Spread the love

ଜାତୀୟ ନମୁନା ସର୍ଭେ ରିପୋର୍ଟ, ଗାଁରେ ଗରିବଙ୍କ ଦୈନିକ ଖର୍ଚ୍ଚ ୪୫ ଟଙ୍କାରୁ କମ୍

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର

ଦେଶରେ ଧନୀ ଓ ଗରିବ ଲୋକଙ୍କ ମଧ୍ୟରେ ଦିନକୁ ଦିନ ତାରତମ୍ୟ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ଗରିବ ଓ ଧନୀଙ୍କ ଦୈନିକ ମୁଣ୍ଡପିଛା ବ୍ୟୟ ମଧ୍ୟରେ ପାର୍ଥକ୍ୟ ୧୦ ଗୁଣ ଅତିକ୍ରମ କରିଛି। ଗ୍ରାମାଞ୍ଚଳରେ ଅତି ଗରିବ ଲୋକଟି ନିଜର ଗୁଜୁରାଣ ୪୫ ଟଙ୍କାରେ ମେଣ୍ଟାଉଥିବାବେଳେ ଧନୀ ଲୋକଙ୍କର ଦୈନିକ ହାରାହାରି ଖର୍ଚ୍ଚ ୮ଗୁଣ ବୃଦ୍ଧି ପାଇ ୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ସହରାଞ୍ଚଳରେ ମଧ୍ୟ ସ୍ଥିତି ଅନୁରୂପ ଉଦବେଗଜନକ।

ସହରାଞ୍ଚଳରେ ସବୁଠୁ ଗରିବ ଲୋକଟିର ଦୈନିକ ବ୍ୟୟ ମାତ୍ର ୬୭ ଟଙ୍କା ମଧ୍ୟରେ ଥିବାବେଳେ ଧନୀ ଲୋକଙ୍କର ହାରାହାରି ମୁଣ୍ଡପିଛା ଦୈନିକ ଖର୍ଚ୍ଚ ପ୍ରାୟ ୧୦ଗୁଣ ଅଧିକ ଓ ୬୯୫ ଟଙ୍କା। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଏସ୍ଓ) ପକ୍ଷରୁ ନିକଟରେ ପ୍ରକାଶିତ ମାସିକ ମୁଣ୍ଡପିଛା ଉପଯୋଗିତା ବ୍ୟୟ (ଏମ୍‌ପିସିଇ) ତଥ୍ୟରେ ଏହା କୁହାଯାଇଛି।

ଜାତୀୟ ନମୁନା ସର୍ବେକ୍ଷଣର ଏହି ଆକଳନଗୁଡିକ ଘରୋଇ ବ୍ୟବହାର ଖର୍ଚ୍ଚ ସର୍ଭେ ୨୦୨୨-୨୩ (ଏଚ୍‌ସିଇଏସ୍) ଉପରେ ଆଧାରିତ। ଏହି ରିପୋର୍ଟ ଅନୁସାରେ ଦେଶର ଗାଁର ସବୁଠାରୁ ଗରିବ ୫ ପ୍ରତିଶତ ଜନସଂଖ୍ୟାର ମାସିକ ମୁଣ୍ଡପିଛା ଉପଭୋକ୍ତା ବ୍ୟୟ ମାତ୍ର ୧୩୭୩ ଟଙ୍କା। ଅର୍ଥାତ ଦୈନିକ ଖର୍ଚ୍ଚ ପ୍ରାୟ ୪୫ ଟଙ୍କା। ଅନୁରୂପ ଭାବରେ ସହରରେ ରହୁଥିବା ସବୁଠାରୁ ଗରିବ ୫ ପ୍ରତିଶତ ଜନସଂଖ୍ୟାର ହାରାହାରି ମୁଣ୍ଡପିଛା ମାସିକ ବ୍ୟୟ ମାତ୍ର ୨୦୦୧ ଟଙ୍କା ବା ଦୈନିକ ପ୍ରାୟ ୬୭ ଟଙ୍କା । ଏଚ୍‌ସିଇଏସ୍ ରିପୋର୍ଟ ଅନୁସାରେ ଦେଶର ଗାଁଗୁଡ଼ିକରେ ବସବାସ କରୁଥିବା ୫ ପ୍ରତିଶତ ସବୁଠାରୁ ଧନୀ ଲୋକଙ୍କ ମାସିକ ମୁଣ୍ଡପିଛା ଖର୍ଚ୍ଚ ୧୦,୫୦୧ ଟଙ୍କା(ଦୈନିକ ୩୫୦ ଟଙ୍କା) ରହିଥିବାବେଳେ ସହରାଞ୍ଚଳରେ ଏହା ୨୦,୮୨୪ ଟଙ୍କା (ଦୈନିକ ୬୯୫ ଟଙ୍କା)।

ଦେଶରେ ୨୦୨୨-୨୩ ସୁଦ୍ଧା ମାସିକ ଉପଭୋକ୍ତା ଖର୍ଚ୍ଚ ୨୦୧୧-୧୨ ତୁଳନାରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି। ସହରାଞ୍ଚଳରେ ବର୍ତ୍ତମାନର ମୂଲ୍ୟରେ ଦେଶରେ ମୁଣ୍ଡପିଛା ହାରାହାରି ମାସିକ ଘରୋଇ ଖର୍ଚ୍ଚ ୨୦୨୨-୨୩ରେ ୬୪୫୯ ଟଙ୍କା ହେବ ବୋଲି ଆଶା କରାଯାଉଛି। ଯେତେବେଳେ କି ୨୦୧୧-୧୨ରେ ଏହା ୨୬୩୦ ଟଙ୍କା ରହିଥିଲା।

ସେହିଭଳି ଗ୍ରାମାଞ୍ଚଳରେ ଏହା ୩୭୭୩ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏକ ଦଶନ୍ଧି ପୂର୍ବରୁ ୧୪୩୦ ଟଙ୍କା ରହିଥିଲା। ଯଦି ଆମେ ଏହି ଅଭିବୃଦ୍ଧିକୁ ଦେଖିବା, ତେବେ ଗ୍ରାମାଞ୍ଚଳର ହାରାହାରି ମାସିକ ଘରୋଇ ଖର୍ଚ୍ଚରେ ୧୬୪ ପ୍ରତିଶତ ବୃଦ୍ଧି ଦେଖୀବାକୁ ମିଳିଛି। ଅପରପକ୍ଷେ ସହରାଞ୍ଚଳରେ ଲୋକଙ୍କ ବ୍ୟୟରେ ୧୪୬ ପ୍ରତିଶତ ବୃଦ୍ଧି ପାଇଛି। ଏନ୍ଏସ୍ଏସ୍ଏସ୍ଓ ସାଧାରଣତଃ ପ୍ରତି ୫ ବର୍ଷରେ ଏହି ସଂଖ୍ୟାଗୁଡିକୁ ପ୍ରକାଶ କରିଥାଏ।

Leave a Reply

Your email address will not be published. Required fields are marked *