ମଦ୍ୟପ ଅଧ୍ୟାପକଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ କଲେଜ ଛାତ୍ରଛାତ୍ରୀ।
୩ କିଲୋମିଟର ବାଟ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ଯାଜପୁର ଜିଲ୍ଲାର ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଅଭିଯୋଗ କରିଛନ୍ତି। ପ୍ରଫେସର ଅଛନ୍ତି କିନ୍ତୁ କ୍ଲାସ କରୁନାହାନ୍ତି। ଏପରିକି ସବୁ ସମୟରେ ନିଶାରେ ଚୁର୍ ହୋଇ ରହୁଥିବାରୁ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ।
ଅଧ୍ୟାପକ ଥାଇ ମଧ୍ୟ କ୍ଲାସକୁ ଯାଉନାହାନ୍ତି। ତା ସହ ନିଶାରେ ଚୁର୍ ହୋଇ ରହୁଥିବାରୁ ଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ନରସିଂହ ଚୌଧୁରୀ କଲେଜର ସମାଜ ଶାସ୍ତ୍ର ବିଭାଗର ଏଚଓଡି ଭାବେ କାର୍ଯ୍ୟ କରୁଥିବା ଶ୍ରୀରାମ ମହାର ଚାକିରି ଦିନ ଠାରୁ କଲେଜ ଆସୁନାହାନ୍ତି। କ୍ଲାସ ନକରି ଅନ୍ୟ କାର୍ଯ୍ୟରେ ରହୁଥିବାର ପିଲାମାନେ ଅଭିଯୋଗ କରିଛନ୍ତି। ପିଲାମାନେ ତାଙ୍କ ଘରେ କାର୍ଯ୍ୟ କଲେ ମାର୍କ ଦେଉଥିବା ବେଳେ ତାଙ୍କ କଥା ଅରାଜି ହେଲେ ମାର୍କ କାଟି ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି। ଫଳରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ୩ କିଲୋମିଟର ବାଟ ପାଦରେ ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାରେ ଏଡିଏମଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।