Spread the love

ଚତୁର୍ଦ୍ଦଶ ବିଶ୍ବ କ୍ୟାନସର ସର୍ଭିକ୍ସ ନିରାକରଣ ଦିବସ

କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ସ୍ତ୍ରୀ କର୍କଟ ରୋଗ ବିଭାଗ ଏବଂ ଏବିସି ଫାଉଣ୍ଡେସନର ମିଳିତ ସ‌ହ‌ଯୋଗରେ କ୍ୟାନସର ସର୍ଭିକ୍ଟ ନିରାକରଣ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ( ଗ୍ରୁପ କ୍ୟାପଟେନ) ଦୀପକ ରାଉତରାୟ, ଭି.ଏସ.ଏମ. ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଆମ ରାଜ୍ୟରେ ମହିଳା କର୍କଟ ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ କ୍ୟାନସର ସର୍ଭିକ୍ସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି କର୍କଟ ରୋଗ ଆରମ୍ଭରୁ ଚିହ୍ନଟ କରି ବିହିତ ଚିକିତ୍ସା କଲେ ରୋଗ ସମ୍ପୂର୍ଣ ଭଲ ହୋଇଯାଇଥାଏ। ଏତଦ ବ୍ୟତୀତ ବିଦ୍ୟାଳୟରେ ପଢୁଥିବା ଝିଅମାନଙ୍କୁ ଏଚ.ପି.ଭି. ଟିକା ଦେଇ ଏହି ଦୁରାରୋଗ୍ୟ କର୍କଟ ରୋଗ କବଳରୁ ମୁକ୍ତ ରଖିପାରିବା ବୋଲି ପ୍ରକାଶ କରିଥିଲେ।

ହ୍ୟୁମାନ- ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁ କ୍ୟାନସର ସର୍ଭିକ୍ସ ହୁଏ ବୋଲି ଡାକ୍ତର ହାରଲଡ୍ ଜୁର୍ ହାସାନ ନାମକ ଜଣେ ଜର୍ମାନୀ ଡାକ୍ତର ପ୍ରଥମେ ଆବିଷ୍କାର କରି ୨୦୦୮ ମସିହାରେ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ବିଜୟୀ ହୋଇଛନ୍ତି। ତାଙ୍କର ଏହି କୃତିତ୍ୱକୁ ମନେ ପକାଇବା ପାଇଁ କଟକର ଏ.ବି.ସି. ଫାଉଣ୍ଡେସନ ତାଙ୍କ ଜନ୍ମଦିନ ମାର୍ଚ୍ଚ ୧୧ ତାରିଖକୁ ଜରାୟୁ-ଦ୍ଵାର କର୍କଟ ରୋଗ ନିରାକରଣ ଦିବସ ରୂପେ ପାଳନ କରିଆସୁଅଛି ।

ଆଜିର ଏହି ସଭାରେ ଯୋଗଦେଇ ସିଲଚର, ଆସାମର ପଦ୍ମଶ୍ରୀ ଡାକ୍ତର ରବି କାନନ ହ୍ୟୁମାନ – ପାପିଲୋମା ଭୂତାଣୁ ସଂକ୍ରମଣ ଯୋଗୁ କ୍ୟାନସର ସର୍ଭିକ୍ଟ ରୋଗ ହେଉଅଛି ବୋଲି ବର୍ଣ୍ଣନା କରିବା ସଂଗେ ସଂଗେ ଏଚ.ପି.ଭି. ଟିକା ଦ୍ଵାରା ଏହି ରୋଗକୁ ପ୍ରତିହତ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଏହା ସଂଗେସଂଗେ ଗବେଷଣାଲବ୍ଧ ତଥ୍ୟକୁ ଆଧାର କରି କହିଲେ ଯେ ପ୍ରତ୍ୟେକ ମହିଳାଙ୍କର ନିୟମିତ ପାପ୍ ପରୀକ୍ଷା ନମୁନାରୁ ହ୍ୟୁମାନ ପାପିଲୋମା ଭୂତାଣୁର ସଂକ୍ରମଣ ଚିହ୍ନଟ କରି ଚିକିତ୍ସା କଲେ ଆମେ ଏହି ଭୟଙ୍କର କର୍କଟ ରୋଗକୁ ପ୍ରତିହତ କରିପାରିବା।

ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ପ୍ରଫେସର ଡାକ୍ତର ଶିଶିର କୁମାର ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ‘ପାପାନିକୋଲାଓ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କ୍ୟାନସର ସର୍ଭିକ୍ଟ ରୋଗ ସମ୍ପର୍କରେ ଗବେଷଣା କରୁଥିବା ଡାକ୍ତର ସୋନୀ ନନ୍ଦଙ୍କୁ ଏବିସି ଫାଉଣ୍ଡେସନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥି ବୃନ୍ଦ ସ୍ମରଣିକା ଉନ୍ମୋଚନ କରିଥିଲେ। ପ୍ରଫେସର ଜିତା ପରିଜା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆର୍ୟୁବିଜ୍ଞାନ ଡଟ୍ କମ୍ ଫାଉଣ୍ଡେସନର ପ୍ରତିଷ୍ଠାତା
ନିରଞ୍ଜନ ରାଉତ ଏହି ସଚେତନତା ଦିବସର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବା ସଙ୍ଗେ ସଙ୍ଗେ କହିଥିଲେ ଯେ ଚଳିତ ବର୍ଷ ଆମ ସରକାର ଦେଶର ୯ ବର୍ଷରୁ ୧୪ ବର୍ଷ ଯାଏ ସମସ୍ତ ବାଳିକାମାନଙ୍କ ପାଇଁ ଘୋଷଣା କରିଥିବା ଦେୟମୁକ୍ତ ଏଚ.ପି.ଭି. ଟିକା ପ୍ରଦାନ କାର୍ଯ୍ୟକ୍ରମ କ୍ୟାନସର ସର୍ଭିକ୍ଟ ରୋଗକୁ ପ୍ରତିହତ କରିପାରିବ। ଆବାହକ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକଙ୍କ ପ୍ରତ୍ୟକ୍ଷ ତ‌ତ୍ତ୍ଵାବଧାନରେ ସଭାକାର୍ଯ୍ୟ ସମ୍ପାଦିତ ହୋଇଥିଲା। ଡାକ୍ତର ଜନ୍ମେଜୟ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। କର୍କଟ ରୋଗରେ ପୀଡିତ ଙ୍କୁ ସାହାଯ୍ୟ କରିଥିବା
ଶ୍ରୀ ଅଭିମନ୍ୟୁ ଦାସ, ଶ୍ରୀ ସୁବ୍ରତ ଚନ୍ଦ୍ର ତ୍ରିପାଠୀ ଏବଂ ଶ୍ରୀମତୀ ଲିଲି ଜେନାମଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

ଏହି ଅବସରରେ ଡାକ୍ତର ମନୋରଂଜନ ମହାପାତ୍ର, ଡାକ୍ତର ଅଶୋକ କୁମାର ପାଢ଼ୀ ଏବଂ ଡାକ୍ତର ଅନ୍ଵେଷା ପାଲଙ୍କ ତତ୍ତ୍ଵାବଧାନରେ କ୍ୟାନସର ସର୍ଭିକ୍ଟ ସଂପର୍କରେ କୁଇଜ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧିକାରୀ, ଛାତ୍ରଛାତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed