‘ମୁଁ ଓଡ଼ିଶାର ଆଡ଼ଭୋକେଟ ଜେନେରାଲ (AG) ଥିବା ବେଳେ ହରେକୃଷ୍ଣ ମହତାବଙ୍କ ବିରୋଧରେ ଭିଜିଲାନ୍ସ କେସରେ କୋର୍ଟରେ ବିଭିନ୍ନ ନଜିର ଦେଇ ଜିତାଇଥିବାରୁ ସେ ଓ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକ ବହୁତ ଖୁସି ଥିଲେ।
ହେଲେ କଂଗ୍ରେସ ଭବନ ସଂକ୍ରାନ୍ତ ମାମଲାରେ ଭୁବନେଶ୍ୱର ତଳ କୋର୍ଟକୁ ମୁଁ ନ ଯିବାରୁ ମୋ ବିରୋଧରେ ମହତାବ ଗାଁ ମଜଲିସରେ ଅନେକ କଥା ଲେଖିଲେ…ଏ ସୋସିଆଲିଷ୍ଟ ଦିଲ୍ଲୀରୁ ଆସିଛନ୍ତି, ଓଡ଼ିଶା ପ୍ରତି ୟାଙ୍କର କର୍ତ୍ତବ୍ୟ ବୁଝୁନାହାନ୍ତି ଏହି ମର୍ମରେ।
ତା’ ପରେ ମହତାବଙ୍କ ବନ୍ଧୁମାନେ ତାଙ୍କୁ କହିଲେ- ସେ ଆପଣଙ୍କ ପୂର୍ବ କେସ ଲଢ଼ିବା ପାଇଁ AG ପଦ ଛାଡ଼ିବାକୁ ପ୍ରସ୍ତୁତ ଥିଲେ- ଆପଣ ତାଙ୍କ ବିରୋଧରେ ଏମିତି ଲେଖିପାରିଲେ?
୨/୪ ଦିନ ପରେ ଗାଁ ମଜଲିସରେ ସେ ଆଉ ଖଣ୍ଡେ ଲେଖା ଲେଖିଲେ- ଓଡ଼ିଶାର ୩ ଜଣ ଯୋଗ୍ୟ ପୁତ୍ର ଅଛନ୍ତି- ଜଣେ ମୁଁ, ନାଗରୀ ମୋହନ ପଟନାୟକ ଓ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି।
ପୁଣି ସୁପ୍ରିମ କୋର୍ଟ ଫେରି ଯାଇ ପ୍ରାକ୍ଟିସ କରିବାକୁ ଇଛା ଥାଏ। ରାଜନୈତିକ ସମ୍ପର୍କ ବି କୋହଳ ହୋଇଯାଇଥାଏ। ଏ ଭଳି କିଛି ସଙ୍କେତ ପାଇ ମୁଁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟନାୟକଙ୍କୁ ମୋର ଇସ୍ତଫା ପତ୍ର ଦେଲି। ସେଠି ଅନ୍ୟମନ୍ତ୍ରୀମାନେ ବସିଥିଲେ।
ଜାନକୀ ବାବୁ କହିଲେ: ମୁଁ ଯେତେବେଳେ ପ୍ରଥମେ କେନ୍ଦ୍ରରେ ମନ୍ତ୍ରୀ ହେଲି ଜଣେ ପ୍ରସିଦ୍ଧ ସାମ୍ବାଦିକ ପଠାନ ଯୋଶେଫଙ୍କୁ ପଚାରିଲି- କଣ କଲେ ମୁଁ ଜଣେ ସକ୍ଷମ ମନ୍ତ୍ରୀ ହୋଇପାରିବି?
ସେ ସାମ୍ବାଦିକ ଜଣକ ଉତ୍ତର ଦେଲେ- ପକେଟରେ ସବୁବେଳେ ଇସ୍ତଫା ପତ୍ର ରଖିଥାନ୍ତୁ, ତାହେଲେ ସକ୍ଷମ ମନ୍ତ୍ରୀ ହୋଇପାରିବେ।’-ଗୋବିନ୍ଦ ଦାସ (ଆତ୍ମଜୀବନୀ- ସାନ ଗୋଟିଏ ଜୀବନ, ୨୦୦୬)
Leave a Reply