Spread the love

ବଢ଼ିଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା । ୟେମେନର ହାଉଥି ମୁଭମେଣ୍ଟର ବିଭିନ୍ନ ସାମରିକ ସ୍ଥଳୀ ଉପରେ ଆମେରିକା ଓ ବ୍ରିଟେନର ବଡ଼ ଧରଣର ଏୟାରଷ୍ଟ୍ରାଇକ । ବିମାନ , ଜାହାଜ ଓ ବୁଡାଜାହାଜରୁ ହୋଇଛି ଆକ୍ରମଣ । ହାଉଥି ସଂଗଠନ ସମ୍ପର୍କିତ ୧୨ରୁ ଅଧିକ ସାମରିକ ସ୍ଥଳ ଉପରେ ଆମେରିକା ଓ ବ୍ରିଟେନ କରିଛନ୍ତି ଚଢ଼ାଉ!.
ଲୋହିତ ସାଗରରେ ବାରମ୍ବାର ହାଉଥି ସଂଗଠନ ଆକ୍ରମଣ ଜାରି ରଖିଥିବାରୁ ଏହି ହମଲା କରାଗଲା ବୋଲି କହିଛି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ । ୟେମେନ ରାଜଧାନୀ ସାନା, ଧାମର , ହୋଦିଦା ଆଦି ସହରରେ ଏୟାର ଷ୍ଟ୍ରାଇକ ହୋଇଥିବା କହିଛି ହାଉଥି ସଂଗଠନ । ଗତବର୍ଷ ଅକ୍ଟୋବରରେ ହମାସ ଓ ଇସ୍ରାଏଲ ମଧ୍ଯରେ ଯୁଦ୍ଧ ପରଠାରୁ ମଧ୍ଯପ୍ରାଚ୍ୟରେ ଅଶାନ୍ତି ବାତାବରଣ ଲାଗି ରହିଛି । ୟେମେନର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ହାଉଥି ସଂଗଠନ ହାତରେ ରହିଛି!.
ଲୋହିତ ସାଗରର ବିଭିନ୍ନ ଜାହାଜ ଚଳାଚଳ ପଥରେ ମିସାଇଲ ଓ ଡ୍ରୋନ ଆକ୍ରମଣ ନ କରିବା ଲାଗି ଜାତିସଂଘ ଓ ଅନ୍ଯାନ୍ୟ ଆନ୍ତର୍ଜାତିକ ସଂଗଠନର ଚେତାବନୀ ସତ୍ତ୍ବେ ଏହାକୁ ଅବମାନନା କରିଆସିଛି ହାଉଥି ସଂଗଠନ । ହାଉଥି କହିଛି ଲୋହିତ ସାଗରରେ କରାଯାଉଥିବା ଆକ୍ରମଣ ହମାସକୁ ସମର୍ଥନ ଲାଗି ଉଦ୍ଦିଷ୍ଟ । ବର୍ତ୍ତମାନ ସୁଦ୍ଧା ଲୋହିତ ସାଗରରେ ହାଉଥି ସଂଗଠନ ୨୭ରୁ ଅଧିକ ଜାହାଜ ଉପରେ ଆକ୍ରମଣ କରିଛି ।
ଅତୀତରେ ଘଟିଥିବା ଗୃହଯୁଦ୍ଧ ପରଠାରୁ ୟେମେନର ଅଧିକାଂଶ ଅଞ୍ଚଳ ହାଉଥି ସଂଗଠନ କବଜାରେ ରହିଛି । ଲୋହିତ ସାଗରରେ ସୁରକ୍ଷା ଲାଗି ଗତ ଡିସେମ୍ବରରେ ଆମେରିକା ନେତୃତ୍ବାଧୀନ ଅପରେସନ ପ୍ରସପରିଟି ଗାର୍ଡିଆନରେ ୨୦ରୁ ଅଧିକ ରାଷ୍ଟ୍ର ସାମିଲ ହୋଇଥିଲେ!.

Leave a Reply

Your email address will not be published. Required fields are marked *