ଢ଼େଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ । ଆସନ୍ତା ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ମା’ଙ୍କ ପୂଜା ଅନୁଷ୍ଠାନ, ୧୫ ରେ ଭସାଣି |
ଢ଼େଙ୍କାନାଳ, ତା. ୧୮.୯.୨୦୨୫-=( ଦର୍ଶନ ସମୀକ୍ଷା) ଢ଼େଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଉପସ୍ଥିତ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇଥିଲେ। ମିଳିତ ବଜାରଲକ୍ଷ୍ମୀ ପୂଜା କମିଟିର ସଭାପତି ଶ୍ରୀରୁଦ୍ର ନାରାୟଣ ତ୍ରିପାଠୀ ଚଳିତ ବର୍ଷ ଲକ୍ଷ୍ମୀପୂଜା ଯେପରି ଅଧିକ ସରସ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ଭାବରେ ସଂପନ୍ନ ହେବ ସେଥିପାଇଁ ସମସ୍ତଙ୍କ ସଦିଚ୍ଛା ଓ ସହଯୋଗ କାମନା କରିଥିଲେ।ଲକ୍ଷ୍ମୀ ପୂଜା ଅବସରରେ ସହରରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ କରିବା, ନିରବିଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା,ରାସ୍ତା ଘାଟ ମରାମତି କରିବା, ପାର୍କିଂବ୍ୟବସ୍ଥା ଓ ଜନସାଧାରଣଙ୍କ ଗମନା ଗମନ ନିମନ୍ତେ ଶୃଙ୍ଖଳିତ ବ୍ୟବସ୍ଥା କରିବା, ଜାତୀୟ ରାଜପଥର ସହର ମଧ୍ୟକୁ ପ୍ରବେଶପଥକୁ ମରାମତି କରିବା, ଅଧିକ ଅସ୍ଥାୟୀ ଶୌଚାଳୟ କରିବା, ଆଶୁ ଚ଼ିକିତ୍ସା ବ୍ୟବସ୍ଥା, ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା,ଖାଦ୍ୟ ପଦାର୍ଥ ଯାଞ୍ଚ କରିବା,ନିଶାଖୋର ଓ ମଦ୍ୟପମାନଙ୍କ ଉପରେ ନଜର ରଖି ଲକ୍ଷ୍ମୀ ପୂଜାକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ବିଭିନ୍ନ ପୂଜା ଅନୁଷ୍ଠାନର କର୍ମକର୍ତ୍ତାମାନେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା, ଗାଡ଼ି ପାର୍କିଂ ସହିତ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପ୍ରକାଶ କରିଥିଲେ। ସମସ୍ତ ପୂଜା ମଣ୍ଡପରେ ସୁରକ୍ଷା ପାଇଁ ନିରାପଦ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଇ ସିସି ଟିଭି କ୍ୟାମେରା ଲଗାଇବା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ସେ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ପୂଜା ଅନୁଷ୍ଠାନ ନିମନ୍ତେ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆବେଦନ ନିମନ୍ତେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯିବ । ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମମାନଙ୍କ ପାଇଁ ପୂଜା ମଣ୍ଡପ ଦର୍ଶନ ନିମନ୍ତେ ୪ ଗୋଟି ବ୍ୟାଟେରୀ ଚାଳିତ ଗାଡ଼ି ପୌରପାଳିକା ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପ୍ରକାଶ କରିଥିଲେ। ସହର ରାସ୍ତା ମଧ୍ୟରୁ ସମସ୍ତ ଗୋରୁଗାଇଙ୍କୁ ଉଠାଇ ନିଆଯିବ ଏବଂ କୌଣସି ପ୍ରକାରରେ ସେଗୁଡ଼ିକୁ ତାଙ୍କ ମାଲିକଙ୍କୁ ଫେରସ୍ତ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ସହରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ । ଏହି ବୈଠକରେ ଆଇ.ଏ.ଏସ. (ପ୍ରୋବେସନ) ଭଗତ ସାମଲ କଲ୍ୟାଣ ରାଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ, ସମସ୍ତ ୩୮ ପୂଜା ଅନୁଷ୍ଠାନ ଓ ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିିଧିମାନେ ଉପସ୍ଥିତି ରହି ଶୃଙ୍ଖଳିତ ପୂଜା ଆୟୋଜନ ନିମନ୍ତେ ମତାମତ ପ୍ରଦାନ କରିଥିଲେ । ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Leave a Reply