ଆମର ପରମ୍ପରା, ଆମରି ସଂସ୍କୃତି
ରଥଯାତ୍ରା ବିଶେଷ,
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତମେ…..
ଆମର ସଂସ୍କୃତି ଆମର ଗୌରବ
ଆମର ପରମ୍ପରା ଆମର ସ୍ବାଭିମାନ
ଭାରତୀୟ ସଂସ୍କୃତିରେ ଜଗନ୍ନାଥ
ଭାରତୀୟ ସଂସ୍କୃତି କହିଲେ ଆମେ ବୁଝୁ ଏକ ବିରାଟ ଜାତୀୟତା ଏବଂ ବୈଚିତ୍ର ମଣ୍ଡିତ ଏକ ଭୌଗୋଳିକ ପରିପାଟୀ ଓ ପରିବେଶ । ଯେମିତି ଜଗନ୍ନାଥ କହିଲେ ଆମେ ବୁଝୁ ଏକ ଦେବତା ଏବଂ ଧାର୍ମିକ ଭାବନାର ବହୁମୁଖୀ ସମାବେଶ । ଭାରତୀୟ ମାନଚିତ୍ରରେ ଓଡ଼ିଶାର ଐତିହାସିକ ସ୍ଥିତି ଅପେକ୍ଷା ଜଗନ୍ନାଥଙ୍କ ଅବସ୍ଥିତି ଅଧିକ ଗୁରୁତ୍ଵପୂର୍ଣ । କାରଣ ସ୍ପଷ୍ଟ, ଜଗନ୍ନାଥ ହିଁ ଓଡ଼ିଶାର ସ୍ଵତ୍ଵ- ସଂପତ୍ତି ଯାହାକୁ ନେଇ ଓଡ଼ିଶା, ଭାରତୀୟ ଚିନ୍ତାଧାରାକୁ ତା’ର ନିଜସ୍ୱ ଶୈଳୀରେ ଉପସ୍ଥାପିତ କରିଛି ।
ଭାରତୀୟ ସଂସ୍କୃତିରେ ମୁଖ୍ୟତଃ ଦ୍ରାବିଡ଼ ଆର୍ଯ୍ୟ ଓ ମଙ୍ଗୋଲୀୟ ସଂସ୍କୃତିର ସୁସ୍ପଷ୍ଟ ସଙ୍ଗମ ହୋଇଛି । ଏସମସ୍ତ ମିଶି ହିନ୍ଦୁତ୍ଵର କଥା ଆସିଛି । ଯାହା ଭାରତୀୟ ପରିସର ମଧ୍ୟରେ ପରିପୁଷ୍ଟ ତାହା ହିନ୍ଦୁତ୍ୱର ପରିପୂରକ । ଭାରତ କହିଲେ ଗୋଟିଏ ଭୌଗୋଳିକ ଅସ୍ତିତ୍ଵକୁ ବୁଝାଏ ଏବଂ ହିନ୍ଦୁ କହିଲେ ଏହି ଭୂଖଣ୍ଡରେ ସମ୍ମିଳିତ ଜୀବନଯାତ୍ରାକୁ ବୁଝାଏ। ସେହିପରି ଜଗନ୍ନାଥ କହିଲେ ଯଦିଓ ଗୋଟିଏ ଧାର୍ମିକ ବିଶ୍ଵାସର ପ୍ରତୀକକୁ ବୁଝାଏ ତାସତ୍ତ୍ବେ ଏହା ଏକ ବିଚାର ଧାରା ଯାହା ସାମାଜିକ ଆଚରଣ ପଦ୍ଧତିକୁ ବୁଝାଏ। ଭାରତ ଓ ଜଗନ୍ନାଥ ସମାନ ଭାବରେ ବିଶ୍ଵମୁଖୀ ମାନବବାଦର ପ୍ରବର୍ତ୍ତକ। ଏହା ଦେବତ୍ୱ ଆଡ଼କୁ ମାନବତାର ଯାତ୍ରାପଥ। ଆକୁମାରୀ କାଶ୍ମୀର ବିସ୍ତୃତ ଭାରତରେ ସବୁ ପ୍ରାନ୍ତରୁ ଜଗନ୍ନାଥ ଯାତ୍ରୀମାନଙ୍କର ସମାଗମ ହୁଏ । ଭାରତୀୟ ସଂସ୍କୃତିର ବିବର୍ତ୍ତନ, ଆବର୍ତ୍ତନ ଓ ଉଦବର୍ତ୍ତନ ଯେମିତି ନିରବଚ୍ଛିନ୍ନ ସେମିତି ଜଗନ୍ନାଥଙ୍କର ଆବିର୍ଭାବ, ଅଭିବୃଦ୍ଧି ଏବଂ ଆଭିମୁଖ୍ୟ ଅପ୍ରତିହତ। ଭାରତୀୟ ସଂସ୍କୃତିରେ ଆଦର୍ଶ, ମୂଲ୍ୟବୋଧ, ବାସ୍ତବତା, ହେତୁବାଦ, ଭାବବାଦ ଯେମିତି ସମନ୍ବିତ ସେମିତି ଜଗନ୍ନାଥ, ସଂସ୍କୃତିରେ ଅଲୌକିକ ଶକ୍ତିମରା ଓ ଲୌକିକ ସ୍ଵାଭାବିକତା ସଂଯୋଜିତ। ଭାରତୀୟ ଜାତୀୟ ସଂହତିରେ ଜଗନ୍ନାଥଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ମିଳନପୀଠ ଭାବରେ ଜଗନ୍ନାଥଧାମ ହଜାର ହଜାର ବର୍ଷ ଧରି ପ୍ରତିଷ୍ଠା ଲାଭକରି ପାରିଛି। ବେଦ, ରାମାୟଣ, ମହାଭାରତ ଯୁଗଠାରୁ ଆରମ୍ଭକରି ମୋଗଲ, ମରହଟ୍ଟା, ଇଂରେଜଯୁଗ ପର୍ଯ୍ୟନ୍ତ ଭାରତୀୟ ଭୂଖଣ୍ଡ ଭାବରେ ଓଡ଼ିଶା ଜଗନ୍ନାଥଙ୍କୁ ନେଇ ମହାଭାରତୀୟ ସ୍ୱୀକୃତି ଓ ସଂପ୍ରୀତି ଲାଭ କରି ପାରିଛି। ଭାରତୀୟ ଚତୁର୍ଦ୍ଧାମ ମଧ୍ଯରୁ ଜଗନ୍ନାଥଧାମ ଅନ୍ୟତମ । ଦକ୍ଷିଣରେ ରାମେଶ୍ଵର, ପଶ୍ଚିମରେ ଦ୍ଵାରକା,
ଉତ୍ତରରେ କାଶୀ ବିଶ୍ଵନାଥ ବା ବଦ୍ରୀନାଥ ଏବଂ ପୂର୍ବରେ ଜଗନ୍ନାଥ – ଏହିପରି ଚତୁର୍ଦ୍ଦିଗ, ଚତୁର୍ମୁଖ, ଚତୁର୍ହସ୍ତ ବିଶିଷ୍ଟ ଭାରତୀୟ ପ୍ରାଚୀନ ସଂସ୍କୃତିରେ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଚତୁରାକ୍ଷର, ଚତୁର୍ଦ୍ଧାର ବିଶିଷ୍ଟ ବିଶାଳ ରସାଳ, କଳା ଭାସ୍କର୍ଯ୍ୟମଣ୍ଡିତ ଶ୍ରୀମନ୍ଦିର ଏବଂ ଭିନ୍ନ ଭିନ୍ନ ଋତୁପର୍ଯ୍ୟାୟରେ ପର୍ବପର୍ବାଣୀ ବିଶେଷକରି ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଅନୁଷ୍ଠିତ ପ୍ରତିବର୍ଷ ରଥଯାତ୍ରାରେ ଭାରତୀୟ ସଂସ୍କୃତିର ଏକାତ୍ମତା ଓ ଅଖଣ୍ଡତା ପ୍ରତିପାଦିତ କରିଆସିଛି ।
ଜଗନ୍ନାଥ ଓ ଭାରତ ଉଭୟ ଯେପରି ଯୁଗଯୁଗଧରି ପରସ୍ପର ପ୍ରତି ଚୁକ୍ତିବଦ୍ଧ । ସବୁ ଭାରତୀୟ ଭାଷା, ଜାତି, ବର୍ଣ୍ଣ ଓ ବିଶ୍ଵାସର ମନୀଷୀ ଓ ସନ୍ଥମାନେ ଜଗନ୍ନାଥଧାମକୁ ଆସି ସେମାନଙ୍କର ସିଦ୍ଧାନ୍ତ ପ୍ରଚାର କରିଯାଇଛନ୍ତି । ଜଗନ୍ନାଥଙ୍କୁ କେନ୍ଦ୍ରକରି ତକ୍ଷଶିଳା ଓ ନାଳନ୍ଦା ଭଳି ଏକ ଅତିଉନ୍ନତ ବୈଜ୍ଞାନିକ ପ୍ରୟୋଗଶାଳା ଯେପରି ଗୋଟିଏ ବିଶ୍ଵବିଦ୍ୟାଳୟର ସ୍ଵାଭାବିକ ସ୍ଥାନ ଗ୍ରହଣ କରି ଆସିଛି । ବୌଦ୍ଧ ସଂସ୍କୃତି, ଜୈନ ସଂସ୍କୃତି, ଶୈବ, ବୈଷ୍ଣବ, ଗାଣପତ୍ୟ, ସୌର ଇତ୍ୟାଦି ସକଳ ସଂସ୍କୃତିର ପ୍ରତିନିଧିତ୍ୱ କରନ୍ତି ଜଗନ୍ନାଥ । ଆଚାର୍ଯ୍ୟ ଆଦି ଶଙ୍କର, ରାମାନୁଜ, ଚୈତନ୍ୟ, କବୀର, ନାନକ ପ୍ରମୁଖ ବହୁ ସିଦ୍ଧ ସାଧକ ଅବତାରୀ ପୁରୁଷଙ୍କର ସ୍ମୃତିଧନ୍ୟ ଆଲେଖ୍ୟରେ ଜଗନ୍ନାଥ ସଂସ୍କୃତି ଭାରତୀୟ ଆଧ୍ୟାତ୍ମିକତାକୁ ଉଦ୍ଦୀପିତ କରି ଆସିଛି । ଏହାର ଭିତ୍ତିଭୂମି ଓଡ଼ିଶାର ପଞ୍ଚସଖା ଯୁଗ (ଅଚ୍ୟୁତ ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ) କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତୀୟ ରାଜନୈତିକ ବାତାବରଣରେ ଜଗନ୍ନାଥଙ୍କର ମଧ୍ୟ କିଛି କିଛି ଅଂଶ ରହିଛି । କେବଳ ବୈଦେଶିକ ଆକ୍ରମଣକାରୀଙ୍କ କବଳରୁ ଜଗନ୍ନାଥଙ୍କୁ ରକ୍ଷା କରିବାପାଇଁ କିଛି ପ୍ରତିରକ୍ଷା ବ୍ୟବସ୍ଥା ଅନୁସୃତ ହୋଇଛି ଠିକ୍ ଭାରତୀୟ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏକପ୍ରକାର ଗୃହୀତ ବାସ୍ତବତା ଯାହାକୁ ଭୁଲ ବୁଝିବା ଠିକ୍ ନୁହେଁ।
ଓଡ଼ିଶାର ରାଜବଂଶ ଏବଂ କେତେକ ଅନ୍ୟ ରାଜ୍ୟର ରାଜା ଓ ସମ୍ଭ୍ରାନ୍ତ ଶ୍ରେଣୀ ଜଗନ୍ନାଥଙ୍କ ପାଇଁ ସୁରକ୍ଷା ଓ ପରିଚାଳନା ପାଇଁ ବିପୁଳ ସଂପତ୍ତିର ବ୍ୟବସ୍ଥା କରି ଯାଇଛନ୍ତି । ଇତିହାସରେ ବରଂ ଦେଖାଯାଇଛି ଭାରତବର୍ଷ ତା’ର ସ୍ଵାଧୀନତା ହରାଇଛି, ସାଂସ୍କୃତିକ, ଅବକ୍ଷୟର ଶିକାର ହୋଇଛି କିନ୍ତୁ ଜଗନ୍ନାଥ ସଂସ୍କୃତିର ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରହିଛି। “ଜଗନ୍ନାଥ ଇଷ୍ଟେଟ୍’’ ଗୋଟିଏ ସ୍ଵୟଂ ଶାସିତ ସଂସ୍ଥା। ଏଥିରେ ରାଜନୈତିକ ହସ୍ତକ୍ଷେପ ହୁଏ ନାହିଁ ବରଂ ପୃଷ୍ଠପୋଷକତା ରହେ। ଭାରତୀୟ ସଂସ୍କୃତି ଯେତେବେଳେ ଛିନ୍ନ ବିଚ୍ଛିନ୍ନ ଓ ଅଧୋଗତି ଲାଭ କରିଛି ସେତେବେଳେ ଜଗନ୍ନାଥ ସଂସ୍କୃତି ସମସ୍ତ ରାଜନୈତିକ– ସଂଘର୍ଷ, ବିଦ୍ବେଷ ଓ ବିତ୍ପାତ ମଧ୍ୟଦେଇ ଏହାର ସେବକ ପଣ୍ଡା, ପ୍ରତିହାରୀ ଓ ନିୟୋଗ ମଣ୍ଡଳୀଙ୍କଦ୍ଵାରା ଭାରତୀୟ ସାଂସ୍କୃତିକ ଉତ୍କର୍ଷ ବଜାୟ ରଖୁପାରିଛି । ଜଗନ୍ନାଥଙ୍କ ମୁଖ୍ୟ
ସେବକଭାବେ ଗଜପତି ବଂଶୋଦ୍ଭବ ରାଜାମାନେ ପରମ୍ପରାକ୍ରମେ ଜଗନ୍ନାଥଙ୍କୁ ଆଶ୍ରୟ କରି ଅନ୍ୟାନ୍ୟ ରାଜନ୍ୟମଣ୍ଡଳୀଙ୍କ ମଧ୍ୟରେ ଶ୍ରେଷ୍ଠତ୍ୱ ଦାବି କରନ୍ତି । ସେଥିପାଇଁ କୁହାଯାଏ -“ ଲକ୍ଷେ ରାଜାର ମଉଡ଼ମଣି ଠାକୁରରାଜା ବା ଗଜପତି’ । ଏ ରାଜା ଜଗନ୍ନାଥଙ୍କ ପ୍ରତିନିଧି। -ସମସ୍ତ ସେବା, ପୂଜା ଓ ପର୍ବପର୍ବାଣୀରେ ଏହି ଠାକୁର ରାଜାଙ୍କର ସ୍ଥିତି ଜଗନ୍ନାଥ ସର୍ବସ୍ୱ। ଏହାଙ୍କର ସ୍ଵତନ୍ତ୍ର ରାଜ୍ୟ ନାହିଁ। ରାଜତ୍ଵ ମଧ୍ୟ ନାହିଁ। କେବଳ ଜଗନ୍ନାଥ ସମ୍ପର୍କିତ ଓ ସମସ୍ତ କାର୍ଯ୍ୟକ୍ରମରେ ଏହାଙ୍କର ଭୂମିକା ସୁନିର୍ଦ୍ଦିଷ୍ଟ। ଭାରତବର୍ଷରୁ “ରାଜା’’ ଉପାଧିର ସମାଧି ହୋଇଛି। କିନ୍ତୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଠାକୁର ରାଜା ଗଜପତି ଆଜିମଧ୍ୟ ସମ୍ରାଟ୍ଙ୍କ ଭଳି ସମ୍ମାନିତ।
ବର୍ତ୍ତମାନ ଲକ୍ଷ୍ୟକଲେ ଜଣାଯାଏ ଯେ, ଭାରତୀୟ ସଂସ୍କୃତି ବିକୃତ, ବିକଳ ଏବଂ ଏକ ଐତିହାସିକ ଦଲିଲ ଭାବରେ ସ୍ଥାନିତ ହେଲାବେଳେ, ଜଗନ୍ନାଥ ସଂସ୍କୃତି ସମସ୍ତ କାଳ ପ୍ରବାହକୁ ଅତିକ୍ରମ କରି ଅକ୍ଷୟ, ଅଖଣ୍ଡ ଏବଂ ଶାଶ୍ୱତ ଭାବମୂର୍ତ୍ତି ରେ ପ୍ରତିଷ୍ଠିତ । ଭାରତବର୍ଷରୁ ବହୁ ଧର୍ମର ଉଦ୍ଗମ, ଅଭିବୃଦ୍ଧି ଓ ବିଲୟ ଘଟିଛି କିନ୍ତୁ ଜଗନ୍ନାଥ ସଂସ୍କୃତିର ଧର୍ମ ଏତେ ସୁଗଭୀର ଓ ସୁଦୃଢ଼ ଯେ ଏହା ଧୀରେ ଧୀରେ ଭାରତର ଭୂଗୋଳକୁ ଅତିକ୍ରମ କରି ଭାରତୀୟ ସଂସ୍କୃତିର ବିଶେଷତ୍ଵ ପ୍ରେମ, ମୈତ୍ରୀ ଓ ଅଖଣ୍ଡତାର ଜୟଯାତ୍ରା ରଚନା କରି ଚାଲିଛି । ଜଗନ୍ନାଥ ରଥଯାତ୍ରା ଏହାର ପ୍ରତ୍ୟକ୍ଷ ଦୃଷ୍ଟାନ୍ତ । ଏପରି ଏକ ଗଣକେନ୍ଦ୍ରିତ ଗଣମାଧ୍ୟମ, ମାଦଳାପାଞ୍ଜି ଯୁଗରୁ ବର୍ତ୍ତମାନ ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ ବିଶ୍ଵ ପ୍ରସାରୀ ହୋଇ ପାରିଛି । ଏହା ପରମ ସୌଭାଗ୍ୟର ବିଷୟ ।
ଆଜିର ଭାରତ ବିଭାଜିତ । ଭାଷା, ଜାତି, ଧର୍ମ ଗୋଷ୍ଠୀ ଇତ୍ୟାଦିକୁ ନେଇ ଦେଶବ୍ୟାପୀ କ୍ରମାଗତ ଅଶାନ୍ତି ଉପଦ୍ରବ, ଉତ୍ତେଜନା, ହତ୍ୟା, ଲୁଣ୍ଡନ, ସନ୍ତ୍ରାସବାଦ ବଳବତ୍ତର ରହିଥିଲାବେଳେ ଭାରତୀୟ ସଂସ୍କୃତିର ବିଶ୍ଵଜନୀନ ଆଦର୍ଶ ଅଭିଳାଷକୁ ଜଗନ୍ନାଥ ସଂସ୍କୃତି ହିଁ ପ୍ରମୂର୍ଭ କରିପାରିଛି । ଭାରତୀୟ-ପୁନର୍ଜାଗରଣରେ ଜଗନ୍ନାଥ ସଂସ୍କୃତିର ଅବଦାନ ଅମଳିନ ରହିଛି । ଓଡ଼ିଶାପାଇଁ ଏହା ଗୌରବର ପରିଚୟ ପତ୍ର । ଜଗନ୍ନାଥଙ୍କ ମଧ୍ୟରେ ଗୋଟିଏ ଅଖଣ୍ଡ ଓ ସମୃଦ୍ଧ ଭାରତବର୍ଷର ମାନଚିତ୍ର ଭାସିଉଠେ, ଶ୍ରୀମନ୍ଦିର-ଶ୍ରୀକ୍ଷେତ୍ର ଏହାର ଭିତ୍ତିଭୂମି।
ସଂଗୃହିତ
Leave a Reply