ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ
ଭୁବନେଶ୍ବର: ମହିଳା ବିଜେଡିର ପ୍ରତିବାଦ। ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ନାରାବାଜି। ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ନିର୍ଯାତନାର ପ୍ରତିବାଦ। ଗତ ୧ ବର୍ଷରେ ବଢିଛି ମହିଳା ନିର୍ଯାତନା । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି । ଲେଖାଶ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ।
ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ୱାଧୀନ ତଦନ୍ତ ଦାବିରେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି ପ୍ରତିନିଧି । କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଵି ମାମଲା ରୁଜୁ ହୋଇଛି । ତେବେ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ସରକାର ଏ ଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନାହାନ୍ତି ଯାହାକୁ ନିନ୍ଦା କରି ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି ।
ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜୁ ଜନତା ଦଳ । ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବା ବିଜେଡି ଅଭିଯୋଗ କରିଛି । ବିଜୁ ପଟ୍ଟନାୟକ ମହିଳାଙ୍କ ଅଧିକାର ପାଇଁ ଲଢ଼ିଥିଲେ । ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଇଥିଲେ । ଲେଖାଶ୍ରୀ ମଧ୍ୟ ନିଜ ସୁରକ୍ଷା ଦାବି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଚାର କରିବେ ବୋଲି କହିଛନ୍ତି ।
ନୀଳଗିରି ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆଙ୍କ ହାତୀ ଶୀକାର ଓ ହାତୀ ଦାନ୍ତ ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗ କରିବାରୁ ବିଜେଡି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ସେ ଦେଇଥିବା କୁତ୍ସିତ ଓ ନିମ୍ନରୁଚିର ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ସମଗ୍ର ନାରୀ ଜାତି ନିକଟରେ ଶ୍ରୀ ଖଟୁଆ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବନ ବିଭାଗ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରୁ ହାତୀ ଦାନ୍ତ ଚୋରଙ୍କୁ ଧରିବା ବାବଦରେ ଗତକାଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଓ ଶାସକ ଦଳର ବିଧାୟକ ହୋଇଥିବାରୁ ଏଭଳି ସ୍ପର୍ଶକାତର ମାମଲାରେ ସଂପୃକ୍ତି ଥିଲେ ମଧ୍ୟ ବନ ବିଭାଗ ଶ୍ରୀ ଖଟୁଆଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ଖଟୁଆ, ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅତ୍ୟନ୍ତ ଘୃଣ୍ୟ, କୁତ୍ସିତ, ଅପମାନଜନକ ଓ ନିମ୍ନ ରୁଚିର ଭାଷା ପ୍ରୟୋଗ କରିଛନ୍ତି। ଜଣେ ମହିଳାର ମୁହଁକୁ ଆଧାର କରି ଯଦି ନକାରାତ୍ମକ ଟିପ୍ପଣୀ ଦିଆଯାଏ ତାହା କେବେହେଲେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ବିଜେପି ଦଳରେ ମଧ୍ୟ ମହିଳା ନେତ୍ରୀ ତଥା ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି। ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ଯେ, ଭିନ୍ନ ଚିନ୍ତାଧାରାର ଦଳ କହୁଥିବା ବିଜେପି, ମହିଳାମାନଙ୍କ ପ୍ରତି ଏଭଳି ଭାଷା ପ୍ରୟୋଗ କରିବା ପାଇଁ ତା’ର ବିଧାୟକମାନଙ୍କୁ କ’ଣ ଏଭଳି ତାଲିମ ଦେଇଛି କି?
ଶ୍ରୀମତି ମଲ୍ଲିକ ଆହୁରି କହିଥିଲେ ଯେ, ମହିଳାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ରାଜନୀତିରେ ସାମିଲ ହେବା ପାଇ ପ୍ରବାଦ ପୁୁରୁଷ ବିଜୁ ବାବୁ ଯେଉଁ ଧାରା ଆରମ୍ଭ କରିଥିଲେ, ସେହି ଧାରାକୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ନେଇ ଆତ୍ମସମ୍ମାନର ସହ ମହିଳାମାନେ ସମାଜରେ ଛିଡା ହେବା ପାଇଁ ଅନେକ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ଯାହା ଜଣାପଡୁଛି ବିଜେପି ସରକାରକୁ ଆସିଲା ପରେ ଚାହୁଁଛି ମହିଳାମାନେ ରାଜନୀତିଙ୍କୁ ନ ଆସନ୍ତୁ। ବିଧାୟକ ଶ୍ରୀ ଖଟୁଆଙ୍କ କୁତ୍ସିତ ମନ୍ତବ୍ୟ ତାଙ୍କ ରୁଗ୍ଣ ମାନସିକତାର ପରିଚୟ ଓ ଏହା ସମଗ୍ର ନାରୀ ଜାତି ପ୍ରତି ଅପମାନ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ଦଳ ନାରୀ ଜାତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ।
Leave a Reply