ଚଉଦ ବର୍ଷ ତଳର କଥା। ଏଇ ଖବରକାଗଜ ତରଫରୁ ୨୦୦୯ ମସିହା ଫେବ୍ରୁଆରି ୧୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ବିଶିଷ୍ଟ ଦାର୍ଶନିକ ଓ ଦର୍ଶନଶାସ୍ତ୍ରୀ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତି ନିଜର ଅଭିଭାଷଣ ରଖିଥିଲେ ‘‘ଧର୍ମ ଦର୍ଶନ ଓ ସଂସ୍କୃତି’’ ପ୍ରସଙ୍ଗ ଉପରେ। ସେତେବେଳେ ତାଙ୍କ ବୟସ ୮୧, ଯାହାର ସାମାନ୍ୟତମ ଛାପ ବାରି ହେଉନଥିଲା ତାଙ୍କ ସ୍ବରର ସ୍ପଷ୍ଟତା, ସ୍ମୃତିର ପ୍ରମାଦଶୂନ୍ୟତା ଓ ବିଶ୍ଳେଷଣର ଗଭୀର ସଂଚରଣରୁ। ସିଏ ଯାହା କହି ସେଦିନ ସଭାଜନଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଥିଲେ ଅତି ସଂକ୍ଷେପରେ ସେଥିରୁ କେତୋଟି କଥା ଏଇଭଳି- ବାସ୍ତବତା ସହ ସଂଶୟର ସଂଘାତରୁ ହିଁ ଧର୍ମ ଓ ସଂସ୍କୃତିର ଜନ୍ମ। ମଣିଷର ସ୍ଥିତି ତା’ର ଚୈତନ୍ୟ, ଭାଷା ଓ କାମ ଉପରେ ନିର୍ଭରଶୀଳ। ଏ ତିନିଟି ବଦଳିଲେ ଜଗତ୍ର ଅର୍ଥ ବଦଳେ। ସଂସ୍କୃତି ଏକ ପ୍ରବହମାନ ସ୍ରୋତ ଯାହା ସମୟାନୁକ୍ରମେ ବଦଳେ। ଇତିହାସ କହେ ଭାରତ ଉଦାର ଚିନ୍ତାଧାରା ପାଇଁ ପ୍ରସିଦ୍ଧ। ସେଭଳି ଚିନ୍ତାଧାରା କୌଣସି ନିର୍ଦ୍ଦିଷ୍ଟ ତତ୍ତ୍ବର ଗୋଟିଏ ବ୍ୟାଖ୍ୟା ଠିକ୍ ଓ ଅନ୍ୟ ବ୍ୟାଖ୍ୟାଟି ଭୁଲ୍ ବୋଲି ଭାବେ ନାହିଁ; ଫଳରେ ସେ ଧରଣର ଚିନ୍ତାଧାରା ରୁଢ଼ିବାଦୀ ଧାରଣାକୁ ପ୍ରଶୟ ଦିଏ ନାହିଁ। ଭାରତର ସେଭଳି ଐତିହ୍ୟକୁ ହାତଛଡ଼ା କରିବା ମାନେ ସମାଜର ଅହିତ ସାଧନ କରିବା।
ଆମେରିକାରେ ରହି ଆସୁଥିବା ଶ୍ରୀଯୁକ୍ତ ମହାନ୍ତି ସେଇଠି ଗଲା ୭ ତାରିଖରେ ଚାଲିଗଲେ। ତାଙ୍କ ମନନ ଓ ଲିଖନର ଅନେକ କ୍ଷେତ୍ର ଭିତରୁ ତିନିଟି ହେଲା- ନବ୍ୟ ନ୍ୟାୟ, ଜ୍ଞାନ ମୀମାଂସା ଓ ଅନୁଭୂତି ବାସ୍ତବତାବୋଧ ବା ‘ଫିନୋମେନୋଲୋଜି’। ‘ଫିନୋମେନୋଲୋଜି’କୁ ମର୍ମାନୁବାଦରେ ଦୃଶ୍ୟ ପ୍ରପଞ୍ଚ ଶାସ୍ତ୍ର, ପ୍ରତ୍ୟକ୍ଷେବାଧି ଓ ପ୍ରତିଭାସ ବିଚାର ମଧ୍ୟ କୁହାଯାଏ। ଏ ପାର୍ଥିବ ଜଗତ୍ର ଅର୍ଥ କିଛି କମ୍ ନୁହେଁ। ଦୃଶ୍ୟ, ଶବ୍ଦ, ରଙ୍ଗ, ବାସ୍ନା ଓ ସ୍ପର୍ଶ ଆଦି ଅସାର ନୁହନ୍ତି ନିଶ୍ଚୟ। ଅସାର ହୋଇଥିଲେ ଅନୁମାନ, ପ୍ରତ୍ୟକ୍ଷ, ପ୍ରତ୍ୟୟ, ତୁଳନା, ମୂଲ୍ୟାୟନ ଓ ପ୍ରମାଣ ପ୍ରଭୃତିର ଆବଶ୍ୟକତା ନ ଥାନ୍ତା। ଚେତନା ବା ଚୈତନ୍ୟ ସ୍ତରରେ ବିଭିନ୍ନ ପଦାର୍ଥ ବା କଥା କିଭଳି ଉପସ୍ଥାପିତ ହୋଇଥାଏ ଏବଂ ଯେଉଁମାନେ ଚୈତନ୍ୟ ଅନୁଭବ କରୁଥାନ୍ତି, ସେମାନଙ୍କ ପାଇଁ ସେସବୁ ପଦାର୍ଥ ବା କଥାର ଅର୍ଥ କ’ଣ, ତାହା ଉପରେ ପ୍ରାଧାନ୍ୟ ଦେବାକୁ ‘ଫିନୋମେନୋଲୋଜି’ ଆଶା କରେ। ମଝିରେ ଭାଷା ବାଧକ ସାଜିପାରେ। ଚୈତନ୍ୟ ବନାମ ଭାଷା ବିବାଦଟି କେବଳ ସାଂପ୍ରତିକ ନୁହେଁ, ଏହା ଐତିହାସିକ।
ସଂସ୍କୃତ, ଜର୍ମାନି ଓ ଗଣିତରେ ଜିତେନ୍ଦ୍ର ନାଥଙ୍କ ଦଖଲ ତାଙ୍କ ଦର୍ଶନକୁ ବେଶ୍ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ସଂସ୍କୃତ କହିଲେ ଈଶ୍ବର, ନୃପତି ଓ ବିପ୍ରଙ୍କ ପରିସରରେ ଅଟକି ଯାଇଥିବା ମୃତପ୍ରାୟ ଭାଷା ବୋଲି ସିଏ ବୁଝୁନଥିଲେ! ଧର୍ମ, ସଂସ୍କୃତି, ଦର୍ଶନ ଓ ପରଂପରାର ପ୍ରାଚୀନତା ତଥା ଗଭୀରତା ଉନ୍ମୋଚନ କରୁଥିବା ପ୍ରାଣମୟ ଚାବିକାଠି ହେଉଛି ସଂସ୍କୃତ। ତାହା ମାର୍ ତାଳି, ଉଠା ଥାଳି କାଟର ନୁହେଁ। ସେହିଭଳି ଗଣିତ କହିଲେ ଶହେରୁ ଶହେ ନଚେତ୍ ଚିତ୍ପଟାଙ୍ଗ୍ଧର୍ମୀ ବିଷୟ ରୂପେ ନୁହେଁ; ବରଂ ସର୍ବଶ୍ରେଷ୍ଠ ସଂକ୍ଷିପ୍ତ ବୈଜ୍ଞାନିକ ଭାଷା ବୋଲି ବୁଝୁଥିଲେ ମହାନ୍ତି। ଜର୍ମାନି ନ ଜାଣି ଦର୍ଶନ ପ୍ରତି ମନ ବଳେଇବା ଅସମ୍ଭବ ସମ ବିବେଚନା କରାଯାଏ। ୧୯୫୨-୫୪ ଭିତରେ ଜର୍ମାନିର ଗୋଏଟିନ୍ଜେନ୍ ବିଶ୍ବବିଦ୍ୟାଳୟରୁ ଦର୍ଶନରେ ଗବେଷଣା କରି ପିଏଚ୍.ଡି ଲାଭ କରିଥିଲେ ଜିତେନ୍ଦ୍ର। ବିଖ୍ୟାତ ଦାର୍ଶନିକ ହୁସେଲ୍ଙ୍କ ଉପରେ ଥିଲା ତାଙ୍କ କାମ। ଏକ ବିଦାୟୀକାଳୀନ ସଭାରେ ତାଙ୍କ ମାର୍ଗଦର୍ଶକ ହର୍ମାନ୍ ଓଏନ୍ କହିଥିଲେ- ‘‘ମୋର ଜଣେ ପରମ ମିତ୍ର ଆମ ଠୁଁ ଆଜି ବିଦାୟ ନେବେ। ଏଇ କେଇ ବର୍ଷ ଭିତରେ ସିଏ ହେଗେଲ୍ ଓ କାଣ୍ଟଙ୍କ ସମେତ ପ୍ରାୟ ସମଗ୍ର ଜର୍ମାନ୍ ଦର୍ଶନ ପଢ଼ି ଆୟତ୍ତ କରି ସାରିଛନ୍ତି। ଭାବୁଛି ମୋ କୃତି ଉପରେ ଆଖି ପକାଇବାକୁ ସମୟ ପାଇ ନ ଥିବେ।’’ ଶେଷ ବାକ୍ୟଟି ଓଏନ୍ ରହସ୍ୟ କରି କହିଥିଲେ।
ସେବେକାର ଅବିଭକ୍ତ କଟକ ଓ ଏବେକାର କେନ୍ଦ୍ରାପଡ଼ା ଜିଲ୍ଲାର ଚଉଦକୁଲାଟ ପାଖ ନୀଳକଣ୍ଠପୁର ଜିତେନ୍ଦ୍ରଙ୍କ ଗାଁ। ୧୯୨୮ ମସିହାରେ ତାଙ୍କ ଜନ୍ମ କଟକ ସହରରେ। ବାପା ଜଗନ୍ନାଥ ମହାନ୍ତି ଥିଲେ ଜଣେ ବିଚାରପତି। ଦୁଇ ମାମୁଁ ଗୋପବନ୍ଧୁ ଓ ନବକୃଷ୍ଣ ଚୌଧୁରୀ ଏବଂ ମାଇଁ ରମାଦେବୀ ଓ ମାଳତୀ ଚୌଧୁରୀ। ବାପା ଚାହୁଁଥିଲେ ପୁଅ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ବସୁ କିମ୍ବା ଆଇନ ପଢୁ। ହେଲେ ସାନ ମାମୁଁ ନବକୃଷ୍ଣ ତାଙ୍କଠି ଦାର୍ଶନିକଟିଏ ଠାବ କରିସାରିଥିଲେ। ମାମୁଁ ମାଇଁ ଚାରି ଜଣ ଥିଲେ ଯୁବକ ଜିତେନ୍ଦ୍ରଙ୍କ ପ୍ରେରଣାଦାତା। ଗାନ୍ଧୀ ଓ ମାର୍କ୍ସଙ୍କ ପ୍ରତି ଆକର୍ଷଣ ସେଇମାନଙ୍କ ଯୋଗୁଁ। ପତାକା ସହ ଦେଶ ଗଲା ଭଳି ବାପାଙ୍କ ବଦଳି ସହ ଜିତେନ୍ଦ୍ରଙ୍କ ଲାଳନପାଳନ ଓ ଶିକ୍ଷାଲାଭର ଜାଗା ମଧ୍ୟ ବଦଳି ଚାଲିଥିଲା। କେତେବେଳେ କଟକ ତ ଆଉ କେତେବେଳେ ଭଦ୍ରକ।
ଭଦ୍ରକର ସାଳନ୍ଦୀ ନଈ ବିଷୟ ସେ ଶେଷ ଯାଏ ମନେ ରଖିଥିଲେ। ଉଚ୍ଚ ଶିକ୍ଷା ଲାଭ କରିଥିଲେ କଟକର ରେଭେନ୍ସା ଏବଂ କଲିକତାର ପ୍ରେସିଡେନ୍ସି ମହାବିଦ୍ୟାଳୟ ଓ କଲିକତା ବିଶ୍ବବିଦ୍ୟାଳୟରୁ। ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେବା ତାଙ୍କର ଏକ ପ୍ରକାରର ଅଭ୍ୟାସରେ ପଡ଼ିଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଅଧ୍ୟାପନା କରିଥିଲେ ଜିତେନ୍ଦ୍ର ବର୍ଦ୍ଧମାନ ଓ କଲିକତା ବିଶ୍ବବିଦ୍ୟାଳୟରେ ଏବଂ ଆମେରିକାର ଓକଲାହୋମା, ଏମୋରୀ ଓ ଟେମ୍ପୁଲ୍ ବିଶ୍ବବିଦ୍ୟାଳୟରେ ଏବଂ ନ୍ୟୁୟର୍କର ପ୍ରଖ୍ୟାତ ନିଉ ସ୍କୁଲ୍ରେ। ଅଣଚାଳିଶ ବର୍ଷ ବୟସରେ ସିଏ କଲିକତା ବିଶ୍ବବିଦ୍ୟାଳୟରେ ବିବେକାନନ୍ଦ ପ୍ରଫେସର ହୋଇଥିଲେ। ଆଗରୁ ସେଇ ଚେୟାର ଅଳଙ୍କୃତ କରିଥିଲେ ରାଧାକୃଷ୍ଣନ୍। ଅତି ସମ୍ମାନଜନକ ହମ୍ବୋଲଟ୍ ପୁରସ୍କାର ତାଙ୍କୁ ମିଳିଥିଲା ୧୯୯୨ ମସିହାରେ ଏବଂ ପ୍ରାପ୍ତ ରାଶିର କିଛି ଭାଗ ସିଏ ଓଡ଼ିଶାରେ ସାମାଜିକ କାର୍ଯ୍ୟ ନିମନ୍ତେ ବିନିଯୋଗ କରିଥିଲେ।
ଭାରତୀୟ ଦର୍ଶନ, ପାଶ୍ଚାତ୍ୟ ଭାବଧାରା, ତର୍କ ଓ ସତ୍ୟ, ଅଭିପ୍ରାୟ ଓ ଅବଲମ୍ବନ, ଚେତନା ଓ ଅନୁଶୀଳନ ଏବଂ ସ୍ବ ଓ ପର ପ୍ରଭୃତି ଉପରେ ରାଶି ରାଶି ଲେଖା ତଥା ଅନେକ ପୁସ୍ତକ ଇଂରେଜୀରେ ଲେଖିଛନ୍ତି ପ୍ରଫେସର ମହାନ୍ତି। ହେଲେ ଅନେକ ଅନେକ ବର୍ଷ ତଳେ ସିଏ ବିନୋବାଙ୍କ ବିଚାରଧାରା ଉପରେ ଓଡ଼ିଆରେ ପୁସ୍ତିକାଟିଏ ଲେଖିଥିଲେ। ଯୋଗୀ, କବି, ବିପ୍ଲବୀ ଓ ସାଧକ ଅରବିନ୍ଦଙ୍କ ସମ୍ବନ୍ଧରେ ଲେଖାଟିଏ ମଧ୍ୟ। ବହୁ ସାଂସ୍କୃତିକତା ଓ ରାଜନୈତିକ ଔଚିତ୍ୟ ବାବଦରେ ତାଙ୍କର ସ୍ପଷ୍ଟ ଓ ସ୍ବତନ୍ତ୍ର ମତ ରହିଛି। ଆଗରୁ ଉଲ୍ଲେଖ କରାଯାଇଥିବା ଚଉଦ ବର୍ଷ ତଳର ସେହି ସଭାଟିରେ ମହାନ୍ତି ଆହୁରି କହିଥିଲେ- ରାଜନୀତିରେ ସକ୍ରିୟ ଥିବା ଜନନେତା ମହାତ୍ମା ଗାନ୍ଧୀ ବି ଜଣେ ମହାନ୍ ଚିନ୍ତାନାୟକ ଥିଲେ।
ପ୍ରାଚ୍ୟ ଓ ପାଶ୍ଚାତ୍ୟର ଅସୁମାରି ଅନୁଭବ ସମ୍ବଳିତ ଜିତେନ୍ଦ୍ର ନାଥ ରଚିତ ଚମତ୍କାର ଆତ୍ମଜୀବନୀର ନାମ- ‘‘ବିଟୁଇନ୍ ଟୁ ୱାର୍ଲଡ୍ସ: ଇଷ୍ଟ୍ ଆଣ୍ଡ ୱେଷ୍ଟ, ଆନ୍ ଅଟୋବାୟୋଗ୍ରାଫି’’ (୨୦୦୨)। ତାଙ୍କ ପିଲା ବେଳ କଥା। ସେତେବେେଳ କଟକ ସହରର ରାସ୍ତାଘାଟ ଥିଲା ଧୂଳିଆ ଓ ନାଲିଆ। ଇଟା ତିଆରି ପୁରୁଣା ଘର ଭିତରୁ ଅଳ୍ପ କିଛି ଛାତ ବିଶିଷ୍ଟ; ଆଉ ସବୁ ଛପର ସାଙ୍ଗକୁ କୁଡ଼ିଆ, ମାଟିଘର ଓ ବାଉଁଶ କାନ୍ଥି ଘରର ବସ୍ତି। ସହରକୁ ଘେରି ରହିଥିଲେ ଦୁଇଟି ବିଶାଳ ନଦୀ। ସତେ କି ପଣ କରିଥିଲେ ଦୁହିଁଙ୍କ ସୀମା ଭିତରେ ଆବଦ୍ଧ କରି ରଖିବାକୁ ସହରଟିକୁ। ଶୀତ ଓ ଖରା ଦିନ ଗୋଟିଏ ନଈ ସାରା ବାଲି, ପାଣିର କ୍ଷୀଣ ଧାର। ଆରଟିରେ ପ୍ରଚୁର, ଗଭୀର, ନୀଳ ଜଳ। ବର୍ଷା ଦିନ ଆସିଲେ ଦୁହିଁଙ୍କ ଦାଉ କାହିଁରେ କେତେ? ପୁରୁଣା ପଥର ବନ୍ଧ ଯାହା ଦୁହିଁଙ୍କୁ ଆକଟ କରି ରଖିଥିଲା। ସହରର ଠାଏ ଠାଏ, ଷ୍ଟେସନ ରାସ୍ତା ବାଟରେ ଥିଲା ଅନେକ ବାଉଁଶ ଓ ବର ଗଛ। ଲାଗୁଥିଲା ବାଉଁଶ ବଣରେ ସାପ ଓ ବରଗଛ ଡାଳରେ ଅଦୃଶ୍ୟ ଆତ୍ମା ବସବାସ କରୁଛନ୍ତି।
ଜଳ ଜଳ ମନେ ରଖି ଅବତାରଣା କରିଛନ୍ତି ଜିତେନ୍ଦ୍ର ତାଙ୍କ ଗାଁ ନୀଳକଣ୍ଠପୁରର କିଆବାଡ଼, ବରଗଛ ଛାଇ, ଚପଳମତି ପିଲାଙ୍କ ଦୋଳି ଓ ଅନ୍ୟାନ୍ୟ ଦେଶୀ ଖେଳ ଏବଂ ମଶାଣିରେ କେତେକଙ୍କ ଅନ୍ତ୍ୟେଷ୍ଟିକ୍ରିୟା କଥା। ଚେର, ମୂଳ, ଭିଟାମାଟି ଓ ଆଧାର ଶିଳା ପ୍ରତି ଅଭୁଲା ଓ ଜୈବିକ ଆନୁଗତ୍ୟ ଜଣକୁ ବଡ଼ କରିବା ସହିତ ଭଲ ମଧ୍ୟ କରିଥାଏ। ପିଲାଦିନେ ଯୁଆଡ଼େ ଥିଲେ ବି ଖରାଦିନ, ଦଶହରା ଓ ଖ୍ରୀଷ୍ଟମାସ ଛୁଟିରେ ଛୁଟି ଆସୁଥିଲେ ଗାଁକୁ ସିଏ। ଯୌଥ ପରିବାରଟିରେ ଗହଳଚହଳ ଲାଗି ରହୁଥିଲା। ତେଣୁ ପୁଅ ପିଲାଏ ଯାଇ ମନ୍ଦିର ବାରଣ୍ଡାରେ ଡାଳପତ୍ରର ମସିଣା ବିଛେଇ ଶୋଇ ଯାଉଥିଲେ। ଗାଁର ମନ୍ଦିର ପ୍ରାଙ୍ଗଣରେ ଆଉ ସହରର ସାପ କି ଅଦୃଶ୍ୟ ଆତ୍ମାର ଭୟ ପ୍ରାୟ ରହୁନଥିଲା। ତାଙ୍କ ଜୀବନର ଗତିପଥ ବଦଳେଇବାରେ ଶିକ୍ଷକଙ୍କ ଭୂମିକା ଥିଲା ନିର୍ଣ୍ଣାୟକ।
ଗଣିତ ଶିକ୍ଷକ କହୁଥିଲେ- ଜିେତନ୍ଦ୍ର, ଖାଲି ପାଦରେ ଚାଲ। ମାଟି ସହ ପ୍ରତ୍ୟକ୍ଷ ସଂସ୍ପର୍ଶ ମସ୍ତିଷ୍କକୁ ଶକ୍ତିମୟ କରେଇବ। ଇଂରେଜୀ ସାର୍ ପରାମର୍ଶ ଦେଉଥିଲେ- ଠିକ୍ ବନାନ ଶିଖିବା ଭଦ୍ର ଭାବ ବା ସୁଶୀଳ ପଣିଆ ପାଇଁ ସହାୟକ ହୁଏ। ଜିତେନ୍ଦ୍ର ନାଥଙ୍କ ଦର୍ଶନର ଅନ୍ୟତମ ପ୍ରମୁଖ ବିଭବ ହେଲା ପାଦ ଓ ମୁଣ୍ଡର ସୁଶୀଳ ଏକାୟନ।
ବିେନାବା ଭାବେ ଓଡ଼ିଶା ପ୍ରବେଶ କରୁଥାଆନ୍ତି ୧୯୫୫ ମସିହା ଜାନୁଆରି ଶେଷ ସପ୍ତାହରେ। ପଦଯାତ୍ରାରେ। ଜିତେନ୍ଦ୍ର ତାଙ୍କ ସହ ଯୋଗ ଦେଲେ ଏବଂ ଓଡ଼ିଆର ଇଂରେଜୀ ଭାଷ୍ୟ ଆଉ ଅନୁବାଦରେ ମଧ୍ୟ ସାହାଯ୍ୟ କରିଚାଲିଲେ। ଉତ୍ତର ବାଲେଶ୍ବରର ଏକ ଧାନ କିଆରିରେ ବିନୋବା ଓ ଜିତେନ୍ଦ୍ର ଅନ୍ୟମାନଙ୍କ ଗହଣରେ ଆଳାପ-ଆଲୋଚନା କରି ଚାଲି ଚାଲି ଯାଉଥାନ୍ତି। ଜିତେନ୍ଦ୍ର ବିନୋବାଙ୍କୁ ସେଠି ପଚାରିଥିଲେ- ‘‘ଅରବିନ୍ଦଙ୍କ ବେଦ-ବ୍ୟାଖ୍ୟା ବାବଦରେ ଆପଣଙ୍କ ମତ କ’ଣ?’’ ବିନୋବା ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ- ‘‘ବେଦର ତିନି ପ୍ରକାରର ବ୍ୟାଖ୍ୟା କରି ହେବ: ଆଧିଭୌତିକ, ଆଧ୍ୟାତ୍ମିକ ଓ ଆଧିଜୈବିକ।’’ ସେଇ ଏକା ପ୍ରଶ୍ନ ଜିତେନ୍ଦ୍ର ପୂର୍ବରୁ ଥରେ ରାଧାକୃଷ୍ଟନ୍ଙ୍କୁ ମଧ୍ୟ ପଚାରିଥିଲେ। ନିଜ ବ୍ୟକ୍ତିତ୍ବର ଅଭ୍ୟୁଦୟ ଓ ବିବର୍ତ୍ତନ କ୍ରମରେ ପ୍ରଫେସର ମହାନ୍ତି ଅରବିନ୍ଦ ଓ ମାର୍କ୍ସଙ୍କ ଅପେକ୍ଷା ଅଧିକ ଟାଣି ହୋଇଯାଇଥିଲେ ଗାନ୍ଧୀଙ୍କ ଆଡ଼କୁ ଯାହାଙ୍କ ପାଇଁ ତାଙ୍କ ଜୀବନ ଥିଲା ତାଙ୍କ ସନ୍ଦେଶ ବା ଦର୍ଶନ।
ଦାର୍ଶନିକ ପ୍ରଫେସର ଜିତେନ୍ଦ୍ରନାଥ ମହାନ୍ତିଙ୍କୁ ଅନେକ ନାସ୍ତିକ କିମ୍ବା ଅତି କମ୍ରେ ‘ଆଗ୍ନୋଷ୍ଟିକ୍’’- ନାସ୍ତିକ ନୁହଁନ୍ତି କି ଆସ୍ତିକ ନୁହଁନ୍ତି- ଭାବେ ଜାଣନ୍ତି। ଈଶ୍ବରରେ ବିଶ୍ବାସ ବା ଅବିଶ୍ବାସ ଆଧାରରେ ଆସ୍ତିକତା ବା ନାସ୍ତିକତା। ମହାନ୍ତିଙ୍କ ବକ୍ତବ୍ୟ ମୁତାବକ- ‘‘ବସ୍ତୁବାଦ କିମ୍ବା ଆଦର୍ଶବାଦ ପ୍ରସଙ୍ଗ ସହ ଈଶ୍ବରଙ୍କ ଅସ୍ତିତ୍ବର କିଛି ସମ୍ପର୍କ ନାହିଁ। ନା ଆମେ ବୁଝିଚେ ଈଶ୍ବର କହିଲେ ପ୍ରକୃତରେ କ’ଣ ବୁଝାଯାଏ ନା ମୁଁ କେବେ ବି ବୁଝିପାରିବି ତଥାକଥିତ ‘ଈଶ୍ବର’ କେମିତି ମାନବୀୟ ଆବଶ୍ୟକତା ପୂରଣ କରନ୍ତି। ପାରଂପରିକ ଧାର୍ମିକତା ବରଂ ଉଭୟ ଚିନ୍ତନ ଓ କର୍ମପ୍ରବଣତା ବାଟରେ କଣ୍ଟା ସାଜେ।’’
କେମିତି ତେବେ ଜଣେ ସ୍ବାଧୀନ ଓ ଆତ୍ମନିଷ୍ଠ ଚିନ୍ତା କରିପାରିବ? ମୋହ, ପୂର୍ବାଗ୍ରହ ଓ ବୋଝରୁ ମୁକ୍ତ ହେଲେ ତାହା ସମ୍ଭବ ହୋଇପାରିବ। ସ୍ବାଧୀନ ଚିନ୍ତା ଚେତନା ଦର୍ଶନର ଏକ ମୌଳିକ ଆବଶ୍ୟକତା। ତା’ ସାଙ୍ଗକୁ ଅଧ୍ୟବସାୟ ଓ ଅନ୍ତଃକରଣ। ପ୍ରେଫସର ଜିତେନ୍ଦ୍ର ନାଥ ମହାନ୍ତି ଥିଲେ ମୁକ୍ତ ଚିନ୍ତନ, ଅଧ୍ୟବସାୟ ଓ ଅନ୍ତଃକରଣର ଏକ ବିରଳ ସଂଗମ। ସିଏ ‘‘ନିଜର ଅନ୍ତକରଣ’’ରେ ବିଶ୍ବାସ କରୁଥିଲେ; ସେଥିପାଇଁ ତାଙ୍କ ଜୀବନ ଓ ଚିନ୍ତନକୁ ନିରବଚ୍ଛିନ୍ନ ଭାବେ ନିୟୋଜିତ କରିଥିଲେ। କାହିଁକି ନା ଜଣେ ଅସଲ ଦାର୍ଶନିକ କେବଳ ନିଜର ଦାୟିତ୍ବ ପାଇଁ ଦାୟୀ ନୁହନ୍ତି, ସିଏ ଅନ୍ୟର ଦାୟିତ୍ବ ପାଇଁ ଦାୟୀ। ସେଭଳି ଦକ୍ଷତା ଓ ସକ୍ଷମତା ଜଣକୁ ମିଳେ ଅନ୍ତରର ନୟନରୁ, ଖାଲି ଶାରୀରିକ ଆଖିରୁ ନୁହେଁ। ଶାରୀରିକ ଆଖି ଦୃଷ୍ଟି ସମ୍ଭବ କରାଏ, ଅନ୍ତରର ନୟନ ଦର୍ଶନ। ବହୁଲୋଚନର ଅଧିକାରୀ ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତିଙ୍କୁ କୋଟି କୋଟି ପ୍ରଣାମ।