ସ୍ବାଧିନତା ଦିବସ ନେଇ ପ୍ରସ୍ତୁତି ବୈଠକ
ମାଲକାନଗିରି
ମାଲକାନଗିରି ୭୯ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପାଠ କରି ସଂଯୋଜନା କରିବା ସହ ଚଳିତ ବର୍ଷ ପାଇଁ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ପ୍ରସ୍ତାବ ଲୋଡିଥିଲେ । ସ୍ୱାଧୀନତା ଦିବସ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ । ସକାଳ ୭.୩୦ ମି ଠାରୁ ଘ. ୮ ଟା ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିପରି ସ୍ଥାନୀୟ ଡି ଏନ୍ କେ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ସ୍କୁଲ ଓ କଲେଜସ୍ତର ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ଜିଲ୍ଲାରେ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଟପ୍ପର ଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଅଗଷ୍ଟ ମାସରେ କ୍ରାନ୍ତି ଦିବସ ଓ ବିଶ୍ଵ ଜନଜାତି ଦିବସ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଦିନ ଜିଲ୍ଲାର ବ୍ଲକ୍, ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ପୌର ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ନାୟକ, ରାସ୍ତା ଓ କୋଠାବାଡ଼ି ବିଭାଗ ରୁ ମକର୍ଷଣ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋରୀ ନାୟକ, ପୁଲିସ ରିଜର୍ଭ ଇନ୍ସପେକ୍ଟର ସତ୍ୟପ୍ରିୟ ବିଶ୍ଵାଳ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ । ବୈଠକ ଆୟୋଜନ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।
Leave a Reply