ll *ଛାଡଖାଇ ର ପ୍ରକୃତ ଅର୍ଥ* ll
କାର୍ତ୍ତିକ ମାସର ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ ହେଇଥାଏ। ମାସ ସାରା ହବିଷ ଭକ୍ଷଣ, ଦେବ ଦର୍ଶନ, ପୁରାଣ ପାଠ, ଚଉରା ମୂଳେ ମୁରୁଜ ଆଙ୍କି ରାଇ ଦାମୋଦର, ଲକ୍ଷ୍ମୀ ନାରାୟଣ ,ଶିବ ପାର୍ବତୀଙ୍କ ପୂଜା ଚାଲିଥାଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାଏଁ। ପୂର୍ଣ୍ଣିମାର ପରଦିନକୁ କୁହାଯାଏ *ଛାଡ଼ଖାଇ*। ଏହି ଛାଡଖାଇକୁ ନେଇ ଆମ ମନରେ ଅନେକ ହୀନ ଚିନ୍ତାଧାରା ବର୍ତ୍ତମାନ ସମୟରେ ଦେଖା ଦେଇଚି।ଯେଉଁଟା କି ପ୍ରକୄତ ଛାଡ଼ଖାଇର ସମ୍ପୂର୍ଣ୍ଣ ବିପରୀତ।
କାର୍ତ୍ତିକ ମାସରେ କିଛି ଖାଦ୍ୟପେୟର ବାରଣ ରହିଚି। ଏହାଛଡା କାର୍ତ୍ତିକ ମାସରେ ଚୁଟି କାଟିବା, କିଛି ଫୁଲ, ଫଳ, ପତ୍ର ତୋଳିବା ମଧ୍ୟ ବାରଣ ଥାଏ। ଯେଉଁ ମାନେ କାର୍ତ୍ତିକ ବ୍ରତ କରନ୍ତି ସେମାନେ ମାସ ସାରା ନଖ କାଟନ୍ତି ନାହିଁ, ଚୁଟି କାଟନ୍ତି ନାହିଁ, ତୁଳସୀ ପତ୍ର ତୋଳନ୍ତିନି, କଦଳୀ ପତ୍ର କାଟନ୍ତିନି। ବର୍ଷା ଛାଡିଥାଏ ଆଉ ଶୀତର ଆରମ୍ଭ ହେଇଥାଏ। ଏମିତି ଏକ ମଝାମଝି ରେ କାର୍ତ୍ତିକ ମାସ ଥାଏ। ଏହି ସମୟରେ ପାଣି ପାଗ ସହ ମଣିଷ ଓ ପଶୁପକ୍ଷୀଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ।ଯେମିତି କି ଏଇ ମାସରେ ମଣିଷ ଶରୀର ରେ ପିତ୍ତ ଓ କଫ ଅଧିକ ହେଇଥାଏ।ହଜମ ଶକ୍ତି କମିଯାଏ। ତେଣୁ ଏଇ ମାସରେ ଗୋଟିଏ ଥର ଖାଦ୍ୟ ଗ୍ରହଣ କରିବା ବିଧି ଅଛି। ବିନା ମସଲା,ହଳଦୀରେ ନିର୍ଦ୍ଦିଷ୍ଟ କିଛି ପରିବା କୁ ନେଇ ଖାଦ୍ୟ ପ୍ରସ୍ତୁତ ହେଇଥାଏ।ଯାହା କି ଗରିଷ୍ଠ ହେଇନଥାଏ। ଏହା ହଜମ ଶକ୍ତିକୁ ବଢେଇବା ସହ ଦେହକୁ ରୋଗମୁକ୍ତ କରିଥାଏ। ଆଉ ସାତ୍ତ୍ଵିକ ହୋଇ ଥିବାରୁ ଦେହ ମନ ଶାନ୍ତ ସଂଯମ ରହିଥାଏ।କାର୍ତ୍ତିକ ମାସରେ ମାଛ ମାଂସକୁ ସମ୍ପୂର୍ଣ୍ଣ ବାରଣ କରା ଯାଇଛି। ଏଇ ମାସରେ ମାଛଙ୍କ ଦେହରେ ବସନ୍ତ ହେଇଥାଏ। ଆଉ ଛେଳି, ମେଣ୍ଢା, କୁକୁଡା,ବତକ ଇତ୍ୟାଦିଙ୍କର ପ୍ରଜନନର ଋତୁ ଅଟେ କାର୍ତ୍ତିକ ମାସ।ତେଣୁ କାର୍ତ୍ତିକ ମାସରେ ମାଛ ମାଂସ ଖାଇଲେ ଅନେକ କୁପ୍ରଭାବ ପଡିଥାଏ ମଣିଷ ଶରୀରରେ। ମାସ ସାରା ଗୋଟିଏ ଥର କିଛି ନିର୍ଦ୍ଦିଷ୍ଟ ଶୁଦ୍ଧ,ସାତ୍ତ୍ଵିକ ଆହାର ଗ୍ରହଣ କରା ଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ହେଉଚି ଛାଡ଼ଖାଇ।
ଜଗନ୍ନାଥ ଧାମ ପୁରୀରେ ଥିବା ହବିଷିଆଳି ମାନଙ୍କୁ ପଚାରିବେ – ସେମାନେ କହିବେ ଛାଡଖାଇର ଅର୍ଥ କ’ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି। ପୂର୍ଣ୍ଣମୀ ପରଦିନ ଛାଡଖାଇ ଭାବରେ ପାଳନ କରନ୍ତି। ସେ ଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି। ଯାହାକୁ କୁହାଯାଏ ଛାଡଖାଇ। ଖାଇବା ଯେହେତୁ ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ। ଆମେ ତାକୁ ଅଲଗା ଅର୍ଥରେ ନେଇ ସେଇ ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତାର ବିନା ଇଚ୍ଛାରେ ତାକୁ ମାରି, ତାର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ଆହୁରି ପାପ ଗୁଡିଏ ଅର୍ଜନ କରନ୍ତି। ପ୍ରକୃତ ବାସ୍ତବତା କଣ ଆଉ ଆମର ଭାବନା କଣ ? ଏପର୍ଯ୍ୟନ୍ତ ଆମେ ଆମର ସଂସ୍କୃତିକୁ ଠିକରେ ଜାଣି ପାରିନାହାଁନ୍ତି, କି ବିଡମ୍ବନା ସତରେ। ଉପବାସ କହିଲେ ଦୁଇଟି ଶବ୍ଦ। ଉପଯୁକ୍ତ ବାସ। ଉପ କହିଲେ – ସହଯୋଗ, ବାସ କହିଲେ- ସଦାଚାର। ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। ଆମେ ସବୁ କଥା ଗୋଟେ ଆଉ କାମ ଆଉ ଗୋଟେ କରୁଛନ୍ତି।
ଆଉ କିଛି ଶାସ୍ତ୍ର ଅନୁସାରେ କାର୍ତ୍ତିକ ବ୍ରତ ରେ ଯେଉଁ ଖାଦ୍ୟ ଖାଇବାକୁ ବାରଣ ହେଇଥାଏ, ଛାଡ଼ଖାଇ ଦିନଠୁ ସେ ଖାଦ୍ୟ ସବୁ ପୁଣି ଖାଇବାକୁ ଅନୁମତି ମିଳିଥାଏ।ଗୋଟିଏ ମାସର ସଂଯମ ଯୋଗୁଁ ହଜମ ଶକ୍ତି ବଢିଯାଏ। କାର୍ତ୍ତିକ ବ୍ରତ ଧାରୀ ମାନେ ଛାଡ଼ଖାଇ ଦିନ ମଧ୍ୟ ଏକ ସ୍ବତନ୍ତ୍ର ପୂଜା କରିଥାନ୍ତି। ଚଉରା ମୂଳେ ଭୀମଙ୍କର ଏକ ବାଲିମୂର୍ତ୍ତୀ କରି କିମ୍ୱା ମୁରୁଜରେ ଭୀମଙ୍କ ଏକ ମୂର୍ତ୍ତି ଅଙ୍କନ କରି ତାଙ୍କୁ ପୂଜା କରା- ଯାଏ। ମୁଢି, ଉଷୁନା ଭାତ, ସମସ୍ତ ପରିବା ପଡି ତରକାରୀ, କୋଶଳା ଶାଗ, କାଞ୍ଜି ଇତ୍ୟାଦି ସୁସ୍ୱାଦୁ ଖାଦ୍ୟ ଭୋଗ ବଢାଯାଏ ଭୀମଙ୍କୁ। କାରଣ ଭୀମ ହେଉଚନ୍ତି ଖାଦ୍ୟ ପ୍ରିୟ। ତାଙ୍କର ଦେହର ବଳ ଓ ହଜମ କରିବାର ଶକ୍ତି ଅତୁଳନୀୟ। ତେଣୁ କାର୍ତ୍ତିକ ବ୍ରତ ପରେ ଖାଦ୍ୟ ପ୍ରିୟ ଭୀମଙ୍କୁ ସୁସ୍ୱାଦୁ ଖାଦ୍ୟ ଅର୍ପଣ କରି ତାଙ୍କୁ ସନ୍ତୁଷ୍ଟ କରା – ଯାଏ। ଏହାପରେ ବ୍ରତଧାରୀ ମାନେ ଖାଦ୍ୟ ଗ୍ରହଣ କରନ୍ତି।