ବାପା… ତୁମେ ସାହସ, ଧୈର୍ଯ୍ୟ, ତୁମେ ମୋ ସଫଳତାର ସମୁଦ୍ର……
ବାପା… ଏହା ନାଁ ନୁହେଁ ଏହା ହେଉଛି ଆମ ସାହସ, ଧୈର୍ଯ୍ୟ ଆଉ ସଫଳତା । କୁହାଯାଏ ବାପା ଥିଲେ ପୁଅ ସଭାରେ ହାରେନା, ବାପା ଥିଲେ ପିଲାଙ୍କ ସ୍ୱପ୍ନ ଭାଙ୍ଗେନା । ବାପା ହିଁ ପିଲାଙ୍କ ପାଇଁ ଆଶାର ଆକାଶ, ବାପା ହିଁ ପିଲାଙ୍କ ସାହସର ସମୁଦ୍ର । ଆଉ ପିଲାଙ୍କ ପାଇଁ ଏ ଦୁନିଆର ପ୍ରଥମ ପରିଚୟ ବାପା…
ଗୋଟେ ପାହାଡ଼ରୁ ବି ଉଚ୍ଚା ବାପାଙ୍କ ମହାନତା ।
ଦୁଃଖ ଯେତେ ବି ଆସୁ ସବୁ ଯନ୍ତ୍ରଣାକୁ ପିଠି ଦେଖେଇ ସେ ସହି ନିଅନ୍ତି । କଷ୍ଟ କଣ ସେ ପିଲାଙ୍କୁ ଅନୁଭବ କରିବାକୁ ଦେଇନଥାଆନ୍ତି । ପିଲାଙ୍କ ଖୁସି ପାଇଁ ବାପା ନିଜ ଖୁସିର ବଳିଦାନ ଦେଇଦିଅନ୍ତି । ସବୁ ବାପାଙ୍କ ଇଚ୍ଛା ଥାଏ ତାଙ୍କ ପିଲା ଏ ଦୁନିଆର ସବୁଠାରୁ ସଫଳ ମଣିଷ ହେଉ । ସେଥିପାଇଁ ତ ପିଲା ଯାହା ବି ସ୍ୱପ୍ନ ଦେଖନ୍ତୁ ବାପା ଇନ୍ଧନ ହୋଇ ତାକୁ ପୂରା କରିବାରେ ଲାଗି ପଡ଼ନ୍ତି । ବାପା, ପରିଶ୍ରମ କରୁଥିବା ଜଣେ ସଚ୍ଚୋଟ ମଣିଷ । ଆମ ଅଭାବକୁ ପୂରା କରୁଥିବା ଏକ ବଡ଼ ଦୋକାନ ।
ନିଜେ ସାଇକେଲ ଚଲାଇ ଆମକୁ ଯିଏ ବାଇକ ଦିଅନ୍ତି, ନିଜେ ଛିଣ୍ଡା ଚପଲ ପିନ୍ଧି ଆମକୁ ଯିଏ ଜୋତା ପିନ୍ଧାନ୍ତି ଆଉ ଯିଏ ନିଜେ ପଖାଳ ଖାଇ ଆମକୁ ବିରିୟାନି ଦିଅନ୍ତି, ସେ ହିଁ ତ ବାପା । ଦିନ ରାତି ପରିଶ୍ରମ କରି ଆମ ଅସଜଡ଼ା ଭବିଷ୍ୟତକୁ ସେ ସଜାଡ଼ି ଦିଅନ୍ତି । ଦୁଃଖ, କଷ୍ଟ, ଅଭାବରୁ ସେ ଆମକୁ ବହୁ ଦୂରରେ ରଖନ୍ତି । ସବୁ କଷ୍ଟକୁ ଛାତି ଚାପି, ଅଜସ୍ର ଲୁହକୁ ସେ ଏକା ଏକା ପିଇଦିଅନ୍ତି । ବାପାଙ୍କ ବିନା ଏ ସଂସାରର ସବୁ କିଛି ବ୍ୟର୍ଥ । ଅସହାୟ, ଗରିବି ଭିତରେ ବି ବାପା ନିଜ ପିଲାଙ୍କୁ ରାଜା, ରାଣୀ ଭଳି ରଖିଥାଆନ୍ତି ।
ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ବାପାଙ୍କଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ପିଲାର ଭବିଷ୍ୟତ ଗଢ଼ିଥାଆନ୍ତି ବାପା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ବାପା ।
ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ । ଚଳିତ ବର୍ଷ ୧୫ ଜୁନ୍ ଅର୍ଥାତ୍ ଆଜିର ଦିନରେ ପିତୃ ଦିବସ ପାଳନ କରାଯାଉଛି । କଷ୍ଟକୁ କାନ୍ଧେଇ ଯେଉଁ ବାପା ଆମ କୁନି କୁନି ପାଦକୁ ବଡ଼ କରିଛନ୍ତି, ଯନ୍ତ୍ରଣାର ଚାବୁକ ଖାଇ ଯିଏ ଆମକୁ ବଡ଼ କରିଛନ୍ତି ତାଙ୍କ ଋଣ କେବେ ବି ଶୁଝି ହେବନି । ସେଥିପାଇଁ ତ ମୋ ବାପା ଏ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ।
Leave a Reply