ସମ୍ବିଧାନ
ପ୍ରାୟତଃ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ଇଉରୋପୀୟ ସଭ୍ୟତାରେ ରାଜତନ୍ତ୍ର ଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସମାନତାର ସାମଞ୍ଜସ୍ୟ ଏତେ ପ୍ରଖର ଥିଲା ଯେ ତାହା ‘ଗଣତନ୍ତ୍ର’କୁ ଜନ୍ମ ଦେଇଥିଲା। ସେତେବେଳର ରାଜତନ୍ତ୍ରକୁ ଭେଦ କରିବା କଷ୍ଟକର ବ୍ୟାପାର ଥିଲେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଓ ଉଚ୍ଚଶିକ୍ଷିତ ମଧ୍ୟମବର୍ଗଙ୍କ ନେତୃତ୍ୱରେ ତଥା ଅନୁନ୍ନତ ଶ୍ରେଣୀର ସମ୍ପୂର୍ଣ୍ଣ ସହଯୋଗରେ ଜନଆନ୍ଦୋଳନ ଜରିଆରେ ଏସବୁ ସମ୍ଭବ ହୋଇ ପାରିଥିଲା। ଏହାର ଏକ ନିଦର୍ଶନ ଥିଲା ‘ଫରାସୀ ବିପ୍ଳବ’। ପାଶ୍ଚାତ୍ୟର ଏପରି ସଂସ୍କାରଭିତ୍ତିକ ସ୍ୱାଧୀନ ତଥା ସ୍ୱଚ୍ଛ ଶାସନ ବ୍ୟବସ୍ଥା ପ୍ରାଚ୍ୟ ରାଷ୍ଟ୍ରମାନଙ୍କରେ ମଧ୍ୟ ପ୍ରତିବିମ୍ୱିତ ହୋଇଥିଲା। ଫଳସ୍ୱରୂପ ବିଶ୍ୱର ଅନେକ ଦେଶ ପୂର୍ବ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ କରି ଗଣତନ୍ତ୍ରକୁ ଚୟନ କରିଥିଲେ।
ପରାଧୀନତାର ଦୀର୍ଘ ବିଷାଦରୁ ମୁକ୍ତି ପାଇ ଭାରତ ମଧ୍ୟ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଗ୍ରହଣ କରିଥିଲା। ଦେଶର ବିଭିନ୍ନତାକୁ ଦୃଷ୍ଟିରେ ରଖି ତତ୍କାଳୀନ ସମ୍ୱିଧାନ ପ୍ରଣେତାମାନେ ସ୍ୱତନ୍ତ୍ରତାର ସଦୁପଯୋଗ ପାଇଁ ବହୁବିଧ ନିୟମାବଳୀକୁ ଭାରତୀୟ ସମ୍ୱିଧାନରେ ଅନ୍ତର୍ଭୁକ୍ତ କରିଥିଲେ। ଜାନୁଆରୀ ୨୬ ତାରିଖ ୧୯୫୦ ମସିହାରେ ଭାରତକୁ ‘ଗଣତାନ୍ତ୍ରିକ ରାଷ୍ଟ୍ର’ ଘୋଷଣା ସମୟରେ ଭାରତୀୟ ସମ୍ୱିଧାନରେ ୩୯୫ଟି ଧାରା, ୨୨ଟି ଭାଗ ଏବଂ ୮ଟି ଅନୁଚ୍ଛେଦ ସହିତ ଏହା ବିଶ୍ୱର ଦୀର୍ଘତମ ସମ୍ୱିଧାନର ମାନ୍ୟତା ପାଇଥିଲା। ଆବଶ୍ୟକାନୁଯାୟୀ ଏଥିରେ ବର୍ତ୍ତମାନ ୪୪୮ଟି ଧାରା, ୨୫ ଭାଗ ଏବଂ ୧୨ ଅନୁଚ୍ଛେଦ ରହିଛି। ଯଦିଓ ଏହା ଦୁନିଆର ସବୁଠୁ କନିଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଅଛି, ତଥାପି ବ୍ୟବସ୍ଥିତ ପଦ୍ଧତିରେ ଏହାର ଅନେକ ଜୀବନ୍ତ ଗଣତାନ୍ତ୍ରିକ ଆବେଦନ ରହିଛି। ଏହା ଏକ ସଂସଦୀୟ ଗଣତନ୍ତ୍ର ହୋଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଗୁଣବତ୍ତା ଶାସନ ଯୋଗାଇବା ପାଇଁ ଏଥିରେ ଅନେକଗୁଡ଼ିଏ ଅଭିନବ ଏବଂ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି।
ଭାରତୀୟ ସମ୍ୱିଧାନ ପ୍ରକୃତରେ ୧୯୫୨ ମସିହାଠାରୁ କାର୍ଯ୍ୟକ୍ଷମ ହୋଇ ଅନେକ ବିଲ ପାରିତ କରିଥିଲେ ହେଁ ୧୮୬୧ ରୁ ୧୯୪୭ ମଧ୍ୟରେ ସାମ୍ରାଜ୍ୟ ବିଧାନ ପରିଷଦ (ବ୍ରିଟିଶ ଇମ୍ପେରିୱାଲ ଲେଜିଲେଟିଭ କାଉନସିଲ) ଏବଂ ୧୯୪୯ରୁ ୧୯୫୨ ପର୍ଯ୍ୟନ୍ତ ଅସ୍ଥାୟୀ ସଂସଦ (ପ୍ରୋଭିସିନାଲ ପାର୍ଲିଆମେଣ୍ଟ) ଦ୍ୱାରା ବହୁ ବିଧେୟକ ପାରିତ ଓ କାର୍ଯ୍ୟକ୍ଷମ ହୋଇ ଆସୁଥିଲା। ୧୯୫୨ ମସିହାରୁ ୨୦୨୨ ମସିହା ମଧ୍ୟରେ ସଂସଦର ଉଭୟ ଗୃହ ଦ୍ୱାରା ପାରିତ ହୋଇଥିବା ବିଧେୟକ ସଂଖ୍ୟା ୩୯୫୩ ଏବଂ ସଂସଦ ଆରମ୍ଭରୁ ସେପ୍ଟେମ୍ୱର ୨୦୨୩ ସୁଦ୍ଧା ଭାରତୀୟ ସମ୍ୱିଧାନରେ ୧୦୬ଟି ବିଷୟରେ ସଂଶୋଧନ ହୋଇଆସିଛି। ଭାରତର ସଂସଦୀୟ ଗଣତନ୍ତ୍ର ସର୍ବସାଧାରଣଙ୍କ ଉନ୍ନତି ସକାଶେ ବିଧିବଦ୍ଧ ଭାବେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମାଧ୍ୟମରେ ଅନେକ ଗୁଣବତ୍ତା ଓ ନ୍ୟାୟସଂଗତ ପଦକ୍ଷେପ ନେବାରେ ସଫଳ ହୋଇଆସିଛି। ଉଦାହରଣ ସ୍ୱରୂପ ୧୯୫୨ ମସିହାର ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନିର୍ବାଚନ ଅଧିନିୟମ, ୧୯୫୫ର ନାଗରିକ ଅଧିକାର ଅଧିନିୟମ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିନିୟମ ଏବଂ ହିନ୍ଦୁ ବିବାହ ଆଇନ, ୧୯୫୬ର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନିୟମ, ରାଜ୍ୟ ପୁନର୍ଗଠନ ଆଇନ, ଖବରକାଗଜ (ମୂଲ୍ୟ ଏବଂ ପୃଷ୍ଠା) ଅଧିନିୟମ, ଜାତୀୟ ରାଜପଥ ଅଧିନିୟମ, ୧୯୬୧ର ଯୌତୁକ ନିଷେଧ ନିୟମ ଏବଂ ଆୟକର ନିୟମ, ୧୯୬୩ର ସରକାରୀ ଭାଷା ଅଧିନିୟମ, ୧୯୬୪ର ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା ଅଧିନିୟମ ଏବଂ ଭାରତୀୟ ଖାଦ୍ୟ ନିଗମ ଅଧିନିୟମ, ୧୯୭୬ର ବନ୍ଧିତ ଶ୍ରମ ବ୍ୟବସ୍ଥା (ବିଲୋପ) ଅଧିନିୟମ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଅଧିନିୟମ, ୧୯୭୮ର ପ୍ରେସ୍ କାଉନସିଲ୍ ଅଧିନିୟମ, ୧୯୮୦ର ଜଙ୍ଗଲ (ସଂରକ୍ଷଣ) ଅଧିନିୟମ, ୧୯୮୧ର ଅପାର୍ଥିଡ(ମିଳିତ ଜାତିସଂଘର ସମ୍ମିଳନୀ) ଅଧିନିୟମ ଏବଂ ଜାତୀୟ ବ୍ୟାଙ୍କ କୃଷି ଏବଂ ଗ୍ରାମୀଣ ବିକାଶ ଆଇନ, ୧୯୮୬ର ଶିଶୁ ଶ୍ରମ (ନିଷେଧ ଏବଂ ନିୟମାବଳୀ) ଅଧିନିୟମ ଏବଂ ଗ୍ରାହକ ସୁରକ୍ଷା ଆଇନ, ୧୯୮୭ର ବୈଷୟିକ ଶିକ୍ଷା ଅଧିନିୟମ ପାଇଁ ସର୍ବଭାରତ ପରିଷଦ, ୧୯୮୮ର ଦୁର୍ନୀତି ନିବାରଣ ଆଇନ ଏବଂ ମୋଟର ଯାନ ଅଧିନିୟମ, ୧୯୯୦ର ମହିଳା ଜାତୀୟ ଆୟୋଗ ଆଇନ, ୧୯୯୩- ୧୯୯୪ ର ମାନବିକ ଅଧିକାରର ସୁରକ୍ଷା, ୨୦୦୦ମସିହାର ନାବାଳକ ନ୍ୟାୟ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଇତ୍ୟାଦି ଭାରତୀୟ ଜନସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି କହିଲେ ଭୁଲ ହୋଇ ନ ପାରେ।
ସଂସଦରେ ଗୋଟିଏ ବିଲ ଅଧିନିୟମ ହେବାକୁ ମାନସିକ, ଅର୍ଥନୈତିକ ଓ ପ୍ରଶାସନିକ ପ୍ରକ୍ରିୟାର ଯଥେଷ୍ଟ ବ୍ୟବହାର ହୋଇଥାଏ। ଉପସ୍ଥାପନା- ଆଲୋଚନା, ତର୍କ – ବିତର୍କ, ବାଦ-ବିବାଦ, ପ୍ରଶଂସା-ଭର୍ତ୍ସନା ଇତ୍ୟାଦି ସମସ୍ତ ଆଲୋଡ଼ନର ଶୀର୍ଷରେ ପ୍ରସ୍ତୁତ ହୋଇଥାଏ ଏକ ଅଧିନିୟମ, ଯାହାର କାର୍ଯ୍ୟକାରୀ ପଛରେ କେବଳ ଗୋଟିଏ ଲକ୍ଷ୍ୟ ଥାଏ, ତାହା ହେଉଛି – ଜନସ୍ୱାର୍ଥ। ଭାରତୀୟ ସଂସଦ ଚଳାଇବା ପାଇଁ ପ୍ରତି ମିନିଟରେ ପ୍ରାୟ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।
ଯଦିଓ ଭାରତୀୟ ସଂସଦ ବିଂଶ ଶତାବ୍ଦୀରେ ଆହୁରି ଅନେକ ଅଭିବୃଦ୍ଧିଭିତ୍ତିକ କାର୍ଯ୍ୟ ହାତକୁ ନେଇପାରିଥା’ନ୍ତା ବୋଲି ଆଶା ପ୍ରକଟ କରାହୁଏ ତେବେ ଏହା ପଛରେ ଥିବା ବାସ୍ତବ ସମସ୍ୟା ହେଲା ସ୍ୱାଧୀନୋତ୍ତର ଭାରତରେ ବ୍ରିଟିଶ ଶାସନକାଳୀୟ କାର୍ଯ୍ୟପନ୍ଥା, ଅନ୍ତଦ୍ୱର୍ନ୍ଦ୍ୱ ସମସ୍ୟା, ବିଶ୍ୱ ରାଜନୀତିର ପ୍ରଭାବ, ଅଶିକ୍ଷା, ଦାରିଦ୍ର୍ୟ, ରାଜନୈତିକ ସମସ୍ୟା, ପ୍ରଚଳିତ ସାମାଜିକ କୁପ୍ରଥା ଇତ୍ୟାଦି। ଏସବୁ ସତ୍ୱେ ଭାରତ ଆଜି ବିଶ୍ୱର ଏକ ସାମର୍ଥ୍ୟ ରାଷ୍ଟ୍ର। ବିଶ୍ୱ ରାଜନୀତିରେ ସକ୍ରିୟ ନେତୃତ୍ୱ ନେବାର ସାମର୍ଥ୍ୟ ଜି – ୨୦ ସମ୍ମିଳନୀରୁ ସ୍ପଷ୍ଟ ଅନୁମେୟ। ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇ ଏହା ଏକ ଅର୍ଥନୈତିକ ଶକ୍ତି ଭାବେ ଗୌରବ ଲାଭ କରିଛି। ବିଶ୍ୱ ଏକତା ବଜାୟ ରଖିବା ପାଇଁ ଏହାର ଶାନ୍ତିପ୍ରିୟ ପ୍ରୟାସ ଉଚ୍ଚକୋଟୀର। ଭାରତର ‘ବସୁଧୈବ କୁଟୁମ୍ୱକମ୍’ ସନ୍ଦେଶରେ ଆଜି ବିଶ୍ୱ ଉଲ୍ଲସିତ। ଜାତିସଂଘରେ ଏଯାବତ ଯଦି କୌଣସିଦେଶରୁ ସର୍ବାଧିକ ସୈନ୍ୟ ଶାନ୍ତି ରକ୍ଷା ଉଦ୍ଦେଶ୍ୟରେ ନିୟୋଜିତ ହୋଇଥା’ନ୍ତି, ସେ ଦେଶ ହେଉଛି ଭାରତ। ଭାରତର ପ୍ରାୟ ୧, ୯୫, ୦୦୦ ସୈନ୍ୟ ଶାନ୍ତି ସ୍ଥାପନା ପାଇଁ ୪୯ରୁ ଅଧିକ ମିଶନରେ ଯୋଗଦାନ କରିଆସିଛନ୍ତି। ତନ୍ମଧ୍ୟରୁ ସର୍ବୋଚ୍ଚ ବଳିଦାନ ମଧ୍ୟ ଭାରତର (୧୬୮) ସୈନିକମାନେ ଦେଇଛନ୍ତି। ଏସବୁ ପଛରେ ଜନସାଧାରଣଙ୍କ ଗଣତନ୍ତ୍ର ପ୍ରତି ଥିବା ବିଶ୍ୱାସ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କ ନିଷ୍ଠାପର ସାଧନା ରହିଥିବା ଜଣାଯାଏ।
୨୬ ଜାନୁଆରୀ ୨୦୨୪ ମସିହା ଭାରତ ପାଇଁ ସ୍ୱତନ୍ତ୍ର। କାରଣ ଆଜି ଦେଶ ଏହାର ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ପାରମ୍ପରିକ ରୀତିନୀତି ଓ ଆଧୁନିକତାର ସମ୍ମିଶ୍ରଣ ସହ ତାଳ ମିଳେଇ ଏହା ଆଜି ଅଗ୍ରସର। ‘ଏକବିଂଶ ଶତାବ୍ଦୀ ହେଉଛି ଭାରତର’ – ସ୍ଲୋଗାନ ନେଇ ଗଣତାନ୍ତ୍ରିକ ଭିତ୍ତିରେ ଜନକଲ୍ୟାଣର ଅନେକ ଆଶା ଓ ଆକାଂକ୍ଷାକୁ ଏକ ଦିଗ ନିର୍ଣ୍ଣୟ କରିବା ଉଦ୍ଦେଶ୍ୟରେ ଏହା ତତ୍ପର। ‘ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର’। ଏହି ଆଧାରରେ ଗୋଟିଏ ପରେ ଗୋଟିଏ ଜନକଲ୍ୟାଣକାରୀ ଆଇନ ଭାରତ ପ୍ରଣୟନ କରି ଆସିଛି। ତେଣୁ କୁହାଯାଏ, ଭାରତୀୟ ଗଣତନ୍ତ୍ରର ବୟସ ଯେତିକି ବୃଦ୍ଧି ପାଉଛି ତା’ର ପରିପକ୍ୱତା ମଧ୍ୟ ସେହି ଅନୁପାତରେ ଉନ୍ନତ ହେଉଛି। ସୂଚନା ଅଧିକାର (ଆରଟିଆଇ) ଆଇନ, ମନି ଲଣ୍ଡରିଂ ଆକ୍ଟ ୨୦୦୨, ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା (୨୦୦୫), ମହତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ୨୦୦୫, ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଅଧିନିୟମ ୨୦୦୮, ଶିଶୁମାନଙ୍କର ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ ବା ଶିକ୍ଷା ଅଧିକାର ଆଇନ ୨୦୦୯, ଯୌନ ଅପରାଧ ଆଇନରୁ ଶିଶୁମାନଙ୍କର ସୁରକ୍ଷା ଆଇନ ୨୦୧୨, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩, ଷ୍ଟ୍ରିଟ୍ ଭେଣ୍ଡର (ସୁରକ୍ଷା ଜୀବିକା ଏବଂ ଷ୍ଟ୍ରିଟ୍ ଭେଣ୍ଡିଂର ରେଗୁଲେସନ୍) ଆଇନ ୨୦୧୪, ମୁସଲିମ୍ ମହିଳା (ବିବାହ ଉପରେ ଅଧିକାରର ସୁରକ୍ଷା) ଅଧିନିୟମ ୨୦୧୯, ମହିଳା ସଂରକ୍ଷଣ ବିଲ୍ ୨୦୧୩ ଇତ୍ୟାଦି ଏହାର ଉଦାହରଣ।
ଯୁଗୋପଯୋଗୀ ଆଇନ ପ୍ରଣୟନ ତଥା ଏହାର ସଦୁପଯୋଗ କରି ଜନସାଧାରଣଙ୍କୁ ସଶକ୍ତ କରିବା ପ୍ରୟାସ ଭାରତୀୟ ଗଣତନ୍ତ୍ରରେ ଅନେକ ମାତ୍ରାରେ ସଫଳ ହୋଇଛି। କିନ୍ତୁ ଆହୁରି ଯେ ଅନେକ ଅଭାବ ରହି ଯାଇଛି ଏ ଅଭିଯୋଗକୁ ଏଡ଼ାଇ ହେବ ନାହିଁ। ଏକ ସୁସ୍ଥ ଗଣତନ୍ତ୍ର ସବୁବେଳେ ପ୍ରଜାଙ୍କୁ ପ୍ରଲୋଭନରୁ ଦୂରରେ ରଖିବା ଉଚିତ। ନିର୍ବାଚନରେ ପ୍ରଜା ନିର୍ଭୟରେ, ନିଦ୍ୱର୍ନ୍ଦ୍ୱରେ ଏବଂ ସ୍ୱଇଚ୍ଛାରେ ଭୋଟ ଦେବା ଦରକାର, ଆହୁରି ମଧ୍ୟ ନିର୍ବାଚନରେ ଅର୍ଥବଳ, ବାହୁବଳ ଏବଂ କୁପ୍ରଭାବର ମାତ୍ରା ସମ୍ପୂର୍ଣ ବନ୍ଦ ହେବା ଦରକାର। ନିର୍ବାଚନୀ ହିଂସା ଓ ଆକ୍ରୋଶ ଶାନ୍ତିପ୍ରିୟ ଭୋଟଦାନ ପ୍ରକ୍ରିୟାକୁ କ୍ଷୁଣ୍ଣ କରିଥାଏ। ଠିକ ସେହିପରି ଜନତାଙ୍କ ସେବା ଅପେକ୍ଷା କ୍ଷମତା ପାଇଁ ଲୋଭନୀୟ ଯୋଜନା ନୀତି ଦ୍ୱାରା ଦେଶର ଅର୍ଥନୈତିକ ଓ ସାମାଜିକ ସନ୍ତୁଳନ ବିଗିଡ଼ି ଯାଇଥାଏ। ମୋଟାମୋଟି ଭାବେ ଏହା କୁହାଯାଇପାରେ ଯେ ଗଣତନ୍ତ୍ରର ପ୍ରକୃତ ପରିଚୟ ସେତେବେଳେ ଅନୁଭବ କରିହେବ ଯେବେ ଏହାର ପ୍ରତ୍ୟେକ ନାଗରିକ ସ୍ୱତଃସ୍ପୂର୍ତ୍ତ ଭାବେ ନିଜକୁ ସ୍ୱାଧୀନ ଅବା ମୁକ୍ତ, ସମୃଦ୍ଧ ଓ ନ୍ୟାୟ ସଂଗତ ଭାବେ ଉପସ୍ଥାପନା କରିପାରିବେ।