କଟକ //ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ କଟକର ଝିଅ ଆଦ୍ୟାଶା ମିଶ୍ର,ଫ୍ରେଣ୍ଡସ କଲୋନୀର ବରିଷ୍ଠ ମଧୁମେହ ବିଶେଷଜ୍ଞ ଡ଼ାକ୍ତର ସନ୍ଦୀପ ଦେବାଶିଷ ମିଶ୍ର ଓ ଶ୍ରୀମତୀ ମଧୁସ୍ମିତା ମିଶ୍ରଙ୍କ ଏକମାତ୍ର କନ୍ୟା ତଥା ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ କାହ୍ନୁ ଚରଣ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମିନତି ମିଶ୍ରଙ୍କ ନାତୁଣୀ ଅଟନ୍ତି।

Spread the love

ଓଡ଼ିଶୀ ନୃତ୍ୟରେ ଜାତୀୟ ବୃତ୍ତି ପାଇଲେ କଟକର ଝିଅ ବାର୍ବୀ

କଟକ-3/6/25-(ଦର୍ଶନ ସମୀକ୍ଷା)

କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ଆଗରେ ହାରମାନିଛି ସବୁ – ଏହା ପ୍ରମାଣିତ କରିଛନ୍ତି ବାର୍ବୀ ଓରଫ୍ ଆଦ୍ୟାଶା ଇଭାଞ୍ଜେଲିଆ ମିଶ୍ର। ପିତା ମାତା, ଗୁରୁ ଓ ଭଗବାନଙ୍କ ଆଶୀର୍ବାଦ ଥିଲେ ସବୁ କିଛି ସମ୍ଭବ ବୋଲି ସେ କହନ୍ତି। କଟକ ମଙ୍ଗଳାବାଗ ଫ୍ରେଣ୍ଡସ କଲୋନୀର ବରିଷ୍ଠ ମଧୁମେହ ବିଶେଷଜ୍ଞ ଡ଼ାକ୍ତର ସନ୍ଦୀପ ଦେବାଶିଷ ମିଶ୍ର ଓ ଶ୍ରୀମତୀ ମଧୁସ୍ମିତା ମିଶ୍ରଙ୍କ ଏକମାତ୍ର କନ୍ୟା ତଥା ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ କାହ୍ନୁ ଚରଣ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମିନତି ମିଶ୍ରଙ୍କ ନାତୁଣୀ ଅଟନ୍ତି।

ସେ ଚଳିତ ୨୦୨୫-୨୬ ବର୍ଷ ପାଇଁ ଭାରତ ସରକାରଙ୍କ ଅଧିନସ୍ଥ ସେଣ୍ଟର୍ ଫର୍ କଲ୍ଚରାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ, ନୂଆଦିଲ୍ଲୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ପାଇଁ କନିଷ୍ଠ ବର୍ଗରେ ମେଧା ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ କଟକ ସ୍ଥିତ ସେଣ୍ଟ ଜୋସେଫ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ଓଡ଼ିଶୀ ନୃତ୍ୟ ବ୍ୟତୀତ ଅନେକ ପ୍ରକାର କଳା ଓ କ୍ରୀଡ଼ାରେ ରୁଚି ରଖି ସେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ନିଜ ବିଦ୍ୟାଳୟ ଓ ପରିବାର ପାଇଁ ଗୌରବ ଆଣିଛନ୍ତି। ସେ ଏକାଧିକ MUN ରେ ଭାଗ ନେବା ସହ ପ୍ରତିବର୍ଷ ବିଭିନ୍ନ Olympiad ପରୀକ୍ଷାରେ ସ୍ଵର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି।
ତାଙ୍କର ସମସ୍ତ କୃତିତ୍ୱ ପାଇଁ ସେ ନିଜ ମାଆଙ୍କୁ ଶ୍ରେୟ ଦିଅନ୍ତି। ସେ ଯେତେବେଳେ ମାନସିକ ସ୍ତରରେ ଭାଙ୍ଗି ପଡ଼ନ୍ତି, ତାଙ୍କ ମାଆ ତାଙ୍କୁ ପୁଣି ସଲଖିବା ପାଇଁ ମେରୁଦଣ୍ଡ ସଦୃଶ ତାଙ୍କ ସହ ଠିଆ ହୋଇଥାନ୍ତି। ଠିକ୍ ଏକଲବ୍ୟଙ୍କ ପରି ସେ ବିଗତ ଦେଢ଼ ବର୍ଷ ନୃତ୍ୟଶାଳାରୁ ଦୂରେଇ ରହି ମଧ୍ୟ ଗୁରୁଙ୍କର ଶିକ୍ଷା ପ୍ରଣାଳୀ ଓ ନୃତ୍ୟଶୈଳୀକୁ ଅନ୍ତରର ସହ ମନେ ପକାଇ, ଗୁରୁଙ୍କୁ ସମ୍ମାନ ଜଣାଇ ତାଙ୍କ ନୃତ୍ୟାଭ୍ୟାସକୁ ଘରେ ଜାରି ରଖିଥିଲେ। ଚଳିତବର୍ଷ ସେ ଗୁରୁ ଶ୍ରୀ ଅଜୟ ମହାନ୍ତିଙ୍କ ଅଧିନରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ସମସ୍ତ ଗୁରୁଙ୍କ ପ୍ରତି ସେ ଭକ୍ତି ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଯାତ୍ରା ତାଙ୍କ ପାଇଁ କେତେଯେ କଷ୍ଟ ସାଧ୍ୟ ଥିଲା ତାହା ଅବର୍ଣ୍ଣନୀୟ। ତେଣୁ ସେ ପ୍ରଭୁ ଶ୍ରୀଜଗନ୍ନାଥ ଓ ସମସ୍ତ ଗୁରୁଙ୍କୁ ପ୍ରାର୍ଥନା କରନ୍ତି କି ପ୍ରତ୍ୟେକ ନୃତ୍ୟଶିଳ୍ପୀର ପାଦରେ ଘୁଙ୍ଗୁର ପରିବର୍ତ୍ତେ କେବେ ଶିକୁଳି ବନ୍ଧା ନ ହେଉ।

Leave a Reply

Your email address will not be published. Required fields are marked *