ଟ୍ରକ୍ ଚକା ତଳେ ବାଇକ୍ ସହ ଚାପି ହୋଇ ଯୁବକଙ୍କ ମୃତ୍ୟୁ,
କ୍ଷତି ପୂରଣ ଦାବି କରି ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ ।(ଫଟୋ)
ଗରଦପୁର,୩୦/୬(ଦର୍ଶନ ସମୀକ୍ଷା )–ଟ୍ରକ୍ ଓ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ତଳେ ବାଇକ୍ ସହ ଚାପି ହୋଇ ଘଟଣାସ୍ଥଳରେ ବାଇକ୍ ଆରୋହୀର ମୃିତ୍ୟୁ ଘଟିଛି । ଉତ୍ୟକ୍ତ ଗ୍ରାମବାସୀମାନେ ରାସ୍ତାରେ ଟାୟାର ଜାଳି ୩ଘଂଟା କାଳ ରାସ୍ତା ଅବରୋଧ କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ନୂଆପଡା ଗ୍ରାମର ମଥୁରୀ ବେହେରାଙ୍କ ପୁଅ ସୁଶାନ୍ତ କୁମାର ବେହେରା(୩୯) ଆଜି ସକାଳ ସାଢେ ୯ଟା ବେଳେ ଏକ ବାଇକ୍ ରେ ଚାଷ ଜମିରେ କାମ କରୁଥିବା ଲୋକମାନଙ୍କ ପାଇଁ ଘରୁ ଜଳଖିଆ ନେଇ ଯାଉଥିଲେ । ନୂଆପଡା – ଗରଦପୁର ଆରଡି ରାସ୍ତାର କାନାରା ବ୍ୟାଙ୍କ ଛକ ଠାରୁ ୪ଶହ ମିଟର ଦୂରରେ ଥିବା ମମଦଲା ଦଣ୍ଡା ନିକଟରେ ବିପରିତ ଦିଗରୁ ଆସୁଥିବା ଓଡି୨୧-ଯେ୨୬୯୧ ନମ୍ବର ଥିବା ଏକ ଟ୍ରକ୍ରେ ସୁଶାନ୍ତ ବାଇକ୍ ସହିତ ପିଟି ହୋଇ ଟ୍ରକ୍ ଚକ ତଳେ ଚାପି ହୋଇ ରହିଯାଇଥିଲେ । ଏହା ଦେଖି ଟ୍ରକ୍ ଚାଳକ ଫେରାର ହୋଇ ଯାଉଥିବା ଦେଖି ନିକଟରେ ଚାଷ ଜମିରେ କାମ କରୁଥିବା ଲୋକମାନେ ଟ୍ରକ୍ ଚାଳକକୁ ଧରିବା ସହିତ ସୁଶାନ୍ତକୁ ଟ୍ରକ୍ ଚଳ ତଳୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଘଟଣାସ୍ଥଳରେ ସୁଶାନ୍ତର ମୃତ୍ୟୁ ଘଟିଥିଲା । ଏପରି ଅବସ୍ଥା ଦେଖି ଗ୍ରାମର ଶତାଧିକ ଲୋକମାନେ ଉତ୍ୟକ୍ତ ହୋଇ ରାସ୍ତା ଉପରେ ଟାୟାର ଜାଳି ବାଉଁଶ ପକାଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପାଟକୁରା ଥାନା ଅଧିକାରୀ ମହମ୍ମଦ ଜାମ୍ସେଦ ସଦଳବଳେ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ମୃତ ବ୍ୟକ୍ତିଙ୍କୁ ଉଚିତ୍ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିବାରୁ ଗରଦପୁର ତହସିଲ ର ଅତିରିକ୍ତ ତହସିଲଦାର ଗୁଦ୍ରା ଟୁଡୁ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ବାଇକ୍ ଦୀର୍ଘ ସମୟ ପାଇଁ ଅଟକି ରହିଥିଲା । ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ଲୋକ ପ୍ରତିନିଧି,ପୂର୍ବତନ ଲୋକପ୍ରତିନିଧି ଓ ବୁଦ୍ଧିଜିବୀମାନଙ୍କ ସହିତ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ ଆଲୋଚନା କରିବା ପରେ ଟ୍ରକ୍ ମାଲିକ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଏବଂ ଅତିରିକ୍ତ ତହସିଲଦାର ୩୦ ହଜାର ଟଙ୍କା ଶବ ସକ୍ରାର ପାଇଁ ଦେବାରୁ ଦିନ ସାଢେ ୧୨ଟାରେ ରାସ୍ତାରୋକ ହଟିଥିଲା । ପାଟକୁରା ପୁଲିସ କେନ୍ଦ୍ରାପଡା ମେଡିକାଲକୁ ଶବ ବ୍ୟବଛେଦ କରିବା ପାଇଁ ପଠାଇ ଥିବାବେଳେ, ଥାନାରେ ଦୁର୍ଘଟଣା ଜନିତ ମାମଲା ରଜୁ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ପାଟକୁରା ଥାନା ଅନ୍ତର୍ଗତ ଲେଖଡ଼ପଡା ଗ୍ରାମର ନୃସିଂହ ଚରଣ ବେହେରା ଓ ଖଲାସି ଏହି ଥାନା ଅନ୍ତର୍ଗତ ନଡିଆବରାଇ ଗ୍ରାମର ଆକାଶ ମଲ୍ଲିକ ଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା କରୁଛି । ପ୍ରକାଶ ଯେ, ମୃତକ ସୁଶାନ୍ତ ଜଣେ ଅତି ଦରିଦ୍ର ଶ୍ରେଣୀର ଲୋକ । ତାଙ୍କର କେବଳ ବାପା ଓ ମାଆ ଅଛନ୍ତି ।
ଗରଦପୁର //ଟ୍ରକ୍ ଓ ବାଇକ୍ ମୁହାଁ ମୁହିଁ,ଟ୍ରକ୍ ତଳେ ବାଇକ୍ ସହ ଚାପି ହୋଇ ଘଟଣାସ୍ଥଳରେ ବାଇକ୍ ଆରୋହୀର ମୃିତ୍ୟୁ ଘଟିଛି । ଉତ୍ୟକ୍ତ ଗ୍ରାମବାସୀମାନେ ରାସ୍ତାରେ ଟାୟାର ଜାଳି ୩ଘଂଟା କାଳ ରାସ୍ତା ଅବରୋଧ କରିଥିଲେ,

Leave a Reply