ଦ୍ରୁତ ଗତିର ଶିକାର ହେଲେ ଦୁଇ ତୃତୀୟ ଶ୍ରେଣୀର ଛାତ୍ର । ସିସି ଟିଭି କାମେରା ରେ କଏଦ ହେଲା ହୃଦୟ ବିଦାରକ ଦୃଶ୍ୟ । ବୋଲେରୋ ଗାଡିକୁ ଜବତ କଲା ବଲାଣି ପୋଲିସ
ଦର୍ଶନ ସମୀକ୍ଷା ବଡ଼ବିଲ
ତା-22-08-2025
ବିଦ୍ୟାଳୟ ରୁ ଛୁଟି ହୋଇ ଘରକୁ ଫେରୁଥିବା ବେଳେ ଦ୍ରୁତ ଗତିର ଶିକାର ହୋଇଛନ୍ତି ଦୁଇ ଜଣ ତୃତୀୟ ଶ୍ରେଣୀର ଛାତ୍ର । ଦୁଇ ଜଣ ଛାତ୍ରଙ୍କ ଉପରେ ଚଢ଼ିଗଲା ଏକ ଅଜଣା ବୋଲେରୋ । ଭାଗ୍ୟ ବଶତଃ ଦୁଇ ଜଣ ଛାତ୍ରଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଖଣି ଟାଉନସିପ୍ କ୍ଷେତ୍ରର ଆବାସିକ କଲୋନୀର ବିରସା ମୁଣ୍ଡା କ୍ଲବ ଓ ମସଜିଦ ରାସ୍ତାରେ ।

ସୂଚନାନୁସାରେ ବଲାଣି ଟାଉନସିପ୍ କ୍ଷେତ୍ରରେ ଥିବା ସରକାରୀ ମକ୍ତବ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ର ଆୟୁଷ ଲୁଗୁନ ଓ ରାଶିକା ପୂର୍ତ୍ତି ଛୁଟି ପରେ ଉଭୟ ସାଙ୍ଗ ହୋଇ ବିରସା ମୁଣ୍ଡା କ୍ଲବ ନିକଟସ୍ଥ ନିଜ ଘରକୁ ଯାଉଥିବା ବେଳେ ସମ୍ମୁଖ ଦିଗରୁ ଏକ ଦ୍ରୁତଗାମୀ ବୋଲେରୋ ଆସି ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ସେଲ୍ ବଲାଣି ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରୁ ଉଭୟ ଗୁରୁତର ଛାତ୍ରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଉକ୍ତ ସମ୍ପୂର୍ଣ୍ଣ ହୃଦୟ ବିଦାରକ ଦୃଶ୍ୟ ସ୍ଥାନୀୟ ଏକ ସସି ଟିଭିରେ କଏଦ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି । ତେବେ ସେଠାରେ ଉପସ୍ଥିତ ଜଣେ ପ୍ରତ୍ୟେକଦର୍ଶୀଙ୍କ କହିବା ଅନୁସାରେ ଉକ୍ତ ଗାଡ଼ିରେ ଦୁଇ ଜଣ ନାବାଳକ ଥିବା ବେଳେ ଅନ୍ୟ ଜଣେ ନାବାଳକ ଉକ୍ତ ବୋଲେରୋ କୁ ଚଳାଉଥିବା ନେଇ କହିଛନ୍ତି । ସ୍ଥାନୀୟ ପୁଲିସ ସିସି ଟିଭି ଦୃଶ୍ୟ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଯାଞ୍ଚ ଜାରି ରଖିଛି ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକଙ୍କ ସମ୍ବନ୍ଧରେ ଟେର ପାଇ ନଥିବା ଜଣା ପଡ଼ିଛି । ତେବେ ବଲାଣି ଖଣି ଟାଉନସିପ୍ କ୍ଷେତ୍ରରେ କିଛି ନାବାଳକ ଓ ଯୁବଗୋଷ୍ଠୀ ଦ୍ରୁତ ଗାଡି ଚାଳନା କରିବା ସହିତ କଲୋନୀର ବିଭିନ୍ନ ରାସ୍ତାରେ ଷ୍ଟଣ୍ଟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏ ନେଇ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ସ୍ଥାନୀୟ ଥାନାରେ ମୌଖିକ ଓ ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସ୍ଥାନୀୟ ପୁଲିସ ଏଥି ପ୍ରତି ଗୁରୁତ୍ୱ ଦେଉନଥିବା ଯୋଗୁଁ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି ବୋଲି ଆଲୋଚନା ହେଉଛି । ସ୍ଥାନୀୟ ପୁଲିସ କଠୋର ଓ ଉଚିତ ପଦକ୍ଷେପ ଗ୍ରହଣ କଲେ ଏପରି ଦୁର୍ଘଟଣାରେ ଲଗାମ ଲଗାଯାଇପାରିବ ବୋଲି ଜନ ସାଧାରଣ ଦାବି କରିଛନ୍ତି ।
Leave a Reply