ଭୁବନେଶ୍ୱର //ଭାଷା-ସାହିତ୍ୟର ଉତ୍ତରଣ ପାଇଁ ନବପ୍ରତିଭାଙ୍କୁ ପ୍ରୋତ୍ସାହନ ଆବଶ୍ୟକ,ଯୁବକବି ସଂଘମିତ୍ରା ଭୂତିଆ ପାଇଲେ ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହେଇଥିଲା ଏହି ପୁରସ୍କାର ସମାରୋହ..

Spread the love

ଭାଷା-ସାହିତ୍ୟର ଉତ୍ତରଣ ପାଇଁ ନବପ୍ରତିଭାଙ୍କୁ ପ୍ରୋତ୍ସାହନ ଆବଶ୍ୟକ

ଯୁବକବି ସଂଘମିତ୍ରା ଭୂତିଆ ପାଇଲେ ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’

ଭୁବନେଶ୍ୱର, ୧୧/୦୬/୨୦୨୫(ଦର୍ଶନ ସମୀକ୍ଷା)
ଯୁବକବି ସଂଘମିତ୍ରା ଭୂତିଆଙ୍କୁ ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ପ୍ରଦାନ କରାଯାଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ପୁରସ୍କାର ସମାରୋହରେ ଅତିଥିମାନେ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ତରୁଣ ପ୍ରତିଭାମାନଙ୍କୁ ସବୁସ୍ତରରୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ସାହିତ୍ୟିକା ଶ୍ରୀମତୀ ବନଜ ଦେବୀ କହିଥିଲେ ଯେ ମାଆଙ୍କ ସ୍ମୃତିରେ ପ୍ରଦତ୍ତ ଏହି ପୁରସ୍କାର ପ୍ରତିଟି ମାଆଙ୍କୁ ଉତ୍ସାହିତ କରିବ। ନୂଆ ଲେଖିକାଙ୍କ ପାଇଁ ଏ ପୁରସ୍କାର ସ୍ୱୀକୃତି ନୁହଁ, ବରଂ ଏକ ଭିତ୍ତିପ୍ରସ୍ତର। ସ୍ଵପ୍ନ, ସମ୍ପୃକ୍ତି ଓ ଆବେଗ ବିନା କବିତା ସଫଳ ହୁଏନାହିଁ। ନୂଆପିଢ଼ି ଏହା ଉପରେ ଧ୍ୟାନ ଦେବା କଥା।

ଖ୍ୟାତନାମା କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖି କହିଲେ ଯେ ନୂତନ ପ୍ରତିଭାମାନଙ୍କ ପୂର୍ବସୂରୀମାନଙ୍କ ପ୍ରତି ସମ୍ମାନବୋଧ ଓ କୃତଜ୍ଞତା ରହିବା ଆବଶ୍ୟକ। ଯେଉଁମାନେ ସମ୍ପ୍ରତି ଲେଖାଲେଖି କରୁଛନ୍ତି ସେମାନେ ସାହିତ୍ୟର ପରମ୍ପରା ପ୍ରତି ସଜାଗ ରୁହନ୍ତୁ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ର କହିଲେ ଯେ ତାରୁଣ୍ୟ ସବୁବେଳେ ଅଭିନବତ୍ୱ ଓ ଅସାଧାରଣତ୍ୱର ପ୍ରମାଣ ଦେଇ ଆସିଥିବାବେଳେ ଓଡ଼ିଆ ସାହିତ୍ୟରେ ତରୁଣ ପ୍ରତିଭାମାନଙ୍କ ଯୋଗଦାନ ଯେତେ ସଶକ୍ତ ହେବ ଭାଷା ଓ ସାହିତ୍ୟର ସେତେ ବିକାଶ ହୋଇପାରିବ ଏବଂ ଆମ ସାହିତ୍ୟ ବିଶିଷ୍ଟ ଲେଖକମାନଙ୍କୁ ପାଇପାରିବ।

କବି ସୁଶ୍ରୀ ଭୂତିଆଙ୍କୁ ପୁରସ୍କାର ସ୍ୱରୂପ ୨୧ ହଜାର ଟଙ୍କାର ଅର୍ଥରାଶି ସମେତ ପ୍ରଶସ୍ତିପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ସେ ପୁରସ୍କାର ପ୍ରାପ୍ତିରେ କୃତଜ୍ଞତା ଜ୍ଞାପନପୂର୍ବକ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ପୁରସ୍କାରର ସଂସ୍ଥାପକ ଶ୍ରୀ ଅଶୋକ ମହାପାତ୍ର ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବହୁ କବି, ସାହିତ୍ୟିକ, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ସମବେତ ହୋଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ଉପସଭାପତି ଶ୍ରୀ ବିଭୂତି ଧନ୍ୟବାଦ ଅର୍ପଣ କରିଥିଲେ।

ସୂର୍ଯ୍ୟ ମିଶ୍ର
ସଭାପତି, ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ

Leave a Reply

Your email address will not be published. Required fields are marked *