ll କୃଷ୍ଣ ବଳରାମ ବେଶ ll
ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ଆଜି ଅନ୍ତିମ ବେଶ କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଏହି ବେଶ ବହୁତ ଆକର୍ଷଣୀୟ ତଥା ମନୋରମ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିଲା ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ , ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଯୋଗମାୟା ବେଶରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳରେ ଗୋ ବତ୍ସା ଚାରଣର ବାତାବରଣ ସ୍ପଷ୍ଟ ପ୍ରତୀୟମାନ ହୁଏ ଏହି ବେଶରେ । ଏହି ବେଶରେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କର ଦୁଇ ହସ୍ତ ଓ ମା ସୁଭଦ୍ରା ଚତୁର୍ଭୁଜ ଧାରଣ କରିଥାନ୍ତି ।
ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି ।ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥାନ୍ତି। ଶ୍ରୀଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ସୋଲ ନିର୍ମିତ ପଦ୍ମ, ବଡଠାକୁର ଡାହାଣ ଭୁଜରେ ସିଙ୍ଗା ଏବଂ ବାମ ଭୁଜରେ ସୋଲ ପଦ୍ମ ଧାରଣ କରିଥାନ୍ତି । କିରୀଟି ଉପରେ ସପ୍ତଫେଣୀ ନାଗ ଶୋଭା ପାଇଥାଏ । ହସ୍ତ ମଧ୍ୟ କାଠରେ ତିଆରି ହୋଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ମା (ପଦ୍ମାସନ) ଉପନିବଶ କରନ୍ତି ।ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଶ୍ରୀପୟର, ପାଉଁଜି,ବାଙ୍କି, ପାହୁଡ଼, ଗୋଡ଼ମୁଦି, ମଲ୍ଲ କଢ଼ି , ଚନ୍ଦ୍ର, ଚିତା, ନାକଚଣା, ହାତ ଫେର, ଖଡୁ ଇତ୍ୟାଦିରେ ସାରା ଶରୀର ଶୋଭା ପାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ଦେବୀ ସୁଭଦ୍ରା ଏହି ବେଶରେ ୪ ହସ୍ତ ଅଭୟ ବରଦ , ପାଶ , ଅଙ୍କୁଶ ଧାରଣ କରିଥାନ୍ତି। ସବୁ ଠାକୁରଙ୍କ କିରୀଟରେ କଦମ୍ବ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ ।ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି । ଏହାସହ ଖିରି, ଅମ୍ବାଲୁ ଆଦି ଭୋଗ ଲାଗି କରାଯିବ । ଯଦି ରଘୁନାଥ ବେଶ ତୁଳନା ରେ ଦେଖା ଯାଏ ତେବେ କୃଷ୍ଣ ବଳରାମ ବେଶ ମଧ୍ୟ ସେହି ପରି ବିଶାଳ ରୂପରେ ହୋଇଥାଏ। ଏହି ବେଶ ଦେଖିଲେ ଗୋପୀ ଗୋପାଳଙ୍କ ସହିତ କୃଷ୍ଣ ବଳରାମ ବୃନ୍ଦାବନରେ ଲୀଳା କରୁଥିଲା ଭଳି ପ୍ରତୀୟମାନ ହୁଏ। ଏହି ବେଶ ଥାଇ ଶ୍ରୀଜୀଉମାନଙ୍କ ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ଏହା ବିଳମ୍ବିତ ରାତ୍ରୀ ଯାଏ ଚାଲିଥାଏ। ତତ୍ପରେ ବେଶ ଓଲାଗି ହୋଇ ଅନ୍ୟ ନୀତି ହୋଇଥାଏ।
ପୂର୍ବେ ଏହି ଦିନ ମହାପ୍ରଭୁଙ୍କର ଗିରିଟେକା ବା ଗିରିଗୋବର୍ଦ୍ଧନ ବେଶ ଅନୁଷ୍ଠିତ ହେଉଥିଲା ଏହି ବେଶ ବଡ ଓଡିଆ ମଠ ଆନୁମାନିକ ୧୫୨୪ ଖ୍ରୀଷ୍ଟାବ୍ଦରେ କରାଉଥିଲେ। ମାତ୍ର ପରେ ଏହା ବନ୍ଦ ହୋଇଯାଇଥିଲା। ଖ୍ରୀଷ୍ଟାବ୍ଦ ୧୮୪୫ ପରଠାରୁ ଏହାର ପୁନଃ ପ୍ରଚଳନ କରାଗଲା।
"ଭଜ ଆରେ ମନ ଶ୍ରୀନନ୍ଦନନ୍ଦନ ମୋହନ
ମୁରଲୀ ଧାରିଙ୍କିରେ।।
ଯାମଳା ଭନ୍ଜନ କାଳୀୟଗନ୍ଜନ
ଗିରିଗୋବର୍ଦ୍ଧନ ଧାରିଙ୍କିରେ"।।
ପ୍ରକୃତି ପାହାଡ଼ ପର୍ବତ ଯୋଗୁଁ ଆମ୍ଭେ ଏହି ଚରାଚର ବିଶ୍ୱରେ ଜୀବନ ଅତିବାହିତ କରୁଛେ। ସେଥିପାଇଁ ଦ୍ୱାପରରେ ଶ୍ରୀକୃଷ୍ଣ ଙ୍କ ପ୍ରସ୍ତାବ କ୍ରମେ ଗୋପପୁର ବାସୀ ଦେବରାଜ ଇନ୍ଦ୍ରଙ୍କ ପୂଜା ନକରି ଗିରିରାଜ ଗୋବର୍ଦ୍ଧନ ଙ୍କ ପୂଜାର୍ଚନା କରିଥିଲେ। ଫଳରେ ଇନ୍ଦ୍ର କୋପବର୍ଷଣ ଭାବେ ଚତୁର୍ମେଘ ର ତାଣ୍ଡବ ଲୀଳା କରିଥିଲେ ଗୋପପୁରେ। ଇନ୍ଦ୍ରଙ୍କ ର ଗର୍ବ ଗାରିମା ଚୂର୍ଣ ନିମନ୍ତେ ଶ୍ରୀକୃଷ୍ଣ ତାଙ୍କ କନିଷ୍ଠ ଆଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଟେକିଧରି ଗୋପବାସୀ ଙ୍କୁ ରକ୍ଷା କରିଥିଲେ। ଏବଂ ପରେ ଇନ୍ଦ୍ର ତାଙ୍କ ଦୋଷ ଜାଣିପାରି ଭଗବାନଙ୍କ ଶରଣାପର୍ନ୍ନ ହୋଇଥିଲେ। ଦ୍ୱାପର ଯୁଗର ଏହି ଲୀଳାକୁ ଉଜ୍ଜୀବିତ ରଖିବା ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିଲା ଗିରିଗୋବର୍ଦ୍ଧନ ବେଶ ।
ଭାଦ୍ରବ କୃଷ୍ଣପକ୍ଷ ତ୍ରୟୋଦଶୀରେ ଶ୍ରୀଜୀଉମାନଙ୍କ ହେଉଥିବା କୃଷ୍ଣ ବଳରାମ ବେଶ ଆଜକୁ ପ୍ରାୟ ୭୬ ବର୍ଷ ହେବ ଆରମ୍ଭ ହୋଇଛି।ପୂର୍ବେ ଏହି ଦିନ ଗିରିଟେକା ବେଶ ଅନୁଷ୍ଠିତ ହୋଇଥିଲା ।କିନ୍ତୁ କିଛି ନିର୍ଦ୍ଧିଷ୍ଟ କାରଣ ଯୋଗୁଁ ଏହା ଆଉ ହେଇପାରିନଥିଲା। କଟକ ଜିଲ୍ଲା ସାଲେପୁର ର ଖଣ୍ଡ ସାହି ଗ୍ରାମର ସ୍ବର୍ଗତ ରାୟ ସାହେବ ଚୌଧରୀ ଗୋପବନ୍ଧୁ ମିଶ୍ର ଅପୁତ୍ରିକ ଥିଲେ । ୧୯୪୩ ମସିହା ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ପୁତ୍ର ଲାଭ କରିଥିଲେ। ସ୍ବର୍ଗତ ସଦାଶିବ ରଥଶର୍ମା , ପୁଷ୍ପାଳକ ସେବକ ଅଲେଖ କରଙ୍କ ଅନୁରୋଧ କ୍ରମେ ବନ୍ଦ ହୋଇଥିବା ଗିରି ଗୋବର୍ଦ୍ଧନ ବେଶ ପୁନଃ ପ୍ରଚଳନ କରାଇବା ପାଇଁ ଜମିଦାର ସାହେବ ରାଜି ହେବାରେ ଉଭୟ ବଡ଼ ଓଡ଼ିଆ ମଠକୁ ଯାଇ ସେହି ବେଶ ସାମଗ୍ରୀ ଖରିଦ୍ କରିବା ପାଇଁ ମଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।ତତ୍କାଳୀନ ମହନ୍ତ ମହାରାଜ ଉକ୍ତ ବେଶ ରେ ନାନା ପ୍ରକାର ବିଘ୍ନ ଘଟୁଛି ବୋଲି କହିବାରେ କ୍ରମେ ଶ୍ରୀଜୀଉମାନଙ୍କ " କୃଷ୍ଣ ବଳରାମ " ବେଶ କରିବାକୁ ନିଷ୍ପତ୍ତି ହୋଇଥିଲା ପରେ ୧୯୪୭ ମସିହା ରେ ଗଜପତିଙ୍କ ହୁକୁମନାମା ଅନୁସାରେ ପ୍ରତ୍ୟକ ବର୍ଷ ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଏହି ବେଶ କରାଯାଉଛି।ତାଙ୍କର ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଏହି ବେଶ କରାଇଆସୁଛନ୍ତି । ଏହା ଏକ ଯଜମାନି ବେଶ।🙏❤️
Leave a Reply