Spread the love

ଗପଟିଏ ଜହ୍ନମାମୁଁ ପୃଷ୍ଠାରୁ

       ” ଚିକିତ୍ସା ଶାସ୍ତ୍ର “
      

ଶରଭ ନାମକ ଜଣେ ପୁରୋହିତ ଅମେତି ନାମକ ଏକ ଗ୍ରାମରେ ରହୁଥିଲେ । ତାଙ୍କର ଜଣେ ଝିଅ ଥିଲା । ତାଙ୍କର ଭଣଜାଟିଏ ଅନାଥ ହୋଇଯିବାରୁ ତାକୁ ମଧ୍ୟ ଆଣି ସେ ତାଙ୍କ ଘରେ ରଖିଲେ, ପୁରୋହିତ କାମ ଶିଖାଇ ଦେବାକୁ ଯୁଆଡେ ଯା’ନ୍ତି ତାକୁ ସେ ନିଜ ସଙ୍ଗରେ ନିଅନ୍ତି ।

ଦିନେ ସେ ଶରଭଙ୍କର ପଂଚାଙ୍ଗ ଦରକାର ପଡିଲା । ସେ ତ କାହିଁ କେଉଁକାଳରୁ ପୋଥି ବାନ୍ଧି ରଖିଥିଲେ, ତାକୁ ଏବେ ସେ ବାହାର କଲେ । ଧୂଳି ଝଡା ଝଡି କରି ତାକୁ ସେ ଫିଟାଇ ଦେଖିଲେ । ସେଥିରେ ଗୋଟିଏ ଆୟୁର୍ବେଦ ଗ୍ରନ୍ଥ ଥିଲା । ସେଥିରେ ସବୁ ବଡ ବଡ ରୋଗମାନଙ୍କର ଚିକିତ୍ସା ପଦ୍ଧତି ଲେଖାଥିଲା । ସେ ଗ୍ରନ୍ଥଟି ଦେଖି ସେ ବହୁତ ଖୁସି ହେଲେ । ଜଡିବୁଟିର ଛୋଟ ଛୋଟ ଚିକିତ୍ସା ମଧ୍ୟ ସେଥିରେ ଲେଖା ଥିଲା । ସେ ବହୁତ ଖୁସି ହୋଇ ନିଜ ସ୍ତ୍ରୀଙ୍କୁ ସେହି ଗ୍ରନ୍ଥଟି ଦେଖାଇଲେ ।

ତାଙ୍କ ସ୍ତ୍ରୀ ଖୁସି ହୋଇ କହିଲେ, “ଏଥିରେ ଲେଖା ହୋଇଥିବା ସବୁକଥାକୁ ତ ଆଉ ବିଶ୍ୱାସ କରିହେବ ନାହିଁ ତଥାପି ମଧ୍ୟ ଭଗବାନ୍ ବଡ ଦୟାଳୁ । ତାଙ୍କ କୃପାରୁ ଓ ଆମ ସୌଭାଗ୍ୟରୁ ଏ ଗ୍ରନ୍ଥ ଆମକୁ ମିଳିଛି । କାଲିଠାରୁ ତମେ ଗୋଟିଏ କାମକର । ଦିନେ ଦୁଇଦିନରେ ମରିବା ଭଳି ରୋଗୀକୁ ତମେ ବହି ଦେଖି ଚିକିତ୍ସା କର । ବଡ ବଡ ରୋଗ ଥିବା ଲୋକର ଚିକିତ୍ସା ଦାଇତ୍ତ୍ଵ ତମେ ନେବ ନାହିଁ । କାରଣ ସେମିତି ହେଲେ ବଦନାମ୍ ଶେଷରେ ତୁମର ହେବ । ଯାହାର ଚିକିତ୍ସା ତୁମ ବହିରେ ଅଛି, ସେହିପରି ରୋଗୀ ନିଜ ହାତକୁ ନେବ । ବଂଚିଗଲା ତ ତୁମର ସୁନାମ ହେବ ଧନ ମଧ୍ୟ ତୁମକୁ ମିଳିବ । ଆଉ ମରିଗଲେ ପୁରୋହିତ ଭାବରେ ଧନ ଓ ଗୋଦାନ ମଧ୍ୟ ତୁମେ ପାଇବ ଏପରି କଲେ ଆମେ ତ ଦୁଇଆଡରୁ ଲାଭବାନ୍ ହେବା ।”

ସ୍ତ୍ରୀର କଥା ଶରଭଙ୍କୁ ବହୁତ ଭଲ ଲାଗିଲା; ସେ ଭାବିଲେ ହଠାତ୍ ପୁରୋହିତରୁ ବୈଦ୍ୟ କାମ କଲେ ତାଙ୍କୁ ଏତେ ଯଲ୍ଦି କେହିବି ବିଶ୍ୱାସ କରିବ ନାହିଁ । ଧୈର୍ଯ୍ୟ ଧରି ଚିକିତ୍ସାର ଫଳ ପାଇଁ ଅପେକ୍ଷା କରିବେ ନାହିଁ । କେବଳ ଗୋଟିଏ କଥା ହୋଇପାରେ, ଏ ଚିକିତ୍ସା କାମ ତାଙ୍କ ଭଣଜା ବିନୟ ଦ୍ୱାରା କରାଯାଇ ପାରିବ ।

ଖୁବ୍ ଅଳ୍ପଦିନ ମଧ୍ୟରେ ଶରଭଙ୍କ ଶିକ୍ଷା ଓ ଚିକିତ୍ସା ପୁସ୍ତକ ଦ୍ୱାରା ବିନୟ ଛୋଟ ବୈଦ୍ୟଟିଏ ହୋଇଗଲା । ପ୍ରଥମେ ସେ ଛୋଟ ଛୋଟ ଜଡିବୁଟି ଦ୍ୱାରା ଛୋଟ ଛୋଟ ରୋଗର ଚିକିତ୍ସା କଲା । ମାମୁଁ ବହିଦେଖି ଚିକିତ୍ସା କରିବାର ପ୍ରଣାଳୀ ତାକୁ ବତାଇ ଦିଅନ୍ତି । ସେ ଗ୍ରାମରେ ଆଉ ଜଣେ ବି ବଡ ବୈଦ୍ୟ ଥା’ନ୍ତି । ସେଥିପାଇଁ ବଡବଡ ରୋଗ ଚିକିତ୍ସା କରିବା ପାଇଁ ସେ ବିନୟ କେବେବି ସାହସ କରୁନଥାନ୍ତି ।
ଦିନେ ସେ ଶରଭ ଓ ବିନୟ ପଡୋଶୀ ଗ୍ରାମରେ ବିବାହ ଉତ୍ସବ ଶେଷ କରି ଫେରୁଥାନ୍ତି । ଏହି ସମୟରେ ରାସ୍ତାରେ ଗ୍ରାମର ମୁଖିଆଙ୍କ ଚାକର କହିଲା, “ମହାଶୟ, ଆମ ମାଲିକ ହଠାତ୍ ବେମାର ପଡିଯାଇଛନ୍ତି, ବଡ ବୈଦ୍ୟ ଗରୁଡସ୍ୱାମୀ ତ ବର୍ତ୍ତମାନ ଗ୍ରାମରେ ନାହାଁନ୍ତି । ପାଖରେ ଥିବା ଲୋକମାନେ କହୁଛନ୍ତି ତାଙ୍କ ଅବସ୍ଥା ସାଙ୍ଘାତିକ । ମୋତେ ମାଲିକାଣୀ ଆପଣଙ୍କ ପାଖକୁ ପଠାଇଲେ । ଏଣୁ ମୁଁ ଏପର୍ଯ୍ୟନ୍ତ କେବଳ ଆପଣଙ୍କୁହିଁ ଖୋଜୁଥିଲି ।”

କଥା କ’ଣ କି ଗ୍ରାମ ମୁଖିଆ ସେତେବେଳେ ଖାଇସାରି କ୍ଷେତକୁ ଯାଇଥିଲେ । ଗଛରେ ବହୁତ ପାଚିଲା ଆମ୍ବ ଚାକର ତୋଳିଦେଲା ତ ସେ ବହୁତ ଖାଇ ପକାଇଲେ । ତା’ପରେ ତାଙ୍କୁ ଶୋଷ ହେବାରୁ ସେ ପଇଡ ପାଣି ପିଇ ଦେଲେ । ପୁଣି ତାଙ୍କ ଜମି ପାଖରେ ଥିବା ନିମଗଛରେ ହୋଇଥିବା ମହୁଫେଣାରୁ ମହୁମାଛିଙ୍କୁ ତଡି ସେ ତାଙ୍କ ମହୁ ପିଇଲେ ଓ ପରେ ପରେ ପାନ ଖାଇ ଦେଲେ । ତା’ପରେ ତାଙ୍କ ମୁହଁରୁ ଆଉ କୌଣସି କଥା ବାହାରୁ ନାହିଁ । ଧଡାସ୍ କରି ସେ ତଳେ ପଡିଗଲେ । ଚାକରଟି ଅନ୍ୟମାନଙ୍କ ସହାୟତାରେ କୌଣସିମତେ ତାଙ୍କୁ ଘରକୁ ନେଇ ଆସିଲା ।

ଚାକରଠାରୁ ସବୁକଥା ଶୁଣି ଶରଭ ଘରକୁ ଯାଇ ପୋଥି ଦେଖିଲେ । ସେଥିରେ ଲେଖା ଅଛି ଆମ୍ବ, ପଇଡ ପାଣି, ମହୁ ଓ ପାନ ମିଶିଲେ ବିଷ ହୋଇଯିବ । ତାହାର ଏକମାତ୍ର ଚିକିତ୍ସା ହେଉଛି ଶିରିଷ ଗଛର ଫୁଲ, ପତ୍ର ଚେର ଓ ଗଛ ସବୁ ଚୂର୍ଣ୍ଣ କରି ସେତକ ପାଣିରେ ପିଆଇ ଦେବ ।
ଶରଭ, ବିନୟ ସାହାଯ୍ୟରେ ଶୀଘ୍ର ଚୂର୍ଣ୍ଣ ପ୍ରସ୍ତୁତ କଲେ । ତା’ପରେ ସେ ଦୁହେଁ ମୁଖିଆଙ୍କ ଘରକୁ ଗଲେ । ଶରଭ ଭଣଜାଙ୍କୁ କହିଲେ, “ଏବେ ଏତିକି ପିଆଇଦେଲେ ସେ ଅବଶ୍ୟ ଭଲ ହୋଇଯିବେ ଓ ତୋର ଖ୍ୟାତି ବଢିବ । ଏସବୁ ସେହି ଭଗବାନଙ୍କ ଦୟା ।”

ସେଠାରେ ଯାଇ ସେ ଦୁହେଁ ପହଁଚି ଦେଖିଲେ ଘର ସାରା ଲୋକ ଭର୍ତ୍ତି । ଟିକିଏ ଭୟ ଲାଗିଲା; ତେବେ ସାହସ କରି ସେ ଦୁହେଁ ରୋଗୀ ପାଖକୁ ଗଲେ; ମୁଖିଆଙ୍କର ଜଣେ ବୁଢା ଗୁମାସ୍ତା ଥାଏ । ତା’ର ସ୍ୱଭାବ ସମସ୍ତିଙ୍କୁ ଖେଂଚି କରି କହିବା । ସେ କହିଲା, “ଗରୁଡସ୍ୱାମୀ ବଡ ବୈଦ୍ୟ । ସେ ତ ନାହାଁନ୍ତି । ଏଇ ଛୋଟ ଟୋକା ବିନୟ କ’ଣ ବା ଚିକିତ୍ସା କରିବ । ଭାଗ୍ୟରେ ଆଉ ବଂଚିବାର ଥିଲେ ସେ ନିଶ୍ଚୟ ବଂଚିବେ । ହେଲେ ଏ ଟୋକା ବହୁତ ଧନ ପାଇଯିବ । ଆଉ ଯଦି ଅନ୍ୟକଥା ଭାଗ୍ୟରେ ଲେଖା ହୋଇଥାଏ ତେବେ ତା’ ମାମୁଁ ଗୋଧନ ପାଇବ ।”

ଗୁମାସ୍ତା କଥାରେ ରାଗି ବିନୟ ମୁଖିଆଙ୍କ ପାଟି ଜୋର୍ ଦେଇ ଖୋଲି ସେଥିରେ ଚୂର୍ଣ୍ଣ ପାଣି ଢାଳିଲା । କିଛି ସମୟ ମଧ୍ୟରେ ସେ ମୁଖିଆ ଭଲ କରି ନିଃଶ୍ୱାସ ନେଲେ, ଆଖି ଖୋଲିଲେ ଓ ଉଠିକରି ପଲଙ୍କ ଉପରେ ବସିଲେ ।

▬▬▬▬▬▬▬▬▬▬▬▬▬▬▬

Leave a Reply

Your email address will not be published. Required fields are marked *