ବାଲିମେଳାରେ ଶାନ୍ତିପୂର୍ଣ ଭାବେ ସମ୍ପନ୍ନ ହେଲା ରଥଯାତ୍ରା
୧୫ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ
ମାଲକାନଗିରି(ମନୋଜ ଦେଵ ପାଙ୍ଗି)
ମାଲକାନଗିରି ଜିଲ୍ଲା ପତିତପାବନ
କ୍ଷେତ୍ର ବାଲିମେଳାରେ ଶୁକ୍ରବାର ପ୍ରସିଦ୍ଧ ରଥଯାତ୍ରା ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି।ଵିଧି ଅନୁଯାୟୀ ଭୋରରୁ ଶ୍ରୀଜୀଉଙ୍କ ଦ୍ୱାର ଖୋଲାଯାଇ ପୂଜା ଓ ଆଳତି ଅନୁଷ୍ଠିତ ହୋଇଥିଲା।ପାରମ୍ପରିକ ରୀତିନୀତି ପ୍ରକାରେ ଶ୍ରୀ ମନ୍ଦିରରେ ଅପରାହ୍ନ ୧୨ ଟାରେ ଅନ୍ନ ଭୋଗ ଓ ଅନ୍ୟାନ୍ୟ ଵିଧି ପରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ଅପରାହ୍ନ ପ୍ରାୟ ୩ ଟା ସମୟରେ
ଶ୍ରୀଜୀଉଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନାମ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା, ମୃଦଙ୍ଗ, ଝାଞ୍ଜ, ବାଦ୍ୟ, ତୁରୀ ଏବଂ ଶଙ୍ଖ ନାଦରେ ପ୍ରକମ୍ପିତ
ହୋଇଥିଲା ବଡଦାଣ୍ଡ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିମନ୍ତ୍ରଣ ଯିବା ପରେ ଚଳିତ ବର୍ଷ ରଥଯାତ୍ରାର ରାଜା ତଥା ବାଲିମେଳା
ଜଳବିଦ୍ୟୁତ କେନ୍ଦ୍ରର ବରିଷ୍ଠ ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ସ୍ୱାଇଁ ରଥରେ ଛେରାପହଁରା
କରିଥିଲେ। ଏହି ଅବସରରେ ବାଲିମେଳା ସହର ସମେତ ଆଖ ପାଖ ଅଞ୍ଚଳରୁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ରଥ ମାଉସୀ ମା’ଙ୍କ ମନ୍ଦିରରେ ପହଁଞ୍ଚିଥିଲା। ଏଠାରେ ଅନୁଷ୍ଠିତ ରଥଯାତ୍ରାର ମୁଖ୍ୟ ବିଶେଷତ୍ୱ ହେଲା
ଏଠାରେ ଅରମ୍ପରିକ କାଠ ରଥ ବଦଳରେ ଲୁହା ରଥରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।
ସୁରକ୍ଷାକୁ ଦୃଷ୍ଟିରେ ରଖି ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ବଡଦାଣ୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରେ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମୁତ୍ତୟନ କରାଯିବା ସହିତ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହି ରଥଯାତ୍ରାକୁ ମନ୍ଦିରର ଟ୍ରଷ୍ଟି ଦିଲ୍ଲୀପ କୁମାର ବେପାରୀ, ନଗରପାଳ ପ୍ରଦୀପ କୁମାର ନାୟକ, ରଥଯାତ୍ରା କମିଟିର ସମ୍ପାଦକ ବିଜୟ କୁମାର ରାଉତ, କୋଷାଧକ୍ଷ ରମେଶ ଚନ୍ଦ୍ର ସ୍ୱାଇଁ, ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ନିମାଇଁ ଚରଣ ସ୍ୱାଇଁ, ଅକ୍ଷୟ ବିଶ୍ୱାଳ, ଶୀତଲ କୁମାର ଚର୍ଚ୍ଚି, ଦୀପକ କୁମାର ସାହୁ, ସତ୍ୟଜିତ ଜେନାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ରଥଯାତ୍ରାର ସୁପରିଚାଳନା କରିଥିଲେ।
Leave a Reply