ନିରୋଗ ଜୀବନଯାପନର ମୂଳଭୂତ ସିଦ୍ଧାନ୍ତ
ଶରୀର ଓ ମନ ସହିତ ସୁସ୍ଥତା ଓ ରୁଗ୍ଣତା ର ସମ୍ବନ୍ଧ ରହିଛି । ଶରୀର ଯଦି କୌଣସି ରୋଗରେ ପୀଡିତ ହୁଏ, ତେବେ ମନ ମଧ୍ୟ ଉଦାସ, ନିରାଶ , ଶିଥିଳ ହେବାର ଦେଖାଯାଏ । ମନ ରୋଗଗ୍ରସ୍ତ ହେବା ଦ୍ବାରା ଶରୀର କେବେ ସୁସ୍ଥ ରହି ନପାରେ l ଆହାରର ପ୍ରଭାବ ଶରୀର ଉପରେ ପଡ଼େ । ଉପଯୁକ୍ତ ଆହାର ଶରୀରକୁ ଶକ୍ତିଶାଳୀ କରେ । କିନ୍ତୁ ଏହା ଉପରେ ସୁସ୍ଥତା ପୂର୍ଣ୍ଣ ରୂପେ ନିର୍ଭର କରେ ନାହିଁ । କାରଣ ଚିନ୍ତିତ ,କ୍ରୋଧୀ ଓ ନିରାଶ ପ୍ରକୃତିର ବିକାରଗ୍ରସ୍ତ ମନୁଷ୍ୟ ଉତ୍ତମ ଖାଦ୍ୟ ଗ୍ରହଣ କରି ମଧ୍ୟ ନିରୋଗ ରହିପାରେ ନାହିଁ ।
ପେଟ ସାହାଯ୍ୟରେ ରକ୍ତ ମାଂସ ତିଆରି ହୁଏ । ହୃତ୍ପିଣ୍ଡ ଠିକ ଥଲେ ଶିରା ଓ ଧମନୀ ମଧ୍ୟ ଶକ୍ତଶାଳୀ ରହନ୍ତି । ସମଗ୍ର ଶରୀରର କ୍ରିୟାକଳାପ ମସ୍ତିଷ୍କ ଦ୍ବାର ନିୟନ୍ତ୍ରିତ ହୁଏ । ମନୋବିକାର ଗ୍ରସ୍ତ ବ୍ୟକ୍ତି ପ୍ରଥମେ ଛୋଟ ଛୋଟ ରୋଗ ଦ୍ବାରା ଆକ୍ରାନ୍ତ ହୋଇ ପରିଶେଷରେ ବଡ଼ ରୋଗର ଶିକାର ହୁଏ ଓ ମୃତ୍ୟୁ ମୁଖରେ ପଡ଼ିଥାଏ ।
ଶରୀରର ମହତ୍ତ୍ୱପୂର୍ଣ୍ଣ ଅବୟବ ଗୁଡ଼ିକ ଚିନ୍ତା ଓ ଭୟ ହେତୁ ନଷ୍ଟ ହେବାକୁ ଲଗେ । ଯକ୍ଷ୍ମାରୋଗ ଅଧିକ ଚିନ୍ତାଗ୍ରସ୍ତ ବ୍ୟକ୍ତିକୁ ହେଉଥିବା ଦେଖାଯାଏ । ଶ୍ଵାସ ପ୍ରକ୍ରିୟା ତଥା ଫୁସଫୁସ ସୁସ୍ଥ ସବଳ ଥାଇ ସୁଦ୍ଧା ଚିନ୍ତିତ ବ୍ୟକ୍ତି ଏହି ରୋଗର ଶିକାର ହୁଅନ୍ତି ।
ପରୀକ୍ଷା ସମୟରେ ଯେଉଁ ଛାତ୍ର ମାନଙ୍କୁ ଫେଲ ହେବାର ଭୟ ଥାଏ, ସେମାନଙ୍କୁ ହଠାତ୍ ଜ୍ବର-ଝାଡ଼ା ଆସି ଆକ୍ରମଣ କରେ । ବ୍ୟବସାୟରେ କ୍ଷତି ହେବା, ମୋକଦ୍ଦମାରେ ହାରି ଯିବା, ଶତୃଦ୍ବାରା ଆକ୍ରମଣ ହେବା ଆଦି ଭୟରେ ଅନେକ ବ୍ୟକ୍ତି ଅଜୀର୍ଣ୍ଣ ଓ ଅନିଦ୍ରାଗ୍ରସ୍ତ ହୋଇ କଷ୍ଟ ଭୋଗ କରନ୍ତି । କ୍ରୋଧୀ, ଭୟାଳୁ ଓ ଉତ୍ତେଜନା ଗ୍ରସ୍ତ ବ୍ୟକ୍ତି ରକ୍ତଚାପ ଓ ହୃଦକମ୍ପ ରୋଗର ଶିକାର ହୋଇଥା’ନ୍ତି । ଅଧିକାଂଶ ଭୟ -ଗ୍ରସ୍ତ ବ୍ୟକ୍ତି ସାଧାରଣତଃ ପକ୍ଷାଘାତ ରୋଗରେ ପୀଡିତ ହେବାର ଦେଖାଯାଏ ।
ବର୍ତ୍ତମାନ ରୋଗର ସଂଖ୍ୟା ନିରନ୍ତର ବଢି ଚାଲିଛି l ଆଶ୍ଚର୍ଯ୍ୟର କଥା ଯେ , ଯେଉଁମାନେ ଉତ୍ତମ ଖାଦ୍ୟ ଗ୍ରହଣ କରି ସାଧନ ସମ୍ପନ୍ନ ଜୀବନ ଅତିବାହତ କରୁଛନ୍ତି ସେମାନେ ଅଧିକ ରୋଗରେ ପଡୁଛନ୍ତି । ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଥାଇ ସୁଦ୍ଧା ସେମାନେ ଅଧିକ ଦୁର୍ବଳ ଓ ରୋଗଗ୍ରସ୍ତ ହେଉଛନ୍ତି । ଏ ସମ୍ବନ୍ଧରେ ଗବେଷଣା କରି ଦେଖାଯାଇଛୁ ଯେ ସ୍ୱାର୍ଥୀ,ଈର୍ଷlଳୁ ଓ ଦୁଷ୍କର୍ମ ଲିପ୍ତ ବ୍ୟକ୍ତି ମାନେ ଆପଣା ମନୋବିକାର ଯୋଗୁଁ ହିଁ ଏଭଳି ରୋଗର ଶିକାର ହେଉଛନ୍ତି ।
ଯେଉଁମାନେ ସଦା ପ୍ରସନ୍ନ, ଚିନ୍ତାଶୂନ୍ୟ ରହନ୍ତି ସେମାନେ ଗରିବ ହେଲେ ମଧ୍ୟ, କଠିନ ପରିଶ୍ରମ କରି ନିରୋଗ ରହନ୍ତି । କ୍ଵଚିତ କୌଣସି ଛୋଟ ରୋଗ ହେଲେ ସାଧାରଣ ଚେର ମୂଳ ଔଷଧ ଖାଇ ଭଲ ହୋଇଯା’ନ୍ତି ।
ଯେଉଁମାନେ ନିଜର ବର୍ତ୍ତମାନ ସ୍ଥିତି ରେ ସନ୍ତୁଷ୍ଟ ଯାହାଙ୍କର ଭବିଷ୍ୟତ ପାଇଁ ବଡ଼ ବଡ ଲାଳସା ନାହିଁ, ସେମାନେ ହିଁ ପ୍ରକୃତରେ ସନ୍ତୋଷୀ ବ୍ୟକ୍ତି । ସନ୍ତୋଷୀ ବ୍ୟକ୍ତିର ମନ ପ୍ରସନ୍ନ ରହେ । ଏହା ସହିତ ଶରୀର ମଧ୍ୟ ସୁସ୍ଥ ରହେ ।ଯେଉଁମାନେ ଅନ୍ୟର ମଙ୍ଗଳ ଚିନ୍ତା କରନ୍ତି, ଅନ୍ୟମାନଙ୍କ ଉନ୍ନତି କାମନା କରନ୍ତି ତଥା ସେବାର ଅବସର ହରାନ୍ତି ନାହଁ ସେମାନେ ହିଁ ପ୍ରସନ୍ନତାର ଆନନ୍ଦ ଲାଭ କରନ୍ତି ।
ପାପର ଫଳ ନର୍କ ରୂପେ ମିଳେ ।ଏହି କଥାର ସତ୍ୟତା ଏଠାରେ ଦେଖା ଯାଇପାରେ, କୁକର୍ମୀର ଆତ୍ମା ନିରନ୍ତର ଭୟଭୀତ ରହେ, ନିଷ୍ପାପ ବ୍ୟକ୍ତି ନିର୍ଦୋଷ ଓ ନିରୋଗ ରହେ l
ଯୁଗଶକ୍ତି ଗାୟତ୍ରୀ ଜାନୁୟାରୀ 1989