ସାମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର।
ମାଲକାନଗିରି :(ଦର୍ଶନ ସମୀକ୍ଷା) ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନ ଜଣେ ଠିକାଦାରଙ୍କ ଦ୍ଵାରା ଅତ୍ୟନ୍ତ ନିମ୍ନ ମାନର ରାସ୍ତା ନିର୍ମାଣ କରିଥିବା ଦୁର୍ନୀତିର ପର୍ଦ୍ଦାଫାଶ କରି ଖବର ପ୍ରସାରଣ କରିଥିବାରୁ,ଉକ୍ତ ଠିକାଦାରଙ୍କ ଦ୍ଵାରା ତାଙ୍କୁ ମାଡ଼ ମରାଯିବା ଘଟଣା ର ପ୍ରତିବାଦ କରି, ଆଜି ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ, ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବିକରବା ସହିତ,ଅତି ଶୀଘ୍ର ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଏବଂ ସାମ୍ବାଦିକ ମାନଙ୍କର ପେନସନ ଓ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ଗୁଡ଼ିକ ପରି ସାମ୍ବାଦିକ ମାନଙ୍କର ଅନ୍ୟାନ୍ୟ ସୁଯୋଗ ସୁବିଧା ଯୋଗାଇଦେବା ଦାବି ନେଇ ଆଜି ଓଡ଼ିଶାର ତିରିଶ ଗୋଟି ଜିଲ୍ଲାର ଓଡ଼ିଶା ୟୁନିୟନ ଅଫ୍ ଜର୍ଣାଲିଷ୍ଟିସ ର ପ୍ରତ୍ୟେକ ଜିଲ୍ଲା ୟୁନିଟ ତରଫରୁ, ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ଜିଲ୍ଲାରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟିସ ର ସଭାପତି ଦେବପ୍ରସାଦ ଦାସ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ସହିତ ଉପ ସଭାପତି ସତ୍ୟନାରାୟଣ ପଣ୍ଡା,ସହ ସମ୍ପାଦକ ଅସୀମ ବିଶ୍ବାସ ଓ ରେବେଲ ପ୍ରକାଶ,ବ୍ଲକ ସଭାପତି ଶିବପ୍ରସାଦ କୀର୍ତ୍ତନୀୟା,ଏ ଈଶ୍ୱର ରାଓ, ଦୁଃଶାସନ ମହାପାତ୍ର, ଗୋବିନ୍ଦ ମଣ୍ଡଳ,ଅରୁଣ ଏବଂ ବିକ୍ରମ କେଶରୀ ପାଢ଼ୀ ଉପସ୍ଥିତ ଥିଲେ। ଏହାପରେ ସମସ୍ତ ସଦସ୍ୟ ମାନେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏହି ଜିଲ୍ଲାର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଅବଗତ କରାଇଥିଲେ। ଯଥା ବାଲିମେଳା ସହରର ବିଭିନ୍ନ ଛକରେ ମଦ ଏବଂ ଗଞେଇ ମାଫିଆ ମାନଙ୍କ ଉପଦ୍ରବ, ବାଲିମେଳା ଜଗନ୍ନାଥ ମନ୍ଦିରରେ ବିଭିନ୍ନ ଅସାମାଜିକ ଲୋକମାନଙ୍କ ଉପଦ୍ରବ ଓ ନିଶାଦ୍ରବ୍ୟ ସେବନ। ମାଲକାନଗିରି ସହରର ବିଭିନ୍ନ ସ୍କୁଲ ଗୁଡିକରେ ସନ୍ଧ୍ୟା ପରେ ମଦୁଆ ଓ ଜୁଆଡି ମାନଙ୍କ ଆଡ୍ଡାସ୍ଥଳୀ ପାଲଟି ଯିବା ଇତ୍ୟାଦି ସହିତ ମୋଟୁ ଠାରୁ କାଲିମେଳା, ପଢ଼ିଆ ଠାରୁ ସିଖାପାଲ୍ଲୀ ଏବଂ ଅନ୍ୟାନ୍ୟ ରାସ୍ତାଘାଟର ମରାମତି ଓ ଉନ୍ନତିକରଣ,ବିଭିନ୍ନ ବ୍ରିଜ ଗୁଡ଼ିକୁ ଯଥାଶୀଘ୍ର ନିର୍ମାଣ କରିବା, ଟ୍ରାଫିକ ସମସ୍ୟା, ସ୍କୁଲ କଲେଜ ଗୁଡିକର ବିଭିନ୍ନ ସମସ୍ୟା ଆଦି। ଏଥିସହିତ ସାମ୍ବାଦିକ ମାନେ ରେଳପଥ ନିର୍ମାଣ ଓ ବିମାନ ଉଡାଣ ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି ଏବଂ ଅତି ଶୀଘ୍ର ସବୁ ସମସ୍ୟା ର ସମାଧାନ ପାଇଁ ଚେଷ୍ଠା କରିବେ ବୋଲି ସମସ୍ତଙ୍କୁ ଆଶ୍ଵାସନା ଦେଇଥିଲେ।
Leave a Reply