Spread the love

ଦେହାନ୍ତ ପରେ ବାପା ଦେଖିଥିବା ସ୍ୱପ୍ନକୁ ପୂରଣ କଲେ ଅମନ

ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଶୁକ୍ରବାର ମିଳିଥିଲା ପଞ୍ଚମ କାଂସ୍ୟ । ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଅଲିମ୍ପିକ୍ସ ଇତିହାସରେ ଅଷ୍ଟମ କୁସ୍ତି ପଦକ ଭେଟି ଦେଇଥିଲେ। ଶୁକ୍ରବାର କାଂସ୍ୟ ପଦକ ମୁକାବିଲାରେ ପୁର୍ତ୍ତୋରିକୋର ଡାରିଆନ୍‌ ତୋଇ କ୍ରୁଜ୍‌ଙ୍କୁ ୧୩-୫ରେ ପରାସ୍ତ କରି ଏହି ସଫଳତା ପାଇଥିଲେ ଅମନ।

ମ୍ୟାଚ୍‌ର ପ୍ରଥମ ପିରିୟଡ୍‌ରେ ଅମନ ୬-୩ରେ ଅଗ୍ରଣୀ ପାଇଥିଲା ବେଳେ ଦ୍ବିତୀୟରେ ୭-୨ ପଏଣ୍ଟ ପାଇ ଏକତରଫା ଭାବେ ଜିତିଥିଲେ। ଫଳରେ ଅଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୪୧ରେ ପହଞ୍ଚିଥିଲା।

ଭାରତକୁ ପଦକ ଦେଇ ସମ୍ମାନିତ କରିଥିବା ଅମନଙ୍କ ଯାତ୍ରା ସହଜ ନଥିଲା ବୋଲି ଜଣାପଡିଛି | ମାତ୍ର ୧୨ବର୍ଷ ବୟସରେ ଉଭୟ ବାପା-ମା’ଙ୍କୁ ହରାଇବା ପରେ ୧୩ବର୍ଷ ବୟସରୁ ବାପାଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଥିଲେ ଅମନ | ମିଳିଥିବା ସୂଚନା ମୁତାବକ, ଅମନ ୧୬ ଜୁଲାଇ ୨୦୦୩ରେ ଜନ୍ମଗ୍ରହଣ କରିଥିବା ବେଳେ ୧୨ବର୍ଷ ବୟସରେ ଉଭୟ ବାପା-ମା’ଙ୍କୁ ହରାଇଥିଲେ | ଏହା ପରେ ତାଙ୍କ ଜେଜେ ତାଙ୍କର ଦେଖାଶୁଣା କରିବା ଆରମ୍ଭ କଲେ | କୁସ୍ତି ଖେଳି ପୁଅ ଭାରତ ପାଇଁ ପଦକ ଜିତୁ ବୋଲି ଅମନଙ୍କ ବାପା ଚାହୁଁଥିଲେ। ଏହି କାରଣରୁ ତାଙ୍କ ଦେହାନ୍ତ ପରେ ୧୩ବର୍ଷ ବୟସରୁ ଅମନ କୁସ୍ତି ପାଇଁ ତାଲିମ ନେବା ଆରମ୍ଭ କରିଥିଲେ | ତାଲିମ ପାଇଁ ସେ ଛତ୍ରସାଲ ଷ୍ଟାଡିୟମକୁ ଯିବା ଆରମ୍ଭ କଲେ।

ତାଲିମ ପାଇଁ ଛତ୍ରସାଲ ଷ୍ଟାଡିୟମ ଅମନଙ୍କ ଦ୍ୱିତୀୟ ଘର ହୋଇଯାଇଥିଲା। ଅମନ ଦିନରାତି ଏଠାରେ ରହି କୁସ୍ତି ଅଭ୍ୟାସ କରିବା ଆରମ୍ଭ କଲେ | ଛତ୍ରସାଲ ଷ୍ଟାଡିୟମରେ ତାଲିମ ନେଇ ଭାରତ ପାଇଁ ପଦକ ଆଣିଥିଲେ ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ, ବଜରଙ୍ଗ ପୁନିଆ ଏବଂ ରବି ଦହିଆ | ଏମାନଙ୍କ ସଫଳତା ଦେଖି ଛତ୍ରସାଲ ଷ୍ଟାଡିୟମରେ ଅଭ୍ୟାସ କରୁଥିବାବେଳେ ଅମନ ଅଲିମ୍ପିକ୍ସରେ ପଦକ ଜିତିବାର ସ୍ୱପ୍ନ ଦେଖିଥିଲେ।

କୁସ୍ତି ପ୍ରତି ତାଙ୍କର ଉତ୍ସର୍ଗୀକୃତତା ତାଙ୍କୁ ଶୀଘ୍ର ସଫଳତା ଦେଇଥିଲା | ସେ ୨୦୨୧ରେ ପ୍ରଥମ ଜାତୀୟ ଚାମ୍ପିଅନସିପ୍ ଟାଇଟଲ୍ ଜିତିଥିଲେ | ସେବେଠାରୁ ଅମନ ଆଉ ପଛକୁ ଫେରି ଦେଖିନଥିଲେ | ୨୦୨୨ ମସିହାରେ, ସେ ଏସିଆନ ଗେମ୍ସରେ ୫୭କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ, ଏବଂ ପରେ କାଜାଖସ୍ତାନର ଆସ୍ଥାନାଠାରେ ଆୟୋଜିତ ୨୦୨୩ ଏସିଆନ ରେସଲିଂ ଚାମ୍ପିଅନସିପରେ ସେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ |

Leave a Reply

Your email address will not be published. Required fields are marked *