ସନ୍ଥମାନଙ୍କ ସଂସ୍କୃତି, ସନ୍ଥମାନଙ୍କ ସଂସ୍କାର
ବର୍ଷ ବିତି ଚାଲିବା ସହିତ ଅନ୍ଧକାର କ୍ଷଣଗୁଡ଼ିକ ବି ବିତିଯାଉଛି । କାଲିର ପ୍ରଭାତ ସହିତ ସମୁଜ୍ଜ୍ବଳ ଭବିଷ୍ୟତର ପ୍ରକାଶ ଆମ ସମସ୍ତଙ୍କର ପ୍ରତୀକ୍ଷାରେ ରହିଛି । ଆମକୁ, ଆମ ସମସ୍ତଙ୍କୁ, ନିଜକୁ, ନିଜ ଜୀବନକୁ ଏହାର ଯୋଗ୍ୟ କରିବାକୁ ହେବ । ଅତୀତ କଥା ଅତୀତ ସ୍ମୃତି, ବିଷାକ୍ତତା – ବୈମନସ୍ୟତାର ଯେଉଁ ଜହର, ଅନ୍ଧକାର ଆମକୁ ଦେଇଛି, ତାକୁ ଏଇଠାରେ ଏବଂ ଏବେ ଛାଡ଼ିଦେବାକୁ ହେବ । କିନ୍ତୁ ତା’ ସହିତ ଜୀବନର ସେହି ବିଲକ୍ଷଣ ସୂତ୍ର-ସିଦ୍ଧାନ୍ତ ତଥା ପାବନ ଜୀବନଶୈଳୀ ଗ୍ରହଣ କରିବାକୁ ହେବ, ଯାହା ଆମ ଦେଶର ସନ୍ଥମାନେ ଆମକୁ ଦେଇଥିଲେ, ଯାହାକୁ ଆମେ ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୁଲି ଯାଇଛେ ଓ ପରିଣାମ ସ୍ଵରୂପ ନିଜ ଜୀବନରେ ବିଷ ଗୋଳିଚାଲିଛେ ।
ବର୍ତ୍ତମାନ ଏହି ଅମୃତବେଳାରେ ପୁଣି ଥରେ ସେହି ଅମୃତ ପାନ କରିବାକୁ ହେବ, ଯାହାକୁ ଆମର ସନ୍ଥମାନେ ଆମକୁ ଅର୍ପଣ କରିଥିଲେ । ଭାରତଭୂମିର ଏହି ବାଣୀରେ କେଉଁଠି କୌଣସି ମାନବୀୟ ବିଭାଜନ ନାହିଁ । ତାହା ସମଗ୍ର ମାନବ ଜାତିର ଏକତାକୁ ସ୍ବୀକାର କରେ ଓ ପୋଷିତ କରେ l ସନ୍ଥମାନେ ଆମକୁ ସଂସ୍କୃତି ଦେଇଛନ୍ତି, ସଂସ୍କାର ଦେଇଛନ୍ତି । ଏହି କାରଣରୁ ଭାରତୀୟ ସନ୍ଥ ସଂସ୍କୃତିର ବୈଶିଷ୍ଟ୍ୟ ରହିଛି ।
ସନ୍ଥ ସଂସ୍କୃତି ପ୍ରକୃତରେ ଆଧ୍ୟାତ୍ମିକ ବ୍ୟବସ୍ଥାକୁ ଗଭୀର ନିଷ୍ଠା, ଗମ୍ଭୀରତା ଓ ବ୍ୟାପକତାରେ ଅଙ୍ଗୀକାର କରିଥାଏ । ତେଣୁକରି ସେଥିରେ ପ୍ରାକୃତିକ ଲୟ, ମାନବୀୟ ସମ୍ବେଦନା ଓ ନୈସର୍ଗିକ ସ୍ପନ୍ଦନ ବିଦ୍ୟମାନ । ବୁଦ୍ଧି, ଜ୍ଞାନ, ବିବେକର ମଣିକାଞ୍ଚନ ସଂଯୋଗ ଏବଂ ଉପଯୋଗ ତାକୁ ଯୁଗାନୁକୂଳ ପାରିବେଶିକ ସ୍ଥିତିଗୁଡ଼ିକରେ ଢାଳିଥାଏ ତଥା ସଭ୍ୟତାର ସ୍ୱରୂପ ଗଢ଼ିଥାଏ । ଏହି କାରଣରୁ ଏହା ଦ୍ଵାରା ବଞ୍ଚିବା, କିଛି କରିବା, କିଛି ହେବାର ବିବେକୀ ସୀମାମାନ ମଧ୍ୟ ସ୍ଵତଃ ଟଣାଯାଏ ।
ଯେଉଁଠି ପ୍ରତ୍ୟେକ ପାଇଁ ଦୁସୁରା ଶତ୍ରୁ ନୁହେଁ, ବରଂ ସହଯୋଗୀ, ବନ୍ଧୁ, ସଖା, ସହଚର ହୋଇଯାଏ ତଥା ସାଧନ, ସଂସାଧନ, ଅର୍ଥ, ଅର୍ଜନ, ସଂରକ୍ଷଣର ମଧ୍ୟ ସୀମାମାନ ଥାଏ l ଅସୀମ କେବଳ ଅଧ୍ୟାତ୍ମ ହୋଇଥାଏ, ଅର୍ଥ ନୁହେଁ । ଅନନ୍ତ କେବଳ ସେବା ହୋଇଥାଏ, ଶତ୍ରୁତା ନୁହେଁ । ଗଭୀରତା କେବଳ ଜିଜ୍ଞାସା ହୋଇଥାଏ, ଅହଂକାର ନୁହେଁ । ସନ୍ଥମାନଙ୍କର ଏହି ଭାବ ଜୀବନରେ ଗଭୀର ସନ୍ତୋଷ ଜାଗ୍ରତ କରିଥାଏ ।
ଅଖଣ୍ଡ ଜ୍ୟୋତି..