କଂସ ମହାରାଜ ଙ୍କ ନିଧନ ପରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବନ୍ଦୀଶାଳାକୁ ଯାଇ ପିତା ବସୁଦେବ ଓ ମାତା ଦେବକୀଙ୍କୁ ବନ୍ଧନ ମୁକ୍ତ କଲେ, ସେତେବେଳେ ମା’ଦେବକୀ ପୁତ୍ର ଶ୍ରୀକୃଷ୍ଣଙ୍କୁ ପଚାରିଲେ, “ଧନରେ, ତୁ ହେଉଛୁ ସ୍ଵୟଂ ଭଗବାନ, ଆମେ ଦୁହେଁ ତୋର ପିତାମାତା। ଆମେ କି ପାପ କରିଥିଲୁ ଯେ ଆମକୁ ତୁ ଚଉଦ ବର୍ଷ ଏ ବନ୍ଦୀ ଶାଳାରେ ରଖି ଦୁଃଖ କଷ୍ଟ ଦେଲୁ ?”
ସେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ, “ମା, ମୁଁ କି ପାପ କରିଥିଲି ଯେ ତୁମେ ମତେ ପୂର୍ବ ଜନ୍ମରେ (ରାମାବତାରରେ) ଚଉଦ ବର୍ଷ ବନକୁ ପଠାଇଥିଲ?”
ଦେବକୀ ଚମକି ପଡି କହିଲେ,” ମୁଁ–ମୁଁ ତତେ ଚଉଦ ବର୍ଷ ବନକୁ ପଠାଇଥିଲି ? “ହଁ ମା’ ,ତୁମେ ଥିଲ କୈକେୟୀ ଓ ପିତା ବସୁଦେବ ଥିଲେ ଦଶରଥ। ତୁମେ ଦୁହେଁ ମୋତେ ଚଉଦ ବର୍ଷ ବନକୁ ପଠାଇଥିଲ, ଆଉ ସେହି ଚଉଦ ବର୍ଷ ତୁମ ଦୁହିଁଙ୍କୁ ଏ କାରାଗାରର କଷ୍ଟ ଭୋଗିବାକୁ ପଡିଲା ।” ଆଶ୍ଚର୍ଯ୍ୟ ସ୍ୱରରେ ଦେବକୀ ପ୍ରଶ୍ନକଲେ -“ଆଉ କୌଶଲ୍ୟା ?” ଶ୍ରୀକୃଷ୍ଣ କହିଲେ “ସେ ହେଉଛନ୍ତି ଏ ଜନ୍ମରେ ଯଶୋଦା।” ଦେବକୀ ନୀରବ ହୋଇଗଲେ ।
ନିରପେକ୍ଷ ବିଚାରବନ୍ତ ଭଗବାନ ବି, ନିଜ ପିତାମାତାଙ୍କୁ ପ୍ରାରବ୍ଧରୁ ରକ୍ଷା କରି ପାରି ନଥିଲେ,ଏ କଥାଟି ତାର ଜ୍ୱଳନ୍ତ ପ୍ରମାଣ। ଆମେ ତ ସାଧାରଣ ମନୁଷ୍ୟ l ଆଜି ଆମେ ଯେତେ ଯାହା ଦୁଃଖ କିମ୍ବା ସୁଖ ପାଉଚେ ତାହା ଆମ ପ୍ରାରବ୍ଧର ଫଳ। ଧୈର୍ଯ୍ୟର ସହ ତାକୁ ପାର ହେବା ପାଇଁ ସାରା ଜୀବନ ସ୍ବ’ଧର୍ମ ପାଳନ ପୂର୍ବକ ପ୍ରୟାସ କରି ଚାଲିବା ଉଚିତ।
ଶ୍ରୀମଦ୍ ଭାଗବତମ୍ ରେ କୁହାଯାଇଛନ୍ତି :-
*ସ୍ୱଧର୍ମେ କଲେ ସ୍ୱର୍ଗବାସ ।
*ଅଧର୍ମେ ନରକେ ପ୍ରବେଶ॥
ସୌଜନ୍ୟ :ପ୍ରତିଲିପି :ମମତା ମଞ୍ଜରୀ ଦାସ
Leave a Reply