Spread the love

ସନାତନ ଧର୍ମଗ୍ରନ୍ଥରେ ଦୁନିଆଁର ସମସ୍ତଙ୍କ ମଙ୍ଗଳ କାମନା କରାଯାଇଛି। କାହାରିକୁ ହିଂସା ନ କରିବା ଉପନିଷଦରେ ମନ୍ତ୍ର ଦିଆ ଯାଇଛି । ଗ୍ରନ୍ଥମାନ ରଚନା କାଳରେ କେବଳ ସନାତନ ଚେତନା ଛଡ଼ା ଦୁନିଆଁରେ ଆଉ କିଛି ‘ଧର୍ମ’ ବୋଲି ଅନ୍ୟ କିଛି ନଥିଲା। ଋଗବେଦ ବିଶ୍ଵର ପ୍ରାଚୀନତମ ଗ୍ରନ୍ଥ। ହିନ୍ଦୁତ୍ବର ମୂଳତତ୍ତ୍ଵ ପ୍ରାଚୀନ ଗ୍ରନ୍ଥମାନଙ୍କରେ ଅଛି। ହିନ୍ଦୁତ୍ବ ସଂପର୍କରେ ମତ ରଖିବା ବେଳେ ସନାତନ ଗ୍ରନ୍ଥମାନଙ୍କର ମୌଳିକ ଚେତନା ଛାଡ଼ିଦେଲେ ଧାର୍ମିକ କଥା ପଥଭ୍ରଷ୍ଟ ହେଇଯିବ। ପ୍ରାଚୀନସଂସ୍କୃତି ବଦଳିଯିବ ନାହିଁ। ଅୟୁତ ଅୟୁତ ବର୍ଷ ଧରି ଅକ୍ଷୂର୍ଣ୍ଣ ରହିଛି। ଦଶହଜାର ବର୍ଷ ତଳେ ରଚିତ ଋଗବେଦର ମନ୍ତ୍ର ଓ ଋଚାମାନ ଆଜି ବି ସେମିତି ଅଛି ଓ ରହିବ।
କେହି ହିଂସା, ଘୃଣା ଭଳି ଅପସଂସ୍କୃତି ମିଶ୍ରିତ କରି ମୋଡ଼ ଦେବାକୁ ଚେଷ୍ଟା କଲେ ବେଦ-ଉପନିଷଦର ମୌଳିକତା ବଦଳିଯିବ ନାହିଁ।

ପ୍ରତ୍ୟେକ ମନ୍ତ୍ରର ଶେଷରେ ‘ॐ ଶାନ୍ତିଃ! ଶାନ୍ତିଃ! ଶାନ୍ତିଃ!’ ପଦମାନ ମାନବ ଜାତିକୁ ଶାନ୍ତ ରହିବା ପାଇଁ ପ୍ରେରଣା ଦେଇ ଆସିଛି।

ଭଗବାନଙ୍କୁ ସମର୍ପିତ ହୋଇଥିବା କ୍ଷୁଦ୍ରାତିକ୍ଷୁଦ୍ର କର୍ମ ମଧ୍ୟ କଦାପି ବିଫଳ ହୁଏ ନାହିଁ; କାରଣ ଭଗବାନ ହେଉଛନ୍ତି ଜୀବର ପରମ ହିତୈଷୀ ଓ ପ୍ରିୟତମ ଆତ୍ମା। ବୃକ୍ଷର ମୂଳରେ ଜଳଦାନ କରିବା ଯେପରି ବୃକ୍ଷର ଶାଖାପ୍ରଶାଖା ତଥା ପତ୍ରମାନଙ୍କରେ ଜଳସିଞ୍ଚନ କରିବା ସହିତ ସମାନ, ସର୍ବାତ୍ମା ଭଗବାନଙ୍କର ଆରାଧନା ସେହିପରି ସକଳ ପ୍ରାଣୀଙ୍କୁ ତଥା ନିଜକୁ ଆରାଧନା କରିବା ସହିତ ସମାନ। ଯେ ତ୍ରିକାଳରେ ତଥା ତାହାର ପରେ ମଧ୍ୟ ସର୍ବଦା ସମରସ ହୋଇ ରହିଛନ୍ତି, ଯାହାଙ୍କର ଲୀଳାର ରହସ୍ୟ ତର୍କ-ବିତର୍କର ଅତୀତ, ଯେ ଗୁଣାତୀତ ହୋଇ ମଧ୍ୟ ସକଳ ଗୁଣର ସ୍ବାମୀ ତଥା ବର୍ତ୍ତମାନ ସତ୍ତ୍ବଗୁଣରେ ସ୍ଥିତ, ସେହି ପ୍ରଭୁଙ୍କୁ ବାରମ୍ବାର ପ୍ରଣାମ କରୁଛୁ।

ଅଭିମାନକୁ ସୁରାପାନ ସଦୃଶ, ଗୌରବକୁ ରୌରବ ନରକ ସଦୃଶ, ପ୍ରତିଷ୍ଠାକୁ ଶୂକରୀବିଷ୍ଠା ସଦୃଶ  ଜ୍ଞାନ କଲେ ଯାଇ ସାଧନ ଭଜନ ହେବ । ନହେଲେ ବସନରେ କି ଆସନରେ, ଅଶନରେ କି ଅନଶନରେ, ରସନରେ କି ଭାଷଣରେ ଏବଂ ଅସଲ ଅଭାବରେ ନକଲରେ କିଛି ଫଳ ହେବ ନାହିଁ ।

Leave a Reply

Your email address will not be published. Required fields are marked *