ନଂ ୦୨/ପର/ବିଜେଡି/୧୦/୨୦୨୫
ପ୍ରେସ୍ ବିଜ୍ଞପ୍ତି
ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ
ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି
ଆଉଟସୋର୍ସିଂ ମାଧ୍ୟମରେ ଦୁର୍ନୀତି ପାଇଁ ବାଟ ଖୋଲାଯାଇଥିଲା
ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ପଞ୍ଚସଫ୍ଟ ଭଳି ଅନଭିଜ୍ଞ ସଂସ୍ଥାକୁ ଦାୟିତ୍ୱ
ଚାକିରୀ ବିକ୍ରି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ
ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା
ଭୁବନେଶ୍ୱର, ୦୪/୧୦/୨୦୨୫: -=(ଦର୍ଶନ ସମୀକ୍ଷା) ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବିରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି । ପୋଲିସ ବିଭାଗରେ ଏହି ଦୁର୍ନୀତି ହୋଇଥିବା ବେଳେ ପୋଲିସ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ବିଜୁ ଜନତା ଦଳ କହିଛି ।
ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶ୍ନବାଚୀ ହୋଇଛି ବୋଲି କହିଥିଲେ । ଶ୍ରୀ ଘଡେଇ କହିଥିଲେ, ଏହି ନିଯୁକ୍ତି ପରୀକ୍ଷାକୁ କରିବା ପାଇଁ ପ୍ରାଥମିକ ଭାବେ ଆଇଟିଆଇ ସଂସ୍ଥାକୁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ, ଏହା ଦୁଇ ଦୁଇଟି ସଂସ୍ଥାକୁ ଆଉଟସୋର୍ସିଂ କରାଯାଇଥିଲା । ରାଜ୍ୟ ସରକାରଙ୍କ ଆଉଟସୋର୍ସିଂ ନୀତି ସ୍ପଷ୍ଟ ହେବା ଦରକାର । କାହା ନିଦେ୍ର୍ଦଶରେ ଏପରି ଏକ ଅନଭିଜ୍ଞ କମ୍ପାନୀକୁ ଆଉଟସୋର୍ସିିଂ କରାଯାଇଥିଲା । ଏହି ଆଉଟସୋର୍ସିିଂ ମାଧ୍ୟମରେ ଦୁର୍ନୀତି କରିବା ପାଇଁ ବାଟ ତିଆରି କରିଥିଲେ ରାଜ୍ୟ ସରକାର । ଏହି ଘଟଣାରେ, ଓପିଆରବିର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ଗୃହ ବିଭାଗର ସଚିବ ତଦନ୍ତ ପରିସରଭୁକ୍ତ ହେବା ଦରକାର । ରାଜ୍ୟର ହଜାର ହଜାର ଚାକିରୀ ଆଶାୟୀ ଯୁବକ ଆଜି ଏହି ଘଟଣାରେ ହତାଶ ହୋଇଛନ୍ତି । ଏହି ଘଟଣାରେ ପୋଲିସ ଅଧିକାରୀ ମଧ୍ୟ ଅଭିଯୁକ୍ତ ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତରେ ନ୍ୟାୟ ମିଳିବା ନେଇ ସନେ୍ଦହ ରହିଛି । ତେଣୁ, ସିବିଆଇ ତଦନ୍ତ ଏକ ମାତ୍ର ବିକଳ୍ପ । ଯଦି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହି ଘଟଣାରେ ତାଙ୍କର ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି, ତାହେଲେ ତୁରନ୍ତ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ଘଡ଼େଇ କହିଥିଲେ ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ, ଚାକିରୀ ବିକ୍ରି ଘଟଣା ହେଉଛି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ । ଚଳିତ ବର୍ଷ ମାର୍ଚ୍ଚ ୭ ଓ ୮ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଥିଲା । ପରୀକ୍ଷା ବାତିଲ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ କାରଣ ଦିଆଯାଇନଥିଲା । ବାସ୍ତବରେ, ଚାକିରୀ ବିକ୍ରି କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ଯୋଜନାର ଏହା ଥିଲା ଅୟମାରମ୍ଭ । ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଗତ କାଲି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଥିଲେ, ମଲମ ପର୍ଯ୍ୟାପ୍ତ ନୁହେଁ, ସର୍ଜରୀର ଆବଶ୍ୟକତା ରହିଛି ବୋଲି କହିଥିଲେ । ବାସ୍ତବିକ, ମଲମ ମାନେ କମ ଅଙ୍କରେ ନୁହେଁ, ସର୍ଜରୀ ଅର୍ଥ ମୋଟା ଅଙ୍କରେ ଚାକିରୀ ବିକ୍ରି ପାଇଁ ବିଜେପି ଯୋଜନା କରି ପ୍ରଥମ ପରୀକ୍ଷାକୁ ବାତିଲ କରାଯାଇଥିଲା । ତାପରେ ନିଯୁକ୍ତି ପରୀକ୍ଷା ଆୟୋଜନ କରିବାରେ ତିଳେ ମାତ୍ର ଅଭିଜ୍ଞତା ନଥିବା ସଂସ୍ଥା ପଞ୍ଚସଫ୍ଟକୁ ଆଉଟସୋର୍ସିିଂ କରାଯାଇଥିଲା । ଏହି କମ୍ପାନୀ ମାଧ୍ୟମରେ ଆଶାୟୀ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥିଲା । ପ୍ରତି ଆଶାୟୀଙ୍କ ଠାରୁ ଦଶ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଆଦାୟ ହୋଇ ସାରିଥିଲା ଓ ସର୍ତ୍ତ ଅନୁସାରେ ଚାକିରୀ ପାଇବା ପରେ ଆଉ ପନ୍ଦର ଲକ୍ଷ ଦେବାକୁ ବାକି ରହିଥିଲା । କିନ୍ତୁ, ବ୍ରହ୍ମପୁରରେ ସେମାନଙ୍କୁ ଏକତ୍ରିତ କରି ଶ୍ରୀକାକୁଲମ ନେବା ପୂର୍ବରୁ ଆଶାୟୀ ମାନଙ୍କୁ ସେମାନଙ୍କ ଅରିଜିନାଲ ସାର୍ଟିଫିକେଟ ସଂସ୍ଥା ପାଖରେ ବନ୍ଧକ ରଖିବାକୁ କୁହାଯାଇଥିଲା । କିଛି ଆଶାୟୀ ଏହି ସର୍ତ୍ତରେ ରାଜି ହୋଇ ନଥିବାରୁ ଘଟଣା ବିଷୟରେ ପୋଲିସକୁ ଖବର ଯାଇଥିଲା ଓ ଶ୍ରୀକାକୁଲମ ଠାରେ ପୋଲିସ ଗିରଫ କରିଥିଲା । ତେଣୁ, ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତିକୁ ନେଇ ଖଣ୍ଡନ କରିବା, ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି ସଦୃଶ୍ୟ । ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି । ତେଣୁ, ବିଜେଡି ଏହାର ସିବିଆଇ ତଦନ୍ତ ଦାବି କରିଛି । ସୋମବାର ଅର୍ଥାତ ୬ ଅକ୍ଟୋବର ଦିନ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଧାରଣା ଦିଆଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ ।
ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗବିଜେଡି କହିଲା ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇବୁ,,,ଅନଭିଜ୍ଞ ସଂସ୍ଥାକୁ ଦାୟିତ୍ୱଚାକିରୀ ବିକ୍ରି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ-ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

Leave a Reply