Spread the love

ବର୍ବର । ବୀଭତ୍ସ । ଅମାନୁଷିକ । ବାଘଠାରୁ ବେଶି ହିଂସ୍ର ହେଲା ମଣିଷ । ବାର୍ହା ଫାଶରେ କଲରାପତରିଆ ଧରିଲେ । ବନ୍ଧୁକରେ ମାରିଲେ । ଛାଲ ଉତାରି ମୁଣ୍ଡକୁ ଟାଙ୍ଗିଦେଲେ ଗଛରେ । ଏହାପରେ ଜଙ୍ଗଲରେ ମାଂସ ପୋଡ଼ି ଖାଇଲେ ।

ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଡୋଙ୍ଗରଗାଁରେ ଦୀର୍ଘ ୧୧ମାସ ତଳେ ଘଟିଥିବା ଏଭଳି ବର୍ବୋରଚିତ ଘଟଣାର ପର୍ଦ୍ଦାଫାଶ ପରେ ପଦାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ

ବାଘ ଶିକାରରେ ସମ୍ପୃକ୍ତ ଶିକାରୀ ପଦୁ ମାଝି ଓ ବୁଟୁରାମ ମାଝିଙ୍କୁ ବନବିଭାଗ ଗିରଫକରି କୋର୍ଟଚାଲାଣ କରିଛି । ନୂଆପଡ଼ାରେ ବାଘ ଆତଙ୍କ ଓ ବାଘ ମଣିଷ ଶିକାର କରିବା ନଜିର ରହିଛି । ହେଲେ ପ୍ରଥମଥର ପାଇଁ ମଣିଷ ବାଘକୁ ମାରି ତା’ ମାଂସ ଖାଇବା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ଗତବର୍ଷ ଅକ୍ଟୋବର ମାସରେ ଡୋଙ୍ଗରଗାଁର ପଦୁ ସିନାପାଲି ରେଞ୍ଜ କୋଇଲାଖଲା ସଂରକ୍ଷିତ ଜଙ୍ଗଲ କଟିଙ୍ଗଝୋଲା ନିକଟରେ ଏକ ବାର୍ହା ଫାଶ ବସାଇଥିଲେ ।

ଏଥିରେ ଫସି ଯାଇଥିଲା ଏକ କଲରାପତରିଆ । ସକାଳେ ପଦୁ ଯାଇ ଦେଖିବା ବେଳକୁ ବାଘ ଛଟପଟ ହେଉଥିଲ ଏ ସମ୍ପର୍କରେ ସେ ବୁଟୁରାମଙ୍କୁ କହିଥିଲେ । ବୁଟୁରାମ ରଖିଥିବା ଦେଶୀ ବନ୍ଧୁକ ଧରି ଉଭୟେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୁଟୁରାମ ବାଘକୁ ଗୁଳି କରିଥିଲା। ଉଭୟେ ମୃତ ବାଘକୁ ଘଞ୍ଚ ଜଙ୍ଗଲକୁ ଘୋଷାଡ଼ି ନେଇ ଛାଲ କାଢ଼ିବା ସହ ମାଂସ ପୋଡ଼ି ଖାଇଥିଲେ । ବାଘର କଟାମୁଣ୍ଡକୁ ଶାଳଗଛରେ ଟାଙ୍ଗି ଦେଇ ଅନ୍ତବୁଜୁଳାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଦୁହେଁ ବାଘଛାଲ ନେଇ ଘରକୁ ଫେରିଥିଲେ । କିଛିଦିନ ପରେ ବାଘଛାଲକୁ ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିଲେ ।

ଗତ ଜୁଲାଇ ୯ରେ ସିନାପାଲି ବନ ବିଭାଗକୁ ବାଘଛାଲ ଚୋରାଚାଲାଣ ସମ୍ପର୍କରେ ସୂଚନା ମିଳିଥିଲା । ଏହି ତଥ୍ୟକୁ ଭିତ୍ତିକରି ସିନାପାଲି ବନବିଭାଗ ତାନ୍ଦୁଲକୋନା ଗାଁରେ ଚଢ଼ଉ କରିଥିଲା । ସେଠାରୁ କଲରାପତରିଆ ବାଘଛାଲ ଜବତ କରିଥିଲା । ଏହି ଘଟଣାରେ ତାନ୍ଦୁଲକୋନା ଖରତ ଛତ୍ରିଆ, ଲକି ମାଝି ଓ ଡୋଙ୍ଗରଗାଁର କିଶୋର କୁମାର ଷଣ୍ଢ ବନ୍ଧା ହୋଇଥିଲେ । ହେଲେ ବାଘଛାଲ କିଣିଥିବା ବ୍ୟକ୍ତି ଚମ୍ପଟ ମାରିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରି ବନବିଭାଗ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା । ବାଘ ଶିକାରୀଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା । ଗତ ଗୁରୁବାର ଖଡ଼ିଆଳ ଡିଏଫ୍ଓ ଅଜିଜ ଖାଁଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ମହମ୍ମଦ ସାଲେହା ଓ ସିନାପାଲି ରେଞ୍ଜର ଜୟଦେବ ମାଝିଙ୍କ ନେତୃତ୍ୱରେ ଏକ ଟିମ ଡୋଙ୍ଗରଗାଁରେ ଚଢ଼ଉକରି ପଦୁ ଓ ବୁଟୁରାମଙ୍କୁ ଗିରଫ କରିଥିଲେ । ଶୁକ୍ରବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ମାଝି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *