Spread the love

ବାରବାଟୀ ଷ୍ଟାଡିୟମ ଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଷ୍ଟାଡିୟମର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

             କଟକ - ଆଜି ଅପରାହ୍ନରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ରୂପାନ୍ତରିକରଣ ଏବଂ ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବାରବାଟୀ ଷ୍ଟାଡିୟମକୁ ଅଷ୍ଟ୍ରେଲିଆ ଢାଞ୍ଚାରେ ଗଠନ କରାଯିବ । ଏଥିପାଇଁ ଆଜି ବାରବାଟୀ ଷ୍ଟାଡିୟମ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାଷୀ ମାଧ୍ୟମରେ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୩୦ ଟି ଜିଲ୍ଲା ପାଇଁ ୪୧ ଟି କ୍ରିକେଟ ଏକାଡେମିର ଶୁଭ ଉଦଘାଟନ କରିଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ।  ଅପରାହ୍ନରୁ  ରାତି ୯ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କର ଏବଂ ତାଙ୍କ ଗ୍ରୁପ୍ ସଙ୍ଗୀତ ପରିବେଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଇରଫାନ୍ ପଠାନ୍ ଓ ଦୀନେଶ ମଙ୍ଗୋଲିଆଙ୍କ ସହ ଓଡ଼ିଶାର ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, ଶିବ ସୁନ୍ଦର ଦାଉ, ସଞ୍ଜୟ ରାଉଳ, ସ୍ୱାଗତିକା ରଥ, ମାଧୁରୀ ମେହେଟା ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଓଡ଼ିଶା ସରକାରଙ୍କର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନୀଥ୍ କ୍ରିଷ୍ଣା, ଆଇ.ପି.ଏଲ.ର ଅଧ୍ୟକ୍ଷ ଅନୁପ ସିଂ ଧୁମଲ୍, କ୍ରିକେଟ ଆସୋସିଏସନ୍ ର ସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଉପସ୍ଥିତ ଥିଲେ । ଓଡ଼ିଶାର ସ୍ୱୟଂ ପାଢ଼ୀ, ଦୀପ୍ତିରେଖା ପାଢ଼ୀ ଓ ପ୍ରଜ୍ଞାନ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହାବ୍ୟତୀତ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସରକାରଙ୍କର 5T ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ । ଏହି ଅବସରରେ ଉଭୟ ସଂଘର ପ୍ରାକ୍ତନ ସମ୍ପାଦକ ଆଶୀର୍ବାଦ ବେହେରା, ବରିଷ୍ଠ କ୍ରୀଡା ସଙ୍ଗଠକ ଶ୍ରଦ୍ଧାନନ୍ଦ ଦାସ ଓ ଅଦୀପ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *