ୍ନରେ ମଠର ୨ ସଦସ୍ୟ ହାଣ୍ଡିରେ ୬ ସେର ଫୁଲୁରି ତେଲ ଶ୍ରୀମନ୍ଦିରକୁ ନେଇ ଯାଇଥିଲେ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ଅଣସର ଘର ଦ୍ୱାର ଖୋଲାଯାଇ ଅଣସର ନୀତି ଆରମ୍ଭ ହୋଇଥିଲା। ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିଲେ।

Leave a Reply

Your email address will not be published. Required fields are marked *