ସ୍ଵଚ୍ଛ ସର୍ବେକ୍ଷଣ – ୨୦୨୪ ଶ୍ରେଷ୍ଠ ୧୫ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା
ରାଉରକେଲା, ୧୭ ଜୁଲାଇ ୨୦୨୫: ଦର୍ଶନ ସମୀକ୍ଷା ରାଉରକେଲାବାସୀଙ୍କ ପାଇଁ ଏକ ଖୁସି ଖବର। ସ୍ଵଚ୍ଛ ସର୍ବେକ୍ଷଣ – ୨୦୨୪ ରେ ରାଉରକେଲା ମହାନଗର ନିଗମ ସର୍ବଭାରତୀୟ ସ୍ତରରେ ୧୫ତମ ସ୍ଥାନ ହାସଲ କରିଛି। ଯାହା ସମସ୍ତ ରାଉରକେଲାବାସୀଙ୍କ ପାଇଁ ନିହାତି ଭାବେ ଏକ ଗର୍ବର ବିଷୟ। ଗୁରୁବାର ଦିନ ସ୍ଵଚ୍ଛ ସର୍ବେକ୍ଷଣ ୯ମ ସଂସ୍କରଣର ଫଳାଫଳ ଘୋଷଣା ହେବା ସହ ପୁରସ୍କାର ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ସର୍ବଭାରତୀୟସ୍ତରରେ ରାଉରକେଲା ଶ୍ରେଷ୍ଠ ପନ୍ଦରଟି ସହର ମଧ୍ୟରେ ସ୍ଥାନ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ଗତବର୍ଷ ରାଉରକେଲା ସହର ୧୧୯ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସ୍ଵଚ୍ଛତା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୫ତମ ରେଙ୍କ ହାସଲ କରିବାରେ ସଫଳ ହୋଇଛି। ସର୍ବଭାରତୀୟ ସ୍ତରରେ ରାଉରକେଲା ସହର ୧୫ତମ ସ୍ଥାନ ଅଧିକାର କରିଛି। ସେହିଭଳି ଭାବେ ରାଜ୍ଯ ସ୍ତରରେ ଚତୁର୍ଥ ଏବଂ ମହାନଗର ନିଗମ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି।
ଗତଥର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଉରକେଲା ସହର ଚଳିତ ବର୍ଷ ଦେଶର ୧୦୧ଟି ସହର ମଧ୍ୟରୁ ୧୫ତମ ସ୍ଥାନ ଅଧିକାର କରିଛି। ୨୦୨୪ ମସିହା ଏପ୍ରିଲ ମାସରୁ ୨୦୨୫ ମସିହା ଏପ୍ରିଲ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲୁ ରହିଥିଲା। ଏଥିସହ ରାଉରକେଲା ସହରକୁ ଶ୍ରେଷ୍ଠ ସ୍ଵଚ୍ଛ ସହର ଭାବେ ଚୟନ ନିମନ୍ତେ ସହରବାସୀ ଅନଲାଇନ୍ ଯୋଗେ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ଯାହା ଫଳରେ ସହରର ରିପୋର୍ଟ କାର୍ଡ ଅନୁସାରେ ରାଉରକେଲା ସହର ଡମ୍ପିଂ ସାଇଟର ସୁଧାର କରିବା, ସହରରେ ଥିବା ଜଳାଶୟ ଓ ବଜାର ଗୁଡ଼ିକର ସ୍ଵଚ୍ଛ କରିବା ଦିଗରେ ଶତ ପ୍ରତିଶତ ନମ୍ବର ପାଇଛି।
ଏଥିସହ ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ, ଆବାସିକ ଅଞ୍ଚଳ ଓ ସର୍ବସାଧାରଣ ଶୌଚାଳୟ ଗୁଡ଼ିକର ସ୍ଵଚ୍ଛତା ବଜାୟ ରଖିବାରେ ନବେ ପ୍ରତିଶତରୁ ଅଧିକ ଅଙ୍କ ପାଇଛି। ଏଥି ସହ ସହରକୁ ବର୍ଜ୍ୟମୁକ୍ତ କରିବାରେ ୩ ତାରକା ପାଇଥିବା ବେଳେ ସ୍ଵଚ୍ଛତା ଭିତ୍ତିକ କାର୍ଯ୍ୟକ୍ରମ ବଜାୟ ରଖିବା ହେତୁ ଓଡିଏଫ୍++ ପାଇଁ ପୁନଃ ବିବେଚିତ ହୋଇଛି।
ରାଉରକେଲା ସହରର ସର୍ବ ଭାରତୀୟ ସ୍ତରରେ ସ୍ଵଚ୍ଛତା କ୍ଷେତ୍ରରେ ଏହି ସଫଳତା ପରେ ମହାନଗର ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ରାଉରକେଲା ବାସିନ୍ଦା, ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ଓ ମହାନଗର ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭକାମନା ଓ ଧନ୍ୟବାଦ ଜଣାଇଛନ୍ତି। ସ୍ଵଚ୍ଛତା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ଆଗକୁ ମଧ୍ୟ ରାଉରକେଲା ସହର ସ୍ଵଚ୍ଛତା କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଏଥିସହ ସ୍ଵଚ୍ଛ ରାଉରକେଲା ହିଁ ଏକ ବିକଶିତ ରାଉରକେଲା ଗଠନର ପ୍ରଥମ ସୋପାନ ହୋଇଥିବା ବେଳେ ସମସ୍ତେ ମିଶି ଏକ ସ୍ଵଚ୍ଛ ଓ ସୁସ୍ଥ ରାଉରକେଲା ଗଠନ ପାଇଁ ପ୍ରତିବଦ୍ଧ ହେବାକୁ ସେ ଆହ୍ବାନ ଦେଇଛନ୍ତି।
ସ୍ଵଚ୍ଛତା ଗୋଟିଏ ସହରର ବିକାଶ ନିମନ୍ତେ ପ୍ରଥମ ସୋପାନ ହୋଇଥିବା ବେଳେ ଏହାକୁ ପ୍ରଭାବଶାଳୀ କରିବା ପାଇଁ ୨୦୧୬ ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି। ଯାହା ବିଶ୍ୱର ସର୍ବବୃହତ୍ ବାର୍ଷିକ ସ୍ଵଚ୍ଛ ସର୍ବେକ୍ଷଣ। ସହରରେ ସ୍ଵଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକର ଆକଳନ ତଥା ସ୍ଵଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ପ୍ରକ୍ରିୟା ବେଶ୍ ସଶକ୍ତ ଓ ନିରପେକ୍ଷ। ୪୫ ଦିନ ବ୍ୟାପୀ ତୃଣମୂଳସ୍ତରରେ ଯାଇ ସର୍ଭେ କରାଯାଉଥିବା ବେଳେ ୧୦ଟି ପ୍ରଭାବଶାଳୀ ସୂଚକ ଆଧାରରେ ଶ୍ରେଷ୍ଠ ସ୍ଵଚ୍ଛ ସହରର ଚୟନ ହୋଇଥାଏ।
Leave a Reply