ନିମାପଡ଼ାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ‘ସତ୍ୟଖବର’ ସମ୍ପାଦକ ଅକ୍ଷୟ କୁମାର ନାୟକ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଗତ ସପ୍ତାହରେ ନିମାପଡ଼ା ପ୍ରେସକ୍ଲବରୁ ଵହିସ୍କୃତ ହୋଇଥିଲେ।ଅକ୍ଷୟ ବାଇକରେ ଆସି ପିଣ୍ଡି ଉପରେ ଗୋଡ଼ରଖି କର୍ମକର୍ତ୍ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହ କ୍ଲବ ସଭାପତି ଅକ୍ଷୟ ବେହେରା ପିନ୍ଧିଥିବା ସୁନାଚେନକୁ ଝାମ୍ପି ନେଇ ପଳାଇଥିଲେ, କ୍ଲବର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଅକ୍ଷୟ ନାୟକ ନାମରେ ଥାନାରେ ଲିଖିତ ଅଭିଯୋଗ କଲେ

Spread the love

ନିମାପଡା:ଦର୍ଶନ ସମୀକ୍ଷା

ନିମାପଡ଼ାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ‘ସତ୍ୟଖବର’ ସମ୍ପାଦକ ଅକ୍ଷୟ କୁମାର ନାୟକ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଗତ ସପ୍ତାହରେ ନିମାପଡ଼ା ପ୍ରେସକ୍ଲବରୁ ଵହିସ୍କୃତ ହୋଇଥିଲା। ସେହି ଘଟଣାରେ ସେ କ୍ରୋଧାନ୍ୱିତ ହୋଇ ଗତ ୯ତାରିଖ ଅପରାହ୍ନରେ ବ୍ଲକ ଛକ ସ୍ଥିତ କଦମ୍ବଗଛ ପିଣ୍ଡି ନିକଟରେ ପ୍ରେସକ୍ଲବର କର୍ମକର୍ତ୍ତା ମାନେ ବସି ନିଜନିଜ ଭିତରେ ଆଲୋଚନା କରୁଥିବା ବେଳେ ଅକ୍ଷୟ ବାଇକରେ ଆସି ପିଣ୍ଡି ଉପରେ ଗୋଡ଼ରଖି କର୍ମକର୍ତ୍ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହ କ୍ଲବ ସଭାପତି ଅକ୍ଷୟ ବେହେରା ପିନ୍ଧିଥିବା ସୁନାଚେନକୁ ଝାମ୍ପି ନେଇ ପଳାଇଥିଲା। ଏହି ଘଟଣାର ପ୍ରତିବାଦରେ କ୍ଲବର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଅକ୍ଷୟ ନାୟକ ନାମରେ ଥାନାରେ ଲିଖିତ ଅଭିଯୋଗ କରିବାରେ କେସ ନଂ-୧୯୭/୨୫ରେ ଥାନାରେ ଦଳିତଙ୍କ ପାଇଁ ଉଦ୍ଦିଷ୍ଟ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ସେହିଦିନ ସନ୍ଧ୍ୟାରେ କ୍ଲବର ସାଂଗଠନିକ ସମ୍ପାଦକ ସୁଦର୍ଶନ ବେହେରାଙ୍କୁ ବ୍ଲକଚ୍ଛକରେ ଅଟକାଇ ତାଙ୍କୁ ମଧ୍ୟ ଜାତିଆଣ ଆକ୍ଷେପ କରି ଅକ୍ଷୟ ନାୟକ ଗାଳିଗୁଲଜ କରିବା ସହ ତାଙ୍କ ପକେଟରୁ ୩ହଜାର ଟଙ୍କା ଝାମ୍ପି ନେଇ ପଳାଇଥିଲା। ଶ୍ରୀଯୁକ୍ତ ବେହେରା ସେହିଦିନ ରାତିରେ ଥାନାରେ ଲିଖିତ ଅଭିଯୋଗ କରିବାରେ ଅକ୍ଷୟ ନାୟକ ନାମରେ ଦଳିତଧାରା କେସ ନଂ- ୨୦୨/୨୫ରେ ଅନ୍ୟଏକ ମାମଲା ରୁଜୁ କରିଥିଲେ। ଦୁଇ ଦୁଇଟି ମାମଲା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଗିରଫ ହୋଇ ନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ କୁହୁଳୁଛି। ଏ ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ସମ୍ପାଦକ ଆଦିତ୍ୟ ରାଉତ ଗତ ରବିବାର ଦିନ ନିମାପଡ଼ା ଆସି ପ୍ରେସକ୍ଲବର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ନିକଟରେ ଦାବି ଜଣାଇଥିଲେ।

Leave a Reply

Your email address will not be published. Required fields are marked *