ପ୍ରସିଦ୍ଧ ଲକ୍ଷ୍ମୀପୂଜା ଭସାଣି ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଆସନ୍ତା ୧୫ ତାରିଖ ବୁଧବାର ଦିନ ଭସାଣି ।
ଢ଼େଙ୍କାନାଳ, ତା. ୮.୧୦.୨୦୨୫- (ଦର୍ଶନ ସମୀକ୍ଷା) ପ୍ରସିଦ୍ଧ ଲକ୍ଷ୍ମୀପୂଜା ଭସାଣି ପର୍ବ ନିମନ୍ତେ ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭସାଣି ଯାତ୍ରା ସମୟରେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ପୂର୍ଣ୍ଣ ସମୟ ଉପସ୍ଥିତ ରହି ସମୟାନୁବର୍ତ୍ତିତା ଅନୁପାଳନ କରି ଶାନ୍ତିଶୃଙ୍ଖଳାର ସହିତ ଭସାଣି ଯାତ୍ରା ସମାପନ କରିବାକୁ ପରାମର୍ଶ ଦେଇଛନ୍ତି ।

ଭସାଣି ଯାତ୍ରାରେ କେବଳ ଆଧାତ୍ମିକ ଗୀତ ପରିବେଷଣ କରିବା ସହିତ ଭାଇବ୍ରେଟର ବ୍ୟବହାର ନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ଏବଂ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଗଣ ଏଥିରେ ସହମତି ପ୍ରଦାନ କରିଥିଲେ। ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଷ୍ପିକର ଶବ୍ଦ ମାତ୍ରା ପ୍ରତି ଯତ୍ନବାନ ହେବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ଗୁରୁତ୍ୱାରୋପ କରିଥିଲେ । ମେଢ଼ରେ ସର୍ବାଧିକ ୧୨ଟି ଷ୍ପିକର ବ୍ୟବହାର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଟ୍ରାଫିକକୁ ଶୁଙ୍ଖଳିତ କରାଯିବ ଏବଂ ପୂଜା ପ୍ରତିଷ୍ଠାନ କୌଣସି ପ୍ରକାରର ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ପୂଜା ମଣ୍ଡପ ଓ ଦୋକାନ ବଜାର ଖୋଲା ରହିବ ବୋଲି ନିଷ୍ପତ୍ତି ହୋଇଛି । ସମୟାନୁବର୍ତ୍ତିତା ପ୍ରତି ବିଶେଷ ଧ୍ୟାନ ଦିଆଯିବ ଏବଂ ଶାନ୍ତିଶୃଙ୍ଖଳାର ସହିତ ଭସାଣି ଯାତ୍ରା ସଂପର୍ଣ୍ଣ କରାଯିବ ବୋଲି ମିଳିତ ବଜାରଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ରୁଦ୍ର ନାରାୟଣ ତ୍ରିପାଠୀ ପ୍ରକାଶ କରି ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ପୌର ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଆଇ.ଏ.ଏସ. (ପ୍ରୋବେସନ) ଭଗତ ସାମଲ କଲ୍ୟାଣ ରାଓ, ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଗଣ, ପୋଲିସ କର୍ମକର୍ତ୍ତାଗଣ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ ।ଶେଷରେ ସଦର ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Leave a Reply