ଆଜିଠୁ ଜିଏସ୍‌ଟି ପରିଷଦ ବୈଠକ: କମିବ ୧୭୫ ସାମଗ୍ରୀର ଟିକସ ହାର, ସିଗାରେଟ ଉପରେ ଲାଗିବ ୪୦% ଟିକସ,ଭାରତ ଉପରେ ଆମେରିକା ୫୦% ଟାରିଫ୍‌ ଲଗାଇଥିବା ପରିପ୍ରେକ୍ଷୀରେ ଏହି ବୈଠକ ବହୁ ଗୁରୁତ୍ୱବହନ କରୁଛି-ପ୍ରଦୀପ କୁମାର ପଣ୍ଡା ଦର୍ଶନସମୀକ୍ଷା ଭୁବନେଶ୍ୱର

Spread the love

ଆଜିଠୁ ଜିଏସ୍‌ଟି ପରିଷଦ ବୈଠକ: କମିବ ୧୭୫ ସାମଗ୍ରୀର ଟିକସ ହାର, ସିଗାରେଟ ଉପରେ ଲାଗିବ ୪୦% ଟିକସ

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜିଏସ୍‌ଟି ପରିଷଦର ୫୬ତମ ବୈଠକ। ସେପ୍ଟେମ୍ବର ୩ ଏବଂ ୪ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ବୈଠକ ଉପରେ ସାରା ଦେଶର ନଜର ରହିଛି। ଭାରତ ଉପରେ ଆମେରିକା ୫୦% ଟାରିଫ୍‌ ଲଗାଇଥିବା ପରିପ୍ରେକ୍ଷୀରେ ଏହି ବୈଠକ ବହୁ ଗୁରୁତ୍ୱବହନ କରୁଛି। ନିକଟ ଅତୀତରେ ଜିଏସ୍‌ଟି ମନ୍ତ୍ରୀ ପରିଷଦ ବୈଠକରେ ଜିଏସ୍‌ଟିର ୪ଟି ବର୍ଗ ମଧ୍ୟରୁ ୧୨% ଓ ୨୮% ଟିକସ ଉଚ୍ଛେଦ ସହ ଅତ୍ୟଧିକ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% ପର୍ଯ୍ୟନ୍ତ ଟିକସ ଲାଗୁ ନିମନ୍ତେ ପ୍ରସ୍ତାବ ରହିଥିଲା। ଆସନ୍ତାକାଲି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇପାରେ। ତେବେ କେନ୍ଦୁପତ୍ର ଓ ହସ୍ତତନ୍ତ ଉପରେ ଆଦାୟ ହେଉଥିବା ଜିଏସ୍‌ଟି ଉଚ୍ଛେଦ ପାଇଁ ହେଉଥିବା ବହୁଦିନର ଦାବି ସଂକ୍ରାନ୍ତରେ କି ନିଷ୍ପତ୍ତି ନିଆଯିବ ତାହା ଏଯାଏ ସ୍ଥିର ହୋଇନାହିଁ।

ସୂଚନା ଅନୁସାରେ ଜିଏସ୍‌ଟି ପରିଷଦ ବୈଠକରେ ପ୍ରାୟ ୧୭୫ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ବୈଠକର କାର୍ଯ୍ୟସୂଚୀରେ ୫% ଏବଂ ୧୮% ଦୁଇଟି ମୁଖ୍ୟ ଟିକସ ହାର ସ୍ଥିର କରିବାର ପ୍ରସ୍ତାବ ରହିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଟିଭି, ଫ୍ରିଜ୍‌, କାର, ବାଇକ୍‌, ପ୍ରସାଧନ ସାମଗ୍ରୀ, ଟାୟାର ଓ ଅନ୍ୟ ଉତ୍ପାଦଗୁଡ଼ିକ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି। ତେଣୁ ସ୍ୱାଭାବିକ ଭାବରେ ଭାରତୀୟ ଉଦ୍ୟୋଗ, ନିବେଶକ ଏବଂ ସେୟାର ବଜାରର ନଜର ଏବେ ଏହି ଜିଏସ୍‌ଟି ପରିଷଦ ବୈଠକ ଉପରେ ରହିଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୩୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ବୈଠକ ପୂର୍ବରୁ ରାଜ୍ୟଗୁଡ଼ିକର ଜିଏସ୍‌ଟି ଅଧିକାରୀମାନଙ୍କର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଯେଉଁଥିରେ ଟିକସ ହାର ପରିବର୍ତ୍ତନ ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଏବଂ ଅନୁପାଳନ ପ୍ରସଙ୍ଗ ଉପରେ ଗଭୀର ଆଲୋଚନା ହୋଇଛି। ଏହି ବୈଠକରେ ୫ ଏବଂ ୧୮ ପ୍ରତିଶତର ଦୁଇ-ସ୍ତରୀୟ ଟିକସ ହାର ପ୍ରଚଳନ ସହ ଉଚ୍ଚମୂଲ୍ୟର ବିଳାସପୂର୍ଣ୍ଣ ଗାଡ଼ି ଉପରେ ୪୦% ଟିକସ ଲାଗୁ ହୋଇପାରେ ବୋଲି କୁହାଯାଉଛି। ପୂର୍ବରୁ ମନ୍ତ୍ରୀ ଗୋଷ୍ଠୀ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ବୈଦ୍ୟୁତିକ ଯାନବାହନ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବାକୁ ସମର୍ଥନ କରିଛନ୍ତି। ଏଥିରେ ଘିଅ, ଶୁଖିଲା ଫଳ, ୨୦ ଲିଟର ପାନୀୟ ଜଳ, ଅଣ-କାର୍ବୋନେଟେଡ୍‌ ପାନୀୟ, ନମକିନ୍‌, ଚପଲ ଏବଂ ପୋଷାକ, ଔଷଧ ଏବଂ ଚିକିତ୍ସା ଉପକରଣ ଭଳି ଅଧିକାଂଶ ସାଧାରଣ ଖାଦ୍ୟ ସାମଗ୍ରୀ ୫ରୁ ୧୨ ପ୍ରତିଶତ ଟିକସ ବର୍ଗରେ ଆସିପାରେ। ଅନ୍ୟପକ୍ଷରେ ତମାଖୁ, ପାନ ମସଲା ଏବଂ ସିଗାରେଟ୍‌ ଭଳି ସାମଗ୍ରୀ ଉପରେ ମଧ୍ୟ ୪୦ ପ୍ରତିଶତର ଏକ ସ୍ୱତନ୍ତ୍ର ଟିକସ ହାର ଲାଗୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାସହ ସରକାର ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମକୁ ଜିଏସ୍‌ଟି ମୁକ୍ତ କରିପାରନ୍ତି।

Leave a Reply

Your email address will not be published. Required fields are marked *