ବୈବାହିକ ବିବାଦ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି, ସ୍ୱାମୀ କିମ୍ବା ସ୍ତ୍ରୀ ଅଲଗା ରହିବା ଅସମ୍ଭବ
ବୈବାହିକ ଜୀବନରେ ସ୍ୱାମୀ କିମ୍ବା ସ୍ତ୍ରୀ ଅଲଗା ରହିବା ଅସମ୍ଭବ । ଉଭୟଙ୍କ ମଧ୍ୟରୁ କେହି ବି କହିପାରିବେନି ଯେ ସେ ନିଜ ପାର୍ଟନରଙ୍କଠାରୁ ଅଲଗା ରହିବାକୁ ଚାହାଁନ୍ତି । ଯିଏ ବି ଅଲଗା ରହିବାକୁ ଚାହାଁନ୍ତି ସେ ବିବାହ କରିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ବିଚାରପତି ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି ।
ଦୁଇ ପିଲା ଥାଇ ଅଲଗା ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ, ବିବାହର ଅର୍ଥ ଦୁଇ ଆତ୍ମା ଦୁଇ ବ୍ୟକ୍ତି ଏକାଠି ରହିବା । ଆପଣମାନେ ଅଲଗା କିପରି ରହିପାରୁଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ନା କିଛି କାରଣରୁ ଝଗଡ଼ା ତ ହୋଇଥାଏ । ସ୍ୱାମୀ ସ୍ତ୍ରୀ ଏକାଠି ରହିଲେ ଆମେ ଖୁସି ହେବୁ । ପିଲାମାନେ ବି ଛୋଟ ଛୋଟ । ସେମାନଙ୍କୁ ଏବେଠାରୁ ଏଭଳି ଭଙ୍ଗାରୁଜା ଘର ପରିବାର ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି । ପିଲାଙ୍କର କ’ଣ ଭୁଲ ସେ ସେମାନଙ୍କ ଘର ଭାଙ୍ଗିଯିବ ।
ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ସିଙ୍ଗାପୁରରେ ରୁହନ୍ତି । ଏବେ କିନ୍ତୁ ସେ ଭାରତରେ ଅଛନ୍ତି । ବିବାଦ ମାମଲା ତୁଟାଇବା ଲାଗି ତାଙ୍କ ସ୍ୱାମୀ ଇଚ୍ଛୁକ ନାହାନ୍ତି । କେବଳ ପିଲାଙ୍କର ହେପାଜତ ଚାହୁଁଛନ୍ତି । ଖଣ୍ଡପୀଠ ମହିଳାଙ୍କୁ ପଚାରିଥିଲେ ଯେ ସେ କାହିଁକି ତାଙ୍କ ସ୍ୱାମୀଙ୍କ ପାଖକୁ ସିଙ୍ଗାପୁର ଯାଉନାହାନ୍ତି । ସ୍ୱାମୀଙ୍କ ବ୍ୟବହାର ବେଶ୍ କ୍ରୁର ବୋଲି ମହିଳା ଜଣକ କହିଥିଲେ । ସିଙ୍ଗଲ ମଦର ହେବା ଯୋଗୁ ତାଙ୍କୁ ଚାକିରିର ମଧ୍ୟ ଆବଶ୍ୟକତା ରହିଛି । କାରଣ ତାଙ୍କ ସ୍ୱାମୀ ତାଙ୍କୁ କିଛି ବି ଖର୍ଚ୍ଚ ଦେଉନାହାନ୍ତି । ଏହା ପରେ ଖଣ୍ଡପୀଠ ତାଙ୍କ ସ୍ୱାମୀଙ୍କୁ ମହିଳାଙ୍କ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଜଣକ କାହା ଉପରେ ନିର୍ଭର କରିବାକୁ ଚାହାଁନ୍ତିନି ବୋଲି କହିଥିଲେ ।
ଜଷ୍ଟିସ ନାଗରତ୍ନା କହିଥିଲେ, ଏହା ଆପଣ କହିପାରିବେନି । ଥରେ ବିବାହ କରିବା ପରେ ଆପଣ ଭାବନାତ୍ମକ ଭାବେ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ସ୍ୱାମୀଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି । ତେଣୁ ଆପଣ ନିର୍ଭରଶୀଳ ନୁହଁନ୍ତି ବୋଲି କହିପାରିବେନି । ଯଦି ଆପଣ ଏକା ସବୁକିଛି ପାରିବେ ତେବେ ବିବାହ କାହିଁକି କରୁଥିଲେ । ବୋଧହୁଏ ମୁଁ ପୁରୁଣା ବିଚାରଧାରାର ଲୋକ । କିନ୍ତୁ କୌଣସି ସ୍ତ୍ରୀ ନିଜ ସ୍ୱାମୀଙ୍କ ଉପରେ ନିର୍ଭର ରହିବାକୁ ଚାହାଁନ୍ତିନି ବୋଲି କହିପାରିବେନି ବୋଲି ଜଷ୍ଟିସ ନାଗରତ୍ନା ଟିପ୍ପଣୀ ଦେଇଥିଲେ । ଏହା ଉପରେ ବିଚାର କରିବା ପାଇଁ ମହିଳା ଜଣକ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଛନ୍ତି । ଦୁଇ ଜଣ ଶିକ୍ଷିତ । ତେଣୁ ମିଳିମିଶି ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି ।
Leave a Reply