ଢେଙ୍କାନାଳ //କଂସା ବାସନର ଏଇ ପାରମ୍ପରିକ ଶୈଳୀକୁ ନେଇ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁରର ଗାଁର ଏକ ସ୍ଵତନ୍ତ୍ର ସୁନାମ ରହିଛି । ଇନ୍ଦିପୁର ଗାଁରେ ନିର୍ମାଣ କରା ଯାଉଥିବା କଂସା ବାସନର ସ୍ଵତନ୍ତ୍ରତା ଓ ଚାହିଦା ରହିଥିବା ବେଳେ ଏଠାକାର କଂସା ବେଲାର ଆଦର ସବୁଠାରୁ ଅଧିକ ।କିନ୍ତୁ ବର୍ତମାନ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଇନ୍ଦିପୁରର କଂସା ବାସନ ଶିଳ୍ପ

Spread the love

ବଞ୍ଚିବା ପାଇଁ ସଂଘର୍ଷ କରୁଛି ଇନ୍ଦିପୁରର କଂସା ବାସନ ଶିଳ୍ପ

ଢେଙ୍କାନାଳ-ତା-୨୨l୯-=(ଦର୍ଶନ ସମୀକ୍ଷା)
ଏକଦା ଆମ ସାମାଜିକ ଜନ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲା କଂସା ବାସନ । କି ଧନୀ, କି ଗରିବ,ରାଜା ଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ କଂସା ବାସନର ବହୁଳ ବ୍ୟବହାର ହେଉଥିଲା । ଝିଅଟିଏ ଶାଶୁ ଘରକୁ ଗଲେ ଏଇ କଂସା ବାସନ ଅନ୍ୟ ସାମଗ୍ରୀ ସହିତ ନିଶ୍ଚିତ ଯାଉଥିଲା । ପ୍ରତ୍ୟେକ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭାବରେ କଂସା ବାସନ ଓ ପିତ୍ତଳ ବାସନର ଚାହିଦା ସବୁଠାରୁ ଅଧିକ ଥିଲା । ଏମିତିକି ଆର୍ଥିକ ଅଭାବ ପଡିଲେ ଅନେକ ଗରିବ ଲୋକ ନିଜର କଂସା ବାସନକୁ ବିକି କିମ୍ବା ବନ୍ଧକ ଦେଇ ସାମୟିକ ଭାବରେ ନିଜର ଆର୍ଥିକ ସମସ୍ୟା ଦୂର କରି ପାରୁ ଥିଲେ ।

ତେଣୁ ଏହି କଂସା ବାସନର ଚାହିଦା ପୂରଣ ପାଇଁ ବହୁ ପ୍ରାଚୀନ କାଳରୁ ଅନେକ ସ୍ଥାନରେ କଂସାରି ସଂପ୍ରଦାୟର ଲୋକମାନେ ଏହାକୁ ପାରମ୍ପରିକ ଭାବେ ତିଆରି କରି ବିକ୍ରି କରୁଥିଲେ । ଏଗୁଡିକର ଓଜନ,ମାନ ଆଉ ଶୈଳୀ କୁ ନେଇ ଓଡ଼ିଶାର ଭିଭିନ୍ନ ଗାଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି । କଂସା ବାସନର ଏଇ ପାରମ୍ପରିକ ଶୈଳୀକୁ ନେଇ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁରର ଗାଁର ଏକ ସ୍ଵତନ୍ତ୍ର ସୁନାମ ରହିଛି । ଇନ୍ଦିପୁର ଗାଁରେ ନିର୍ମାଣ କରା ଯାଉଥିବା କଂସା ବାସନର ସ୍ଵତନ୍ତ୍ରତା ଓ ଚାହିଦା ରହିଥିବା ବେଳେ ଏଠାକାର କଂସା ବେଲାର ଆଦର ସବୁଠାରୁ ଅଧିକ । ଏହି ଗାଁରେ ତିଆରି ହେଉଥିବା ବେଲାକୁ ପେଟଫୁଲା ବେଲା ବୋଲି କୁହାଯାଏ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ନିର୍ମିତ କଂସା ବେଲା ଅପେକ୍ଷା ଇନ୍ଦିପୁର ର ଫେଟଫୁଲା ବେଲାକୁ ଲୋକେ ଅଧିକ ପସନ୍ଦ କରନ୍ତି । ଦୀର୍ଘ ଦୁଇଶହ ବର୍ଷରୁ ଅଧିକ କାଳ ଧରି ଇନ୍ଦିପୁର ଗାଁର କଂସା କାରିଗର ମାନେ ନିଜର କୌଳିକ ବେଉସା ଭାବରେ ଏହାକୁ ଗ୍ରହଣ କରି ଆସିଛନ୍ତି ।
ଏବେ କିନ୍ତୁ ଧିରେ ଧିରେ ଏଠାରେ ଏହାର ଅବକ୍ଷୟ ଘଟିଲାଣି । ଏକଦା ଇନ୍ଦିପୁର ଗାଁରେ ଶହ ଶହ କଂସାରି ପରିବାର ଏଥିରୁ ଗୁଜୁରାଣ ମେଣ୍ଟାଉ ଥିଲେ । ଏବେ ଏହା କମି କମି ମାତ୍ର ୩୦/୪୦ ପରିବାର ଏହି ଶିଳ୍ପକଳା ସହିତ ଜଡିତ ଅଛନ୍ତି । ଆବଶ୍ୟକୀୟ ଉପାଦାନର ଅହେତୁକ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଯୁବ ପୀଢିର ଅନାଗ୍ରହ ଯୋଗୁଁ କଂସା ବାସନ ନିର୍ମାଣ କମି ଯାଉଛି । ଏହି ବାସନ ନିର୍ମାଣ ଏକ ସ୍ଵତନ୍ତ୍ର କଷ୍ଟସାଧ୍ୟ କଳା । ପରିଶ୍ରମ ତୁଳନାରେ ଆୟ ଯଥେଷ୍ଟ ନହେଉ ଥିବାରୁ କାରିଗର ମାନେ ଏଥିପ୍ରତି ବିତସ୍ପୃହ ହୋଇ ପଡୁଛନ୍ତି । ଅନ୍ୟ ପଟେ ଷ୍ଟିଲ୍,ଫାଇବର ପରି ଶସ୍ତା ଓ ହାଲକା ଜିନିଷ ଗୁଡିକର ବଜାର ପ୍ରବେଶ ଯୋଗୁ ମଧ୍ୟ କଂସା ବାସନର ଚାହିଦା କମି ଯାଉଛି ବୋଲି ଏହି ଗ୍ରାମର ଅନେକ କଂସା କାରିଗର ଓ ବ୍ୟବସାୟୀ କ୍ଷୋଭ ପ୍ରକାଶ କରିଛନ୍ତି । ଏବେ ଅବଶ୍ୟ ପୁଣି ଲୋକଙ୍କ ଭିତରେ ପାରମ୍ପରିକ କଂସା ବାସନ ପାଇଁ ଆଗ୍ରହ ବଢୁଥିବା ବେଳେ ନିପୁଣ କାରିଗରଙ୍କ ସଂଖ୍ୟା କମି ଗଲାଣି ବୋଲି ଅନ୍ୟ ଜଣେ କାରିଗର ଦୁଃଖର ସହିତ ମତ ଦେଇଥିଲେ ।
ଇନ୍ଦିପୁରର ଏହି କଂସା ଶିଳ୍ପ ଢେଙ୍କାନାଳ ଜିଲ୍ଲା କୁ ସମଗ୍ର ରାଜ୍ୟରେ ଏକଦା ପରିଚୟ ଦେଇ ଥିଲା । ଏବେ କ୍ରମଶଃ ତାହା ଲୁପ୍ତ ହେବାକୁ ବସିଲାଣି । ଢେଙ୍କାନାଳ ଜିଲ୍ଲାର ଗୌରବ ଓ ଏହି ଭିନ୍ନ ଐତିହ୍ୟ ସଂପର୍କରେ ତଥ୍ୟ ଆହରଣ ନିମନ୍ତେ ଆଜି ଇନ୍ଦିପୁର ଗ୍ରାମରେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ୨୯ତମ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଛି । ଆବାହକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ଵରେ ଏତିହ୍ୟ ପଦଯାତ୍ରୀ ମାନେ ଇନ୍ଦିପୁରର ପ୍ରାୟ ଦଶଟି ଶାଳ ପରିଦର୍ଶନ କରି କଂସା ବାସନ ନିର୍ମାଣ ଶୈଳୀ ଦେଖି କାରିଗର ମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଏହା ସହିତ ଏହି ଗ୍ରାମରେ ଥିବା ଏକାଧିକ କଂସା ପିତ୍ତଳ ଗୋଦାମ ଏବଂ ବିକ୍ରୟ କେନ୍ଦ୍ର ବୁଲି ଦେଖିଥିଲେ । ସରକାରୀ ସ୍ତରରେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରା ନଗଲେ ଆମ ଜିଲ୍ଲାର ଏହି ସ୍ଵତନ୍ତ୍ର ଐତିହ୍ୟ ଦିନେ ଲୋପ ପାଇଯିବ ବୋଲି ପଦଯାତ୍ରୀ ମାନେ ଅନୁଭବ କରିଥିଲେ ।
ଆଜିର ପଦଯାତ୍ରାରେ ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ପଟ୍ଟନାୟକ, ରମେଶ ପତି,ବଦ୍ରୀନାଥ ଜେନା,ସ୍ଵର୍ଣ୍ଣପ୍ରଭା ସେଠୀ,ଜନ୍ମେଜୟ ରାଉତ,ସାରନାଥ ମିଶ୍ର,ପଦ୍ମନାଭ ଲେଙ୍କା, ଅକ୍ଷୟ କୁମାର ଦାଶ,ହୃଦାନନ୍ଦ ବେହେରା ,ଆଦିତ୍ୟ ମିଶ୍ର,ଜ୍ଞାନ ରଞ୍ଜନ ସାହୁ,ଭୁବନେଶ୍ୱର ରୁ ଆସି ଥିବା ବରିଷ୍ଠ ପତ୍ରକାର କୃଷ୍ଣଚନ୍ଦ୍ର ମହାପାତ୍ର, ମୋନାଲିସା ତ୍ରିପାଠୀ ଓ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟର ୨୫ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ଇନ୍ଦିପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜ କିଶୋର ସାହୁ ଆଜିର ପଦଯାତ୍ରାକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *