ନିମାପଡା :ଦର୍ଶନ ସମୀକ୍ଷା
ମାସ ଅଧା ସରିଯିବା ପରେ ମଧ୍ୟ ଦରମା ନମିଳିବାରୁ ଏନଏସି ସଫେଇ କର୍ମଚାରୀ କାମ ବନ୍ଦ କରି ଅଫିସ ସମ୍ମୁଖରେ ଧାରଣାରେ ଦେଇଛନ୍ତି। ଧାରଣାରେ ବସିବା ଫଳରେ ଏନଏସିର ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ପ୍ରତ୍ୟକ ୱାର୍ଡ଼ ସମେତ ଚାରିଆଡେ ଗଦାଗଦା ଅଳିଆ ପଡ଼ିରହିଥିଲା। ଖବର ମୁତାବକ ଏନଏସି ଅଞ୍ଚଳରୁ ଅଳିଆ କାଢ଼ିବା, ରାସ୍ତାଘାଟ ସଫାସୁତୁରା ରଖିବା ନିମନ୍ତେ ଅଞ୍ଚଳର ୩୭ଜଣ ପୁରୁଷ ମହିଳାଙ୍କୁ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦିଆ ଯାଇଛି। ଏନଏସି ନିଯୁକ୍ତି କରିଛି ସତ କିନ୍ତୁ ଏମାନଙ୍କର ପରିଶ୍ରମର ପ୍ରାପ୍ୟ ଦେବାପାଇଁ ରୟାଲ ସିକ୍ୟୁରିଟି ସର୍ଭିସ ନାମକ ସଂସ୍ଥା ସହ ଚୁକ୍ତି ହୋଇଛି। କାମରେ ସାମାନ୍ୟ ତମ ଅବହେଳା ହେଉନଥିବା ବେଳେ ପ୍ରତି ମାସରେ ପ୍ରାପ୍ୟ ମିଳିଲା ବେଳକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କର୍ମଚାରୀମାନେ କହିଛନ୍ତି। ୧୧ ହଜାର ୭୦୦ଟଙ୍କା ହିସାବରେ ମାସର ପ୍ରଥମ ସପ୍ତାହରେ ପ୍ରାପ୍ୟ ମିଳିବାକୁ ଚୁକ୍ତିରେ ନିୟମ ଥିବାବେଳେ ଅଧିକାଂଶ ମାସରେ ନିୟମିତ ମିଳୁନି। ୧୫ରୁ ୨୦ ଦିନ ଗଡିଯାଉଛି। ସଫେଇ କର୍ମଚାରୀମାନେ ଶିକ୍ଷିତ ହୋଇନଥିବାରୁ ଚୁକ୍ତି କରି ପ୍ରାପ୍ୟ ଦେଉଥିବା ସଂସ୍ଥା ବିଷୟରେ ସେମାନଙ୍କର ଧାରଣା ନାହିଁ। ସେମାନେ କେବଳ ଏନଏସି ଅଧିକାରୀ ମାନଙ୍କୁ ଚିହ୍ନିଛନ୍ତି, ସେମାନଙ୍କ ଠାରୁ ପ୍ରାପ୍ୟ ପାଇଥାନ୍ତି ବୋଲି କହିଛନ୍ତି। ଆଗକୁ ରଜପର୍ବ ଆସୁଛି ଆମକୁ ଠିକ ସମୟରେ ପଇସା ଦେବେ ବୋଲି ମାସ ଆରମ୍ଭରୁ କର୍ମଚାରୀ ମାନେ ଅଧିକାରୀଙ୍କୁ କହିଥିଲେ। ହେଲେ ଆମ କଥା କେହି ଶୁଣିଲେନି। ରଜରେ ଘରେଘରେ ପିଠା ପଣା ହେଉଥିବା ବେଳେ ଆମମାନଙ୍କ ଘରେ ମୁଠାଏ ଖାଇବାକୁ ନାହିଁ। ସେଥିପାଇଁ ଆମେ ବାଧ୍ୟ ହେଲୁ ଏପରି କରିବାପାଇଁ ବୋଲି କହିଛନ୍ତି। ରାସ୍ତାଘାଟ, ମେଡିକାଲ ପରିସର, ମାଛହାଟ, ମହୋତ୍ସବ ପଡ଼ିଆରେ କୁଢ଼ କୁଢ଼ ଅଳିଆ ପଡ଼ି ରହିଥିବା ଦେଖାଯାଇଥିଲା। ପରିମଳ ଅଧିକାରୀ ବିଜୟ ଗ୍ରହାଚାର୍ଯ୍ୟ, ଉପନଗରପାଳ ସନ୍ତୋଷ ଦାଶ, କାଉନସିଲର ପ୍ରତିନିଧି ବ୍ରଜେନ୍ଦ୍ର ପ୍ରଧାନ ପ୍ରମୁଖ ଧର୍ମଘଟକାରୀଙ୍କୁ ବୁଝାସୁଝା କରିବାରେ କିଛି ଫଳପ୍ରଦ ହୋଇନଥିଲା। ଅଧିକାରୀ କିଛି ମହିଳା କର୍ମଚାରୀଙ୍କୁ ୫ହଜାର ଟଙ୍କା ଅଗ୍ରିମ ଦେଇଥିବା ଜଣାପଡିଛି। ଆସନ୍ତା ମଙ୍ଗଳବାର ସୁଦ୍ଧା ଆମର ସମ୍ପୂର୍ଣ୍ଣ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ଅଧିକାରୀ ପ୍ରତିଶୃତି ଦେଇଛନ୍ତି। ଆମେ ଧର୍ମଘଟକୁ ସ୍ଥଗିତ ରଖିଲୁ। ମଙ୍ଗଳବାର ନମିଳିଲେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଫେଇ କର୍ମଚାରୀ ରଞ୍ଜନ ନାୟକ କହିଛନ୍ତି।
Leave a Reply