ବାଲେଶ୍ବରରେ ‘ମୁଁ ଓଡିଆ’ ପ୍ରତିଷ୍ଠାନର ଜିଲାସ୍ତରୀୟ କମିଟି ଗଠିତ
ବାଲେଶ୍ଵର –(ଦର୍ଶନ ସମୀକ୍ଷା) ‘ମୁଁ ଓଡ଼ିଆ ମୋ ଭାଷା ବଢିଆ’। ମୋ ମାଆ , ମାଟି , ମାତୃଭାଷା ସବୁଠାରୁ ମହାନ। ଲୋକ ଭାଷା, ଲୋକ ସାହିତ୍ୟ , ପୁରାଣ ଶାସ୍ତ୍ରର ଗାଥା ଏବଂ କିମ୍ବଦନ୍ତୀ ତଥା ମହାପୁରୁଷଙ୍କ ଜୀବନୀ ବ୍ୟକ୍ତିର ବ୍ୟକ୍ରିତ୍ୱକୁ ବିକଶିତ କରାଏ। ଯେତେ ଭାଷା ଅଛି ଏ ବିଶ୍ୱରେ, ଯେତେ ଶବ୍ଦ ଅଛି ହୃଦୟରେ, ଯେତେ କଥା ଅଛି ଭାବନାରେ ସବୁଠାରୁ ବଢିଆ ମୋ ଭାଷା ଓଡ଼ିଆ। ଯେତେ ଦେବତା ଅଛନ୍ତି ତିନି ବ୍ରହ୍ମାଣ୍ଡରେ ସବୁଠାରୁ ଶ୍ରେଷ୍ଠ ମୋ ଜଗା କାଳିଆ। ଏହି ଶବ୍ଦ ଆଜି ପ୍ରତ୍ୟେକ ଓଡ଼ିଆଙ୍କର ଜୀବନରେ ଏକମାତ୍ର ଧ୍ୟେୟ ହେବା ଉଚିତ୍। ତେବେ ଯାଇ ଓଡ଼ିଶା ରାଜ୍ୟ ଗଠନରେ ଶ୍ରମଦାନ କରିଥିବା, ଏ ଜାତିକୁ ସମଗ୍ର ବିଶ୍ୱରେ ବଳିଷ୍ଠ ଯୋଦ୍ଧାର ପରିଚୟ ଦେଇଥିବା ମହାପୁରୁଷମାନଙ୍କର ସ୍ୱପ୍ନ ସାକାର ହେବା ସହିତ ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ମହିମା ବିଶ୍ୱବିଦିତ ହୋଇପାରିବ।

ଦେଶ ତଥା ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆମାନେ ସ୍ୱାଭିମାନରେ କହିବେ ‘ମୁଁ ଓଡ଼ିଆ ମୋ ଭାଷା ବଢିଆ’।ବିଶ୍ୱର କୋଣାନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏଭଳି ଏକ ଅନୁଷ୍ଠାନର ଛତ୍ରଛାୟା ତଳେ ଏକାନ୍ତ କାୟମନୋବାକ୍ୟରେ ଏକ ହୋଇ ରହିଲେ ଓଡିଆ ଭାଷା ସମୃଦ୍ଧ ହୋଇପାରିବ ବୋଲି ଆଜି ବାଲେଶ୍ଵର ମିର୍ଜା ପୋଖରୀ ନିକଟସ୍ଥ ରାମକୃଷ୍ଣ ମଠରେ ‘ମୁଁ ଓଡ଼ିଆ’ ଅନୁଷ୍ଠାନର ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର ମତବ୍ୟକ୍ତ କରିଛନ୍ତି। ଆଦର୍ଶ ଛାତ୍ରୀ ଅଲିଭା ପୁଥାଳ ସଭାରମ୍ଭରେ ଅତିଥିମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିବା ବେଳେ ଯୁବ ସଂଗଠକ ତଥା ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଅଧ୍ୟାପକ ମନୋରଞ୍ଜନ ବାରିକ ମୁଁ ଓଡ଼ିଆ ପ୍ରତିଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସ୍ଵାଗତ ବକ୍ତବ୍ୟ ପ୍ରଦାନ ପୂର୍ବକ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଯୁବକବି ତଥା ସାହିତ୍ୟିକ ମଧୁସୂଦନ ମିଶ୍ରଙ୍କ ସଂଯୋଜନାରେ ବିଶିଷ୍ଟ କଥାକାର ତଥା ସଂଗଠକ ଶିରୀଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଏବଂ ‘ମୁଁ ଓଡ଼ିଆ ‘ ପ୍ରତିଷ୍ଠାନର ଭଦ୍ରକ ଜିଲ୍ଲା ସଭାପତି ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ସମାଜ ପାଇଁ ଏଭଳି ଅନୁଷ୍ଠାନ ଗଠନର ଆବଶ୍ୟକତା ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଆଦର୍ଶ ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଶ୍ରୀମତୀ ଝରଣା ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ ସର୍ଵଶ୍ରୀ ରତ୍ନାକର ସିଂହ, ଶାନ୍ତିସ୍ୱରୂପ ମିଶ୍ର, ଶାନ୍ତନୁ କୁମାର ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ରାୟ, ପଦ୍ମଲୋଚନ ଲେଙ୍କା, ପ୍ରତିମା ପଣ୍ଡା, ମୋନାଲିସା ପ୍ରଧାନ, ତୃପ୍ତିରାଣୀ ପାତ୍ର , ଅଶୋକ ଚନ୍ଦ୍ର ଦାସ, ଆଜମି ବାଲେଶ୍ଵରୀ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ବିଶ୍ଵର ସର୍ବ ପ୍ରାଚୀନ ଭାଷା ବୋଲି ନିଜ ନିଜର ଯୁକ୍ତିମୂଳକ ବକ୍ତବ୍ୟ ରଖିଥିଲେ ଏବଂ ଆନ୍ତର୍ଜାତୀୟ ସ୍ତରରେ ‘ମୁଁ ଓଡ଼ିଆ’ ନାମକ ଏକ ସଂଗଠନ ପ୍ରତିଷ୍ଠା ହୋଇ ବାଲେଶ୍ଵରରେ ଜିଲ୍ଲା ସ୍ତରୀୟ କେନ୍ଦ୍ରୀୟ କମିଟି ଗଠନ ହୋଇଥିବାରୁ ଏହାର ପ୍ରତିଷ୍ଠାତା ଉତ୍କଳ ମାଟି ମାଆର ସନ୍ତାନ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଦିପାଲି ନାୟକ, ଶ୍ରଦ୍ଧାଞ୍ଜଳି ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ବେହେରା, ଦେବାଶିଷ ସିଂହ, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ନିରୋଦ କୁମାର ସାହୁ, ସୁବାଷ ସ୍ବାଇଁ, କଳ୍ପନା ପୁଥାଳ , ପ୍ରଜ୍ଞା ପାରମିତା ବିଶ୍ଵାଳ, ପ୍ରଭାକର ସାହୁ ଗୋସ୍ୱାମୀ ଆରୁପାନନ୍ଦ ଦାସ ଏବଂ ବାଲେଶ୍ବର ଜିଲ୍ଲାର ଅନେକ ବୁଦ୍ଧିଜୀବୀ ତଥା ସାହିତ୍ୟିକ ଯୋଗ ଦେଇ ମୁଁ ଓଡ଼ିଆ ପ୍ରତିଷ୍ଠାନ ଉପରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ଅତିଥି ଏବଂ ମନୋନୀତ କେନ୍ଦ୍ରୀୟ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଅନୁଷ୍ଠାନର ପ୍ରତିଷ୍ଠାତା ପଣ୍ଡିତ ଦୈତ୍ୟାରି ମହାପାତ୍ର କହିଥିଲେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ‘ମୁଁ ଓଡ଼ିଆ’ ପକ୍ଷରୁ ଜିଲାସ୍ତରୀୟ କମିଟି ଗଠନ କରାଯାଇ ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ରାଜ୍ୟରେ ରାଜ୍ୟସ୍ତରୀୟ ‘ମୁଁ ଓଡ଼ିଆ’ କମିଟି ଗଠନ କରାଯିବ। ଶେଷରେ ବିଶିଷ୍ଟ ସମାଜସେବୀ ତଥା ସଂଗଠନର ଆୟୋଜକ ରଣଜିତ୍ କୁମାର ବେହେରା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା।
Leave a Reply