ହେରାପଞ୍ଚମୀ ନୀତି
ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ। ଯାତ୍ରା ଭାଗବତରେ କୁହାଯାଇଛି – ତତୋ ଗୁଣ୍ଡିଚାନନ୍ତରଂ ପଞ୍ଚମ ଦିବସେ ହେରା ପଞ୍ଚମୀ ଭବତି । ତେବେ ହେରା ପଞ୍ଚମୀ ନୀତି ସମ୍ପର୍କରେ ବାମଦେବ ସଂହିତରେ ବିଶେଷ ଭାବେ ବର୍ଣ୍ଣନା ହୋଇଥିବା ଜଣାଯାଏ । ପୁରୀ ଓଡ଼ିଆ ମଠରେ ସଂରକ୍ଷିଣ ରଥ “ଚକଡ଼ା ପୋଥି”ର ବର୍ଣ୍ଣନାନୁଯାୟୀ:
“ ଏହିପରି ୭ ଜଣ ରାଜା ଭାନୁ ବାସୁଦେବ ନାମରେ ରାଜୁତି କରିବା ପରେ କପିଳେଶ୍ୱର ଦେବ ହେରା ଯାତ୍ରାରେ ବିଧାନକୁ ଆଟୋପରେ କରାଇଲେ । ପୂର୍ବରୁ ମନ୍ତ୍ର ବାକ୍ୟରେ ଲକ୍ଷ୍ମୀ ନାରୟଣ ବନ୍ଦାପନା କରାଯାଉଥିଲା। ଯାତ୍ରାର ୫ମ ଦିବସରେ କପିଳେଶ୍ୱର ସୁବର୍ଣ୍ଣ ଲକ୍ଷ୍ମୀ ଗଡା଼ଇ ହେରା ଗୋହିରୀ ବସାଇ ଆଡ଼ମ୍ବରରେ ପଞ୍ଚ ପାଣ୍ଡବଙ୍କୁ ନେଇ ହେରା ପଞ୍ଚମୀ କଲେ । ”
—-“ଚକଡ଼ା ପୋଥି”[୨୪]
“ ଗୁଣ୍ଡିଚାୟା ପଞ୍ଚମ ଦିବସେ ବିମାନେପରି ଶ୍ରୀମହାଲକ୍ଷ୍ମୀ ଗୃହୀତ୍ୱା ରଥ ସମୀପେ ତିଷ୍ଠେତ୍ ।
ତତୋ ଜନାନ୍ ପ୍ରେକ୍ଷୟିତ୍ୱା ଜଗନ୍ନାଥ ଦେବସ୍ୟ ସେବକାନାନ ୟେତ୍ । ତାନ୍ ଲକ୍ଷ୍ମୀ ସମୀପେ ସ୍ଥାପୟିତ୍ୱା ତତ୍ର ଦାସୀଦାସୟୋ ଉକ୍ତି ପ୍ରତ୍ୟୁକ୍ତି ର୍ଭବତି। ତତୋ ମହାଲକ୍ଷ୍ମୀ ଜଗନ୍ନାଥ ଦେବସ୍ୟ ସମୀପଂ ଗତ୍ୱା ସଂମୁଖେ ତିଷ୍ଠେତ୍ । ତତୋ ଦେବଂ କର୍ପୂରାତ୍ରିକଂ ଦଦ୍ୟାତ୍ । ଏତଦାରାତ୍ରିକଂ ଲକ୍ଷ୍ମୀ ଦତ୍ୱା ଦୁର୍ବାକ୍ଷତୈ ର୍ଦେବଂ ଦେବୀଂ ଚ ବନ୍ଦାପୟେତ୍ । ତତୋ ଜଗନ୍ନାଥ ଦେବସ୍ୟ ପ୍ରାସାଦ ମାଳଂ ଲକ୍ଷ୍ମୀ ଦଧ୍ୟାତ୍ । ତତୋ ଲକ୍ଷ୍ମୀଃ କର୍ପୂର, ଚନ୍ଦନଂ ମୋହନ ଚୂର୍ଣ୍ଣଂ ଗୃହୀତ୍ୱା ଦେବସୋପରି ପ୍ରକ୍ଷିପେତ୍ । ତତଃ ସ୍ୱଗୃହଂ ପ୍ରତି ଦେବୀ ମାନୟେତ୍ । ଲକ୍ଷ୍ମୀ ସ୍ୱସ୍ଥାନେ ପ୍ରବେଶୟେତ୍ । ଇତି ହେରା ଯାତ୍ରା ।
”
—ଯାତ୍ରା ଭାଗବତ

ହେରା ପଞ୍ଚମୀ ଯାତ୍ରା ସମ୍ପର୍କରେ ଏକ ସୁନ୍ଦର ଜନଶୃତି ବା ଆଖ୍ୟୟିକା ରହିଛି। ତାହା ହେଲା, ଜଗନ୍ନାଥ ତାଙ୍କର ଭ୍ରାତା ଓ ଭଗିନୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ପତି ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ସ୍ୱକୀୟ ବିରହ ବ୍ୟଥା ଭଗିନୀକଳ୍ପା ବିମଳାଦେବୀଙ୍କ ପାଖରେ ବର୍ଣ୍ଣନା କରି ପ୍ରତିକାରର ପରାମର୍ଶ ଚାହିଁଥିଲେ। ଏହି ବିଷୟ ବାମଦେବ ସଂହିତାରେ ବର୍ଣ୍ଣନା ହୋଇଛି। ବିମଳାଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱାନା ବାକ୍ୟରେ ବୁଝାଇ କହିଥିଲେ ଯେ, ସ୍ୱାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି, ତେବେ ତାଙ୍କୁ ଉଚ୍ଚାଟିତ କରିବାକୁ ପଡିଥାଏ। ତେଣୁ ତୁମ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିବା ଉଚିତ୍ । ଏହି ମରାମର୍ଶ ଦେବାରୁ ଶ୍ରୀଗୁଣ୍ଡିଚାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ଆଦେଶ ଦିଆଗଲା । ଯାହା ଫଳରେ କି ହେରା ପଞ୍ଚମୀର ପ୍ରରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହୋଇଥାଏ।
ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ତ୍ୱଲିପିରେ ହୋଇଥିବା ଉଲ୍ଲେଖ ପ୍ରକାରେ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି। ଏହା ପରେ ବନକ ଲାଗି, ପାଟ ଶାଢ଼ୀ଼, ଅଳାଙ୍କାର ଇତ୍ୟାଦି ଲାଗି ହୋଇ ବେଶ ବଢ଼ିବା ପରେ ପୂଜାପଣ୍ଡା ସେବକଙ୍କଦ୍ୱାରା ପନ୍ତି ଭୋଗ ହୋଇଥାଏ। ତତ୍ପରେ ବଟବୃକ୍ଷ ତଳେ ରହିଥିବା ବିମାନକୁ ଲକ୍ଷ୍ମୀ ବିଜେ କରିଥାନ୍ତି।

ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ଘଣ୍ଟ, କାହାଳି, ଛତା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ରଥ ପାଶରେ ରଖିଥାନ୍ତି। ଏଠାରେ ପତିମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ,ଘସା ବିଡିଆ ଓ ହଦି ପଟି ମଣୋହି କରନ୍ତି। ଏ ସମୟ ମଧ୍ୟରେ ଗୁଣ୍ଡିଚା ଘରେ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ସରି ଶାଢ଼ୀ଼ ଲାଗି ହୋଇ ଆଳତି ବଢ଼ିଥାଏ। ଆଳତି ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢେ। ତତ୍ପରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ୱାରଠାକୁ ଆସିଥାନ୍ତି। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଧୂପ ଦୀପ ଦିଆଯାଇ ଟେରା ପଡେ । ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥାଏ। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହି ପଟି ମଣୋହି କରନ୍ତି। ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୋହିରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳକୁ ବାହୁଡା଼ ବିଜେରେ ଅଣାଯାଏ।
ଉଭୟ ଆସିବା ଓ ବାହୁଡା଼ ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡା଼ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରୀ ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତି ଭୋଗ କରାଯାଇଥାଏ।
ଓଁ ଶ୍ରୀ ଲକ୍ଷ୍ମୀ ଜଗନ୍ନାଥାଭ୍ୟାମ୍ ନମଃ
ଜୟ ମା ଦୁର୍ଗା
Leave a Reply