Spread the love

ଓଡ଼ିଆ ବର୍ଣ୍ଣମାଳାରେ ନୀତି ଶିକ୍ଷା।

  *ଅ-* ଅଳସୁଆ ହେବ ନାହିଁ ଜୀବନେ
  *ଆ-* ଆଦର କରିବେ ତୁମକୁ ଜନେ ।
  *ଇ-* ଇହଧାମେ ନିତି ପୂଜି ଶାରଦା
  *ଈ-* ଈଶ୍ୱରଙ୍କୁ ଭକ୍ତି କରିବ ସଦା ।
  *ଉ-* ଉଠିବ ଶେଯରୁ ଯେତେ ସଅଳ
  *ଊ-* ଊଣା ହେବ ନାହିଁ ଆୟୁଷ ଫଳ ।
  *ଋ-* ଋଣ ନେବ ନାହିଁ କେବେ ଜୀବନେ
  *ୠ-* ୠଷି ମୁନୀ ଲେଖିଛନ୍ତି ପୁରାଣେ ।
  *ଏ-* ଏମିତି ଜୀବନଚର୍ଯ୍ୟା ପାଳିଲେ
  *ଐ-* ଐଶ୍ୱର୍ଯ୍ୟ ଲଭିବ ନିଶ୍ଚୟ ପିଲେ ।
  *ଓ-* ଓଁକାର ଶବଦ ଜପିବ ନିତି
  *ଔ-* ଔଷଧ ପ୍ରମାଣେ ଜଗତ ଜିତି।
  *କ-* କଥା କହୁଥିବ ମଧୁର ସ୍ୱରେ
  *ଖ-* ଖଳ ପ୍ରକୃତିରୁ ରହିବ ଦୂରେ ।
  *ଗ-* ଗଗନ ସଦୃଶ ହୁଅ ନିର୍ମଳ
  *ଘ-* ଘେନ ରାମ କୃଷ୍ଣ ନାମ ଯୁଗଳ ।
  *ଙ-* ଡର ରଖିଥିବ ପାପ କର୍ମକୁ
  *ଚ-* ଚଳିବ ତେବେଟି ସ୍ୱର୍ଗ ଧାମକୁ ।
  *ଛ-* ଛଳନା ନକଲେ କାହା ସାଥିରେ
  *ଜ-* ଜାଗା ମିଳିଯିବ ବୈକୁଣ୍ଠପୁରେ ।
  *ଝ-* ଝଗଡ଼ା ଝାମେଲା ନକଲେ କେବେ
  *ଞ-* ଜ୍ଞାନୀ ବୋଲି ଜନ ନିଶ୍ଚେ କହିବେ।
  *ଟ-* ଟଙ୍କା ଗଣି କାରବାର କରିବ
  *ଠ-* ଠକାମି ଗୁଣ ବର୍ଜନ କରିବ ।
  *ଡ଼-* ଡମ୍ବରୁଧର ସେହି ବାବା ଭୋଳା
  *ଢ଼-* ଢାଲ ପିନ୍ଧି କରନ୍ତି ଲୀଳାଖେଳା ।
  *ଣ-* ନଇଁଥିଲେ ତାଙ୍କ ପାଦରେ ମଥା
  *ତ-* ତହିଁରୁ ହୋଇବ ଜଗତଜିତା ।
  *ଥ-* ଥକାମନ ଥରେ ଭଜ ତାହାଙ୍କୁ
  *ଦ-* ଦରଶନ କର ମହାଦେବଙ୍କୁ ।
  *ଧ* ଧନ ଅରଜନ ଲୋଭରେ ରହି
  *ନ-* ନକହିବ ମିଥ୍ୟା କଥାଟି କେହି ।
  *ପ-* ପାପ ଛାଡ଼ି ତୁମେ କର ଧରମ
  *ଫ-* ଫାସରେ ନହେଲେ ବାନ୍ଧିବ ଯମ ।
  *ଵ-* ବଣ ଜଙ୍ଗଲକୁ କାଟିବ ନାହିଁ
  *ଭ-* ଭରପୁର ଚାରା ରୋପିବ ନେଇ।
  *ମ-* ମନକୁ ନିଶ୍ଚଳ ରଖିବା ପାଇଁ
  *ଯ-* ଯିବ କସରତେ ସକାଳୁ ଧାଇଁ ।
  *ର-* ରହିବ ସୁଖରେ ସାରା ଜୀବନ
  *ଳ-* ଲୟ ରଖି ଭଜ ହେ ପଞ୍ଚାନନ ।
  *ଵ-* ବନମାଳୀ ତୋତେ କରିବେ ପାରି
  *ଶ-* ଶରଣ ଚରଣେ ରଖିବୁ ହରି ।
  *ଷ-* ଷଡ଼ରିପୁ ତୋର ସେହି ହରିବେ
  *ସ-* ସମର୍ପଣ ହୁଅ ତାଙ୍କରି ପାଦେ ।
  *ହ-* ହରି ଭଜୁଥିଲେ ଶୁଣ କୁମର
  କ୍ଷ- କ୍ଷୟ ହେବ ଦୁଃଖ କ୍ଳେଶ ତୋହର ।
  ୟ- ଯିବୁନାହିଁ ଅବାଟରେ ମନୁଆ
  ଲ- ଲାଗିବ ନହେଲେ ପାଦରେ ନିଆଁ ।

ଷାଠିଏ ହେଲା ତ କଣ ହେଲା ?


ଷାଠିଏ ହେଲା ତ କଣ ହେଲା,
ସଂଖ୍ଯାରେ କି ଅଛି କହିଲ ଭଲା ।।

ବୟସଟା ବଢି ଯାଇଛି ସିନା,
ମନୋବଳ ଯମା ହୋଇନି ଊଣା ।।

ଷାଠିଏ ଫଗୁଣ ହେଲିଣି ପାରି,
ତଥାପି ଉତ୍ସାହ ଯାଇନି ମରି ।।

ସେଇ ସ୍ଫୁର୍ତ୍ତି ସେଇ ପାରଦର୍ଶିତା,
ଜୀବନେ ଆଣିଛି ପରିପକ୍ବତା ।।

ସୁଖଦୁଃଖ ନେଇ ଜୀବନଯାକ,
ହେଲି ଜଣେ ବରିଷ୍ଠ ନାଗରିକ ।।

ଚାକିରୀର ଆଉ ନାହିଁ ଝାମେଲା,
ଅଫିସ୍ ଯିବାର ଟେନସନ୍ ଗଲା ।।

ପିଲାଏ ଗଲେଣି ନିଜ ବାଟରେ,
ଆମେ ଦୁଇ ପ୍ରାଣୀ ଘର ଭିତରେ ।।

ସରିଗଲା ଏବେ ସବୁ ଜଞ୍ଜାଳ,
ଆସିଛି ସମୟ ଅବସରର ।।

ଅବସର କାଟେ ବେଶ୍ ମଜାରେ,
ଘରଣୀଙ୍କ ସାଥେ ବୁଲାବୁଲିରେ ।।

ସକାଳେ ହେଉଛି ପ୍ରାତଃ ଭ୍ରମଣ,
କସରତ ଆଉ ଯୋଗ ଆସନ ।।

ପୁଜା ପାଠ ଆଉ ଘର କାମରେ
କଟିଯାଏ ଦିନ ମହା ଖୁସିରେ ।।

ସମୟ ମିଳିଲେ କବିତା ଲେଖେ,
ଗୀତ ଶୁଣି ଗୀତ ଗାଇବା ଶିଖେ ।।

ସାଙ୍ଗ ମେଳେ ଜମେ ଭୋଜି ଆସର
ହ୍ବାଟସ୍ ଅପରେ ରଖେ ସବୁ ଖବର ।।

ଘର ପରିବାର ବନ୍ଧୁ ବାନ୍ଧବ
ମିଳିମିଶି ଥିଲେ ସବୁ ସମ୍ଭବ ।।

କ୍ରୋଧ ଚିନ୍ତା ଦୁଃଖ ଦିଅ ପାଶୋରି,
ସୁସ୍ଥ ରହିବାକୁ ଖୁସି ଜରୁରୀ ।।

ଦୁନିଆକୁ ରଖ ହାତମୁଠାରେ
ଅସଲ ମଜା ତ ଷାଠିଏ ପରେ ।।

ମନ ଖୋଲା ମୋର ହୃଦୟ ଖୋଲା,
ଷାଠିଏ ହେଲା ତ କଣ ହେଲା ।।

Leave a Reply

Your email address will not be published. Required fields are marked *