Spread the love

ନିମାପଡ଼ା:ସ୍ଥାନୀୟ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ରୁ ଛାତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ପୁରୀଜିଲ୍ଲା ଅରଖକୁଦା ମେରାଇନ ଥାନା ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା ନିମାପଡ଼ା ମହାବିଦ୍ୟାଳୟର ସ୍ନାତକୋତ୍ତର ୨ୟ ବର୍ଷର ଛାତ୍ର। ନିମାପଡ଼ାର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ। ମଙ୍ଗଳବାର ସକାଳେ ଛାତ୍ର ଜଣକ ନିଜ ସହପାଠୀ ମାନଙ୍କ ସହ ନିକଟସ୍ଥ ବିଷ୍ଣୁପୁର ଖେଳ ପଡିଆକୁ କ୍ରିକେଟ ମ୍ୟାଚ ଖେଳିବାକୁ ଯାଇଥିଲେ। ଖେଳ ଚାଲିଥିବା ସମୟରେ ଓମପ୍ରସାଦ ହଠାତ ଅସୁସ୍ଥ ହୋଇ ପଡିଆରେ ଟଳି ପଡ଼ିଥିଲେ। ଉପସ୍ଥିତ ବନ୍ଧୁମାନେ ତାଙ୍କୁ ତତକ୍ଷଣାତ୍ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ।

ମେଡ଼ିକାଲରେ ଆପାତକାଳୀନ ବିଭାଗ ବନ୍ଦ ଥିବାରୁ ବହିର୍ବୀଭାଗକୁ ନେଇଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତୁରନ୍ତ ଚିକିତ୍ସା ନକରି ଟିକେଟ ଆଣିବାକୁ ବାରମ୍ବାର କହିଥିଲେ। ଟିକେଟ ଆସୁଛି ଆପଣ ଚିକିତ୍ସା କରନ୍ତୁ ବୋଲି ସାଙ୍ଗମାନେ ଅନୁରୋଧ କରିଥିଲେ ସୁଦ୍ଧା ଡାକ୍ତର ସେମାନଙ୍କ କଥା ଶୁଣି ନଥିଲେ ବୋଲି ଓମଙ୍କ ବନ୍ଧୁମାନେ ଅଭିଯୋଗ କରିଛନ୍ତି। ଟିକେଟ ଆଣି ଦେବା ପରେ ଡାକ୍ତର ଚିକିତ୍ସା ପାଇଁ ଆସିଥିଲେ। ଇତିମଧ୍ୟରେ ସଂକଟାପର୍ଣ୍ଣ ଅବସ୍ଥାରେ ଥିବା ଓମ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ତାଙ୍କ ପିତା ପ୍ରଭାକର ଜେନା ଅଭିଯୋଗ କରିଛନ୍ତି। ଘଟଣା ପ୍ରଘଟ ହେବାପରେ ଓମଙ୍କ ଶତାଧିକ ସହପାଠୀ ଆସି ମେଡିକାଲରେ ପାଟିତୁଣ୍ଡ କରିଥିଲେ।

ନିମାପଡ଼ା  ଥାନା ଆଇଆଇସି ବାମଦେବ ସ୍ୱାଇଁ ମେଡ଼ିକାଲରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ନିମାପଡ଼ା ମେଡିକାଲରେ ବିଭାଗ ପରେ ବିଭାଗ ଖୋଲାଯାଉଛି ସତ କିନ୍ତୁ ଆବଶ୍ୟକୀୟ ଡାକ୍ତର ଏବଂ ସରଞ୍ଜାମ ଅଭାବରୁ ଏମିତି ଅନେକ ଓମ୍ ପ୍ରସାଦଙ୍କ ଭଳି ଅକାଳରେ ମୃତ୍ୟୁବରଣ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। 

Leave a Reply

Your email address will not be published. Required fields are marked *