ସାଢେ଼ ୫ମାସରେ ଉପରମୁହାଁ ନାରୀ ନିର୍ଯାତନା : ଚିନ୍ତା ବଢ଼ାଉଛି ନାବାଳିକା ଦୁଷ୍କର୍ମ
ହତ୍ୟାର ଶିକାର ହେଲେଣି ୧୬୧ ମହିଳା
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ଏକପ୍ରକାର ଭୁଶୁଡ଼ି ଗଲାଣି। ଗତ ସାଢେ଼ ୫ମାସରେ ରାଜ୍ୟରେ ନାରୀ ନିର୍ଯାତନା ଉପରମୁହାଁ ହୋଇଛି। ପ୍ରତିଦିନ ମହିଳା, ଶିଶୁଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାଘଟଣା ରାଜ୍ୟର ଛବିକୁ ମଳିନ କରୁଥିବା ବେଳେ ସରକାର ଅସହାୟ ପରି ଆଚରଣ କରୁଛନ୍ତି। ଗତ ୧୦ଜୁନ୍ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୦୯ଟି ଦୁଷ୍କର୍ମ, ୪୧ଟି ଗଣଦୁଷ୍କର୍ମ, ୭୬୯ଟି ନାବାଳିକା ଦୁଷ୍କର୍ମ, ୪୫୯ଜଣଙ୍କୁ ହତ୍ୟା, ୧୬୧ ମହିଳା ହତ୍ୟା, ୯୨୪୮ଟି ନାରୀ ନିର୍ଯାତନା ଓ ଅସଦାଚରଣ ଶିକାର ହୋଇଛି। ଅନୁରୂପ ଭାବେ ୨୪ଟି ଯୌତୁକ ଜନିତ ହତ୍ୟା ଓ ୫୩୯୮ଜଣ ବିବାହିତ ମହିଳା ସ୍ୱାମୀ ଓ ଶଶୂରଘର ପରିବାର ସଦସ୍ୟଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଛନ୍ତି।
ଗୃହରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟରୁ ଚାଞ୍ଚଲ୍ୟକର କଥା ପଦାକୁ ଆସୁଛି। ନାରୀ ନିର୍ଯାତନା ରୋକିବାରେ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୯୨୪୮ ନାରୀ ନିର୍ଯାତନା ଓ ଅସଦାଚରଣ ଶିକାର ହୋଇଥିବା ବେଳେ ଗତ ୫ମାସ ୨୨ଦିନ ମଧ୍ୟରେ ୫୦୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ପ୍ରତିଦିନ ରାଜ୍ୟରେ ପ୍ରାୟ ୩ଟି ଦୁଷ୍କର୍ମ ଘଟୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ମାସକୁ ପ୍ରାୟ ୯୦ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଏହି ତଥ୍ୟ ଆସିବା ପରେ ରାଜ୍ୟର ମହିଳାମାନେ କେତେ ସୁରକ୍ଷିତ, ତାହା ଅନୁମେୟ। ସେହିପରି ରାଜ୍ୟର କୋମଳମତି ଶିଶୁକନ୍ୟା ବା ନାବାଳିକାମାନେ ଅସୁରକ୍ଷିିତ ହୋଇପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟରୁ ଏଭଳି କଥା ସାମ୍ନାକୁ ଆସିଛି। ବିଜେପି ସରକାର କାର୍ଯ୍ୟକାଳକୁ ମାତ୍ର ୬ମାସ ପୂରିନଥିବା ବେଳେ ୭୬୯ଟି ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୭ ଦୁଷ୍କର୍ମ, ମୟୂରଭଞ୍ଜ ଜିଲ୍ଲାରେ ୫ଟି ଗଣଦୁଷ୍କର୍ମ ଓ ୫୨ଟି ନାବାଳିକା ଦୁଷ୍କର୍ମ, ୧୪ଟି ମହିଳା ହତ୍ୟା ରହିଛି। ସେହିପରି ରାଜଧାନୀରେ ୩୪ଟି ଦୁଷ୍କର୍ମ, ୪ଟି ଗଣଦୁଷ୍କର୍ମ, ୨୫ଟି ନାବାଳିକା ଦୁଷ୍କର୍ମ, ୨୭ଟି ହତ୍ୟା ମାମଲା, ୬ଟି ମହିଳା ହତ୍ୟା, ୬୪୮ଟି ଯୌତୁକ ନିର୍ଯାତନା ଓ ଅସଦାଚରଣ ମାମଲା ଏବଂ ୨ଟି ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଛି। କଟକରେ ୧୧ଟି ଦୁଷ୍କର୍ମ, ଗୋଟିଏ ଗଣଦୁଷ୍କର୍ମ, ୩୫ଟି ନାବାଳିକା ଦୁଷ୍କର୍ମ ଭଳି ମାମଲା ରୁଜୁ ହୋଇଛି। ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉତ୍ତର ରଖିଛନ୍ତି।