ଅବଶିଷ୍ଟ ଜୀବନ
ଗାଣିତିକ ସିଦ୍ଧାନ୍ତ ଅନୁସାରେ ସ୍ବଭାବିକତାଠାରୁ ଯାହା ଅଧିକ ମନେହୁଏ ତାହା ଶାବ୍ଦିକ ତତ୍ତ୍ବରେ “ଅବଶିଷ୍ଟତାର” ସଂଜ୍ଞା ବହନ କରିଥାଏ। ଜୀବନ ପ୍ରକରଣ ଏକ ସୀମିତ ପରିସରଭୁକ୍ତ ସଂଜ୍ଞାଦ୍ବାରା ଆବଦ୍ଧ ନୁହେଁ। ସୀମିତ ଆୟୁଷ ଏକ ଅସୀମ ଅନନ୍ତ ଆବେଗର ବ୍ରହ୍ମ ମଣ୍ଡଳ ପରିବ୍ୟାପ୍ତ ଅମୃତ ଆତ୍ମାର ସଂଯୋଗରେ ଆବିଷ୍ଟ ଆବୃତ୍ତିର ବୀଣା ଝଙ୍କାର ପରି ଅବୋଧ୍ୟ ଦୁର୍ବୋଧ୍ୟ ଓ ଦୁର୍ଲ୍ଲଭ ବ୍ରହ୍ମ ସତ୍ତାର ଅଂଶ ବିଶେଷ। ଅବଶିଷ୍ଟ ଜୀବନ ପାଇଁ ଅବଶୋଷ ଅପରିମାପ ଅଳଙ୍କାର ସଦୃଶ ଚିର ସହଚର।ଯେବେ ତାହା ପରିଚାଳନାଗତ ଦକ୍ଷତା ନେଇ ପୂର୍ବ ପ୍ରସ୍ତୁତିରେ ନିହିତ ହୋଇଥାଏ।ନତୁବା ତାହା ଯୋଜନାବଦ୍ଧ ଜୀବନର କାହାଣୀକୁ ସଜାଇବାରେ ଭିତ୍ତିଭୂମିକୁ ସୁଦୃଢ କରିବାର ପରିକଳ୍ପନା ନେଇ ଆଗକୁ ଅଗ୍ରସର ହେବାର ଯୋଜନା ପ୍ରସ୍ତୁତ କରି କର୍ମରେ ବିନିଯୋଗ କରିଥାନ୍ତି। କିନ୍ତୁ ସମୟ ଏପରି ଅଦୃଶ୍ୟ ମାୟାରେ ଗତିଶୀଳ ହୋଇ ଜୀବନକୁ ବହୁ ପଛରେ ପକାଇ ଆଗକୁ ବଢି ଯାଇଥାଏ ତାହା ମାୟା ମୃଗ ସଦୃଶ ତୃଷ୍ଣାର ମରୁ ମରିଚୀକା ପରି ଆଖି ଆଗରେହିଁ ନାଚି ନାଚି ଶୂନ୍ୟରେ ମିଳାଇ ଯାଏ ସିନା କେବେ ତାର ଆଶାନୁରୂପ ପରିପୂର୍ଣ୍ଣତାର ସ୍ପର୍ଶ ମିଳେନାହିଁ। ତୃଷ୍ଣା ହିଁ ତୃଷ୍ଣା। ତୃଷ୍ଣାର ଶେଷ ନାହିଁ।ସ୍ବପ୍ନର ଶେଷ ନାହିଁ।ଆଶାର ଶେଷ ନାହିଁ ଆଉ ସେହି କଳ୍ପନା,ଭାବନା,ସମ୍ଭାବନା ସମସ୍ତ ଏକତ୍ରିତ ହୋଇ ଶେଷ ହୀନ ତୃଷ୍ଣା ସହ ଜୀବନକୁ ସମ୍ଭୋଗଶୀଳତାର ଶାସ୍ତ୍ରରେ ପରିଣତ କରି ଦିଅନ୍ତି।ସେହି ଶାସ୍ତ୍ରୀୟ ଚେତନା ହିଁ ଜୀବନକୁ ନିୟନ୍ତ୍ରିତ କରିନିଏ ଏକ ଅପ୍ରତ୍ୟାଶିତ ଅନିଶ୍ଚିନ୍ତତା ମଧ୍ୟକୁ। ଯେଉଁଠୁ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଏନା ଜୀବନ।
ଭ୍ରୁଣଟିଏ ମାତୃ ଗର୍ଭରେ ସଞ୍ଚରିତ ହେଲେ ତାହା ଆଦ୍ୟ ଜୀବନର ଅଂଶ ରୂପେ ବିବେଚିତ ହୁଏ। ଧିରେ ଧିରେ ତାର ବୃଦ୍ଧି,ବିକାଶ ତାକୁ ଭୁମିଷ୍ଟ କରିବା ପର୍ଯ୍ୟାୟରେ ପହଞ୍ଚାଇଦିଏ।ମାଆଟିଏ ଗର୍ଭସ୍ଥ ଭ୍ରୁଣର ଯେପରି ଯତ୍ନ ନିଏ ତାହା ବିକଶିତ ହୋଇ ପ୍ରଥମ ସୂର୍ଯ୍ୟ ଦର୍ଶନରେ ତାହା ଅପେକ୍ଷା ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ।ସେହି ନବଜାକର ବୃଦ୍ଧି ସଙ୍ଗେ ସଙ୍ଗେ ମାଆଟି ତା’ର ଯତ୍ନ ନେବାରେ ଅଧିକ ମନୋନିବେଶ କରେ।ସେପରି ସେବା ଯତ୍ନର ତୁଳନା ନଥାଏ। କୌଣସି ସମୟ ସାରଣୀର ସୀମା ନଥାଏ ସେପରି ସେବା ଯତ୍ନର।ସେପରି ସ୍ନେହ, ଶ୍ରଦ୍ଧା, ମାୟା,ମମତାର ଉଦାହରଣ କେବଳ ସେହି ମାଆଟି ସୃଷ୍ଟି କରିପାରେ। ଅନ୍ୟତ୍ର ଏହା ବିରଳରୁ ଅତି ବିରଳ ଉଦାହରଣ ଯାହା ସୃଷ୍ଟିରେ ପ୍ରାୟତଃ ଦୃଷ୍ଟିଗୋଚର ହୁଏ ନାହିଁ।ଏହି ସମୟର ଜୀବନ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ଜୀବନ ହୋଇଥାଏ। ତାହା କେବେ ଅବଶିଷ୍ଟ ଜୀବନ ହୋଇ ନପାରେ।ଏହା ପ୍ରାରମ୍ଭିକ ଜୀବନ ଅଟେ। ସାଧାରଣ ଭାବରେ ଭୂମିଷ୍ଠ ହେବା ପରେ କୌଣସି ଜୀବନକୁ ଜୀବନର ମାନ୍ୟତା ମିଳିଥାଏ। ଗର୍ଭସ୍ଥ ଭ୍ରୁଣକୁ ନୁହେଁ।
ଶୈଶବ ଓ କୈଶୋର ଜୀବନ ଏକ ପରିପୂର୍ଣ୍ଣ ଜୀବନର ପ୍ରସ୍ତୁତିକାଳୀନ ଜୀବନ ହୋଇଥାଏ।ଏହି ଦୁଇ ପର୍ଯ୍ୟାୟରେ ଯାହା ସମାଜରୁ ଶିକ୍ଷା ଲାଭ କରାଯାଏ ତାହା ପରବର୍ତ୍ତୀ ଜୀବନ ଗଠନର ମୂଳଦୁଆ ପକାଇଥାଏ। ସେହି ପ୍ରସ୍ତୁତିପର୍ବର ଦାୟିତ୍ବ ପରିବାର,ସମାଜ ଓ ସରକାର ନେଇ ଥାଆନ୍ତି।ଏହି ତିନି ପର୍ଯ୍ୟାୟର ସଚେତନତା ଉପରେ ଭବିଷ୍ୟତ ବଂଶଧରଙ୍କ ସଫଳ ଜୀବନଯାତ୍ରା ନିର୍ଭର କରେ। ଏହି ତିନି ପର୍ଯ୍ୟାୟରେ କେଉଁଠି କିଛି ବ୍ୟତିକ୍ରମ ଦେଖାଦେଲେ ତହା ଭବିଷ୍ୟତ ବଂଶଧରଙ୍କ ପାଇଁ ଦୁର୍ବଳ ଭିତ୍ତିଭୂମି ସୃଷ୍ଟି କରେ।ତେଣୁ ସେହି ତିନି ପର୍ଯ୍ୟାୟର ପାରସ୍ପରିକ ମିଳିତ ଯୋଜନା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ନିଜ ନିଜ ମଧ୍ୟରେ ଉତମ ବୁଝାମଣା ଉପରେ ନିର୍ଭର କରେ।ସେଥିରେ କୌଣସି ଗୋଟିଏର ଦୁର୍ବଳତା ଦୃଷ୍ଟିଗୋଚର ହେଲେ ଅନ୍ୟ ଦୁଇଟି ସଂଗଠନ ତାର କ୍ଷତି ଭରଣା କରିବା ପାଇଁ ନିଜ ନିଜ ଭିତରେ ତୁରନ୍ତ ବିକଳ୍ପ ଯୋଜନା ପ୍ରସ୍ତୁତ କରିନେବା ସର୍ବାଦୌ ଉଚିତ୍ ହେବ।ଯାହା ଭବିଷ୍ୟତ ବଂଶଧର ପାଇଁ ବିଶେଷ କ୍ଷତି ପହଞ୍ଚାଇ ପାରିବ ନାହିଁ।ଏହି ସମୟକୁ ମଧ୍ୟ କେବେ ଅବଶିଷ୍ଟ ଜୀବନ କୁହାଯାଇ ନପାରେ।ଏହା ପ୍ରକୃତ କର୍ମମୟ ଜୀବନର ପ୍ରସ୍ତୁତିକାଳୀନ ମୂଲ୍ୟବାନ ମୁହୂର୍ତ୍ତଗୁଡିକର ସମାହାର।ଏଠାରେ ପ୍ରକୃତ ଜୀବନ ଜୀବିକାର ପରିଚାଳନାଗତ ପ୍ରସ୍ତୁତିକରଣର ପ୍ରକ୍ରୀୟାର ସମୟ।
ସ୍ବୟଂ ସମ୍ପୂର୍ଣ୍ଣ ଜୀବନ ଆରମ୍ଭ ହୁଏ ଶିକ୍ଷାର ପରବର୍ତ୍ତୀ ଜୀବନରେ।ଯାହା ବ୍ୟକ୍ତିକୁ ନିଜ ଗୋଡ଼ରେ ନିଜେ ଠିଆ ହେବାର ସାମର୍ଥ୍ୟ ଅର୍ଜନ କରିବାରେ ପ୍ରେରିତ କରିଥାଏ। ବାଲ୍ୟ ଜୀବନରେ ଅର୍ଜିତ ଶିକ୍ଷାର ପ୍ରୟୋଗରେ ଏହି ସମୟକୁ ସରଳ ସୁନ୍ଦର ସମୃଦ୍ଧ କରିବାର ଏହା ବାସ୍ତବ ସମୟ।ପ୍ରାୟତଃ ଏହି ସମୟକୁ ଯୌବନ ଅବସ୍ଥା କୁହାଯାଇଥାଏ।ଏହି ସମୟରେ ଜଣେ ବ୍ୟକ୍ତି ନିଜେ ପୂର୍ବରୁ ନେଇଥିବା ଶିକ୍ଷା ବା ତାଲିମ୍ ଉପରେ ନିର୍ଭର କରି ନିଜେ ଚଳିବା ସଙ୍ଗେ ସଙ୍ଗେ ତାର ନିଜର ପରିବାର ସୃଷ୍ଟି କରେ ଏବଂ ଅତୀତରେ ତାର ସେବା ଯତ୍ନ କରି ଏହି ସ୍ବୟଂ ସମ୍ପୂର୍ଣ୍ଣ ଜୀବନଯାପନ ପାଇଁ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ଦାୟିତ୍ବ ନେବାର ଯୋଗ୍ୟତା ଅର୍ଜନ କରିଥାଏ।ଏପରି ଜୀବନ ତାର ଅବସର ଜୀବନ ପର୍ଯ୍ୟନ୍ତ ବ୍ୟାପକ ହୋଇଥାଏ।ସେହି ଅବସର ଜୀବନ କାହାପାଇଁ କେଉଁ ବୟସରେ କିପରି ଆରମ୍ଭ ହୁଏ ତାହା ବ୍ୟକ୍ତିର ଶକ୍ତି, ସାମର୍ଥ୍ୟ ଶିକ୍ଷା, ସଂସ୍କାର ଓ ସ୍ଥିତି ଉପରେ ନିର୍ଭର କରେ। ଆନୁଷ୍ଠାନିକ ଶିକ୍ଷା,ପାରିବାରିକ ସଂସ୍କାର, ପାରିପାର୍ଶ୍ବିକ ଅବସ୍ଥା,ସମୟର ଆବଶ୍ୟକତା ଓ ବିବେକାନୁମୋଦିତ କର୍ତ୍ତବ୍ୟ ଏହି ସମୟକୁ ବ୍ୟକ୍ତି ପାଇଁ ଆହ୍ୱାନ ସୃଷ୍ଟି କରିଥାଏ।ସେ ଅଧିକ କର୍ମ ସଚେତନ ହୋଇଥାଏ ଏବଂ ଏହି ସମୟର ଭାବପ୍ରବଣତାକୁ ନିୟନ୍ତ୍ରିତ କରି ସଞ୍ଜମତା ଅବଲମ୍ବନ କରିଥାଏ।ଏଥିରୁ ବିଚ୍ୟୁତ ହେଲେ ପରବର୍ତ୍ତୀ ଜୀବନର ସୁଦୀର୍ଘ ଜୀବନ ନିଜର ଖିଆଲି ମନରେ ନଷ୍ଟ ହୋଇଯାଏ ଯାହା କେବେ ସଂଶୋଧନ କରିବାର ସୁଯୋଗ ସୃଷ୍ଟି କରେନାହିଁ।ଏହି ସମୟରେ ଅନୁଭବି ବ୍ୟକ୍ତିଙ୍କର ପରାମର୍ଶ ଭବିଷ୍ୟତ ଜୀବନକୁ ପ୍ରଭାବିତ କରିବାରେ ସହାୟକ ହୋଇଥାଏ।ନିଜର ପରିବାର କିପରି ହେବା ଦରକାର,ନିଜର ଶିକ୍ଷା ବା ତାଲିମ୍ ଅନୁସାରେ କେଉଁ ବୃତ୍ତି ଚୟନ କରାଯିବା ଉଚିତ ଏପରି ବିଚାରଧାରା ନେଇ ଯୋଜନା ପ୍ରସ୍ତୁତ ହୁଏ। ଯାହା ପରବର୍ତ୍ତୀ ଜୀବନକୁ ସୁଚାରୁରୂପେ ପରିଚାଳିତ କରି ଜୀବନଯାତ୍ରା ସୁଖମୟ କରେ। ଯେକୌଣସି ପରିସ୍ଥିତିର ସାମନା କରିବାର ସାମର୍ଥ୍ୟ ଯୋଗାଇଥାଏ ମଧ୍ୟ।ଏହି ସମୟ ଯେତିକି ଉପଭୋଗ୍ୟ ସେତିକି ମସୃଣ ଓ ଶିଉଳିଲଗା ଚଟାଣ ପରି ବିପଦ୍ଜନକ ମଧ୍ୟ।ଥରେ ଗୋଡ ଖସିଗଲେ ଇଚ୍ଛାନୁସାରେ ନିଜକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ।ଶିଉଳିରେ ପାଦ ପଡିବା ପୂର୍ବରୁ ଯେଉଁ ସତର୍କତା ପାଳନ କରିବାର ଆବଶ୍ୟକ ହୋଇଥାଏ ତାହାହିଁ ଏହି ସମୟରେ ପାଳନ କରିବା ବିଧେୟ। ମଧ୍ୟାହ୍ନ ସୂର୍ଯ୍ୟର ତେଜ ପରି ଯୌବନ ତେଜସ୍କ୍ରିୟ ହୋଇ ଯେପରି ଅଧିକ ପ୍ରଖର ହୋଇଥାଏ ସେହିପରି ଜୀବନ ତାର ଇଚ୍ଛାକୁ ଅବଦମିତ କରିବାରେ ଅସଫଳ ହୋଇ କୌଣସିନା କୌଣସି ଦିଗକୁ ବନ୍ୟାଜଳ ପ୍ରବାହିତ ହେବାପରି ପ୍ରଖର ସ୍ରୋତରେ ଗତିଶୀଳ ହୋଇପଡେ।ଥରେ ତାହା ସେହି ଦିଗରେ ପ୍ରବାହିତ ହେବା ଆରମ୍ଭ କଲେ ସ୍ବତଃ ନିୟନ୍ତ୍ରିତ ହେବା ସମ୍ଭବ ହୁଏନାହିଁ କିମ୍ବା କୌଣସି ଅବରୋଧକାରୀ ଶକ୍ତିର ନିୟନ୍ତ୍ରଣକୁ ଆସିବା ଏତେ ସହଜ ହୁଏନାହିଁ।ଯାହା ସେହି ବୟସର ପରବର୍ତ୍ତୀ ସମୟକୁ ସମସ୍ୟା ଜର୍ଜରିତ କରିପକାଏ।ଅଗ୍ନିର ପ୍ରଜ୍ଜ୍ବଳିତ ଶିଖା ପରି ଏହା ଦହନଶୀଳ ହୋଇପଡେ।ଆଉ ଯଦି ଏହା ସୁଚିନ୍ତିତ ଉପାୟରେ ନିୟନ୍ତ୍ରିତ ହୋଇ ଯୋଜନା ଅନ୍ତର୍ଭୁକ୍ତ କର୍ମରେ ବିନିଯୋଗ ହୋଇଯାଏ ତେବେ ତାର ସୁଫଳ ବିଶ୍ବବିଦିତ ହୋଇପଡେ। ଏହି କର୍ମମୟ ଜୀବନ,ଜୀବନର ସବୁଠାରୁ ମୂଲ୍ୟବାନ ଜୀବନର ଅର୍ଥ ବହନ କରେ। ବୈବୃଦ୍ଧ ପିତା,ମାତା, ପତ୍ନୀ, ସନ୍ତାନବର୍ଗଙ୍କ ସହ ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ମାନଙ୍କ ଦାୟିତ୍ବ ବହନ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ପାଇଁ ସୁଚିନ୍ତିତ ଯୋଜନା କାର୍ଯ୍ୟକରୀ କରିବାର ଏହା ପ୍ରକୃଷ୍ଟ ସମୟ ହୋଇଥାଏ।
ଯୌବନ ଅବସ୍ଥାରୁ ଅବସରକାଳୀନ ସମୟସୀମା ପର୍ଯ୍ୟନ୍ତ ଏକ ସୁଦୀର୍ଘ କର୍ମମୟ ଜୀବନର ଅଭିଜ୍ଞତା, ଅନୁଭୂତି ଆଧାରରେ ଅବସରକାଳୀନ ସମୟ ଅତିବାହିତ କରିବାର ଯେଉଁ ଜୀବନ ତାହା ପୂର୍ଵ ପ୍ରସ୍ତୁତି ଅନୁସାରେ ଭଲ ବା ମନ୍ଦ ହୋଇଥାଏ।ଯୋଜନା ଏବଂ ତାର କାର୍ଯ୍ୟକାରିତା ଯଦି ସଠିକ୍ ଭାବରେ ପରିଚାଳନା କରାଯାଇଥାଏ ତେବେ ତାହା ସ୍ଥିତି ଅନୁସାରେ ଉତ୍ତମ ଇପ୍ସିତ ଫଳ ପ୍ରଦାନ କରିଥାଏ। ନତୁବା ଏହାର ବ୍ୟତିକ୍ରମରେ ମନ୍ଦଫଳ ମଧ୍ୟ ଦେଇଥାଏ।ଉଭୟକୁ ବ୍ୟକ୍ତିଟି ଉପଭୋକ୍ତା ହିସାବରେ ଗ୍ରହଣ କରିବାକୁ ବାଧ୍ୟ ହୋଇପଡେ।ଭାଗବତ ବାଣୀରେ ସେଥିପାଇଁ କୁହା ଯାଇଛି:
“କର୍ମ କରିଣ ଫଳ ପାଇ
ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ”
ପ୍ରତ୍ୟେକ କର୍ମର,କର୍ମାନୁଶାରେ ଫଳ ପ୍ରାପ୍ତି ହୋଇଥାଏ।ବିଜ୍ଞାନ ଏହାକୁ କ୍ରିୟାର ସମ ସ୍ବତଃ ପ୍ରତିକ୍ରିୟା ବୋଲି କହିଥାଏ। ଗୁଣାତ୍ମକ କର୍ମର ଫଳ ମଧୁର ଏବଂ ମନ୍ଦ କର୍ମର ଫଳ ତିକ୍ତ ହୋଇଥାଏ।କର୍ମର ଫଳ କର୍ମାନୁଶାରେ ଯାହା ହେଉନା କାହିଁକି ଏଠାରେ ତାହା ଆଲୋଚ୍ୟ ପ୍ରସଙ୍ଗ ନହୋଇ ଅବଶିଷ୍ଟ ବୟସ ସମ୍ପର୍କରେ ଏହି ବୟସ ଅବଶିଷ୍ଟ ବୟସର ପୂର୍ବ ପ୍ରସ୍ତୁତି ହୋଇଥାଏ।ସମାଜରେ ମଧୁର ଏବଂ ତିକ୍ତ କର୍ମଫଳର ଅନେକ ଉଦାହରଣ ଦେଖିବାପାଇଁ ମିଳିଥାଏ। ତେବେ ସେହି ଦୁଇଟି ଅନୁଭୂତି ମୂଳରେ କିପରି କେଉଁ କର୍ମ ନିହିତ ଥାଏ ତାର ସଠିକ୍ ଅନୁଶୀଳନ ଏବଂ ସେହି ଅନୁସାରେ ନିଜର ଜୀବନକୁ ଗଢି ଗତିଶୀଳ କରାଇବାରେ ସ୍ଥିତି ସୃଷ୍ଟି କରିବାର ପରିକଳ୍ପନାକୁ ସାକାର କରିବା ପାଇଁ ଯେଉଁ ଜ୍ଞାନର ଆବଶ୍ୟକତା ତାହା ହୁଏତ ଅନେକ ସମୟରେ ବ୍ୟକ୍ତିକୁ ଚୟନ କରିବାରେ ବିଭ୍ରାନ୍ତ କରିପାରେ। ସେଥିପାଇଁ ସେହି ବ୍ୟକ୍ତି ନିଜର କୌଣସି ପସନ୍ଦଯୋଗ୍ୟ ଅନୁଭବି ମଣିଷର ମାର୍ଗଦର୍ଶନ ଆବଶ୍ୟକ କରିଥାଏ।
କୌଣସି କାର୍ଯ୍ୟର ପୂର୍ବ ପ୍ରସ୍ତୁତି ସେହି କାର୍ଯ୍ୟକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ।କାର୍ଯ୍ୟଟି ଯେତେ କଠିନ ମନେ ହେଉଥାଏ ତାର ପୂର୍ବ ପ୍ରସ୍ତୁତି ସେହି କଠିନତାକୁ ସରଳିକରଣ କରିବାରେ କାର୍ଯ୍ୟର ସଫଳତାର ସୂତ୍ର ଭାବରେ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥାଏ। ତେଣୁ ଅବଶିଷ୍ଟ ଜୀବନର ଯେଉଁ କଠିନ ସମୟ ଜୀବନରେ ବ୍ୟକ୍ତିକୁ ଅସହାୟତା ମଧ୍ୟକୁ ଟାଣିନିଏ ତାହା ଅସହ୍ୟ ମନେହେଉଥିଲେବି ତାର ପୂର୍ବ ପ୍ରସ୍ତୁତି ପାଇଁ ତାହା ମଧ୍ୟ ଉପଭୋଗ୍ୟ ହୋଇଯାଏ।ସମୟ ସମସ୍ତଙ୍କ ପାଇଁ ସମାନ ଗତି କରୁଥିଲେ ମଧ୍ୟ ତାହା କାହାପାଇଁ ଦୁଃଖ ଓ ସୁଖ ଦେବାର ଦେଖାଯାଏ।ପ୍ରକୃତରେ ସମୟ କାହାରିକୁ କିଛି ଦେଇ ପାରେନାହିଁ।ସମୟର ଧର୍ମ ତାହା ନିର୍ଦ୍ଧିଷ୍ଟ କାଳଚକ୍ରରେ ସମଗତିରେ ପ୍ରବାହିତ ହୋଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପରି ସ୍ଥିତିର ସୃଷ୍ଟି କରିବା।ସେହି ଗତି ଓ ସ୍ଥିତିକୁ ଅନୁଧ୍ୟାନ କରି ପ୍ରାଣୀ ଜଗତ ନିଜପାଇଁ ସୁଯୋଗ ସୃଷ୍ଟି କରନ୍ତି ଏବଂ ତାର ସୁଫଳ ବା କୁଫଳ ଉପଭୋଗ କରନ୍ତି। ଅବଶିଷ୍ଟ ସମୟ ସେହି ତିନୋଟି କଳଚକ୍ରର ଶେଷ କ୍ରମରେ ଜୀବନକୁ ଉପଭୋଗ କରିବାର ସୁଯୋଗ ଦେଇଥାଏ।
କୌଣସି ବୃତ୍ତିଧାରୀ ବ୍ୟକ୍ତିଙ୍କର ଅବସର ତାଙ୍କ ବୟସ ଉପରେ ନିର୍ଭର କରୁଥିବା ସମୟରେ ସ୍ବାବଲମ୍ବୀ ବ୍ୟକ୍ତି ନିଜର ଆବଶ୍ୟକତା ଓ ସାମର୍ଥ୍ୟକୁ ନେଇ ଅବସର ସମୟ ସ୍ଥିର କରିଥାନ୍ତି।ବୃତ୍ତିଧାରୀ ବ୍ୟକ୍ତି ବୃତ୍ତିରୁ ଅବସର ନେବାପରେ ନିଜର ଆବଶ୍ୟକତା ଓ ସାମର୍ଥ୍ୟ, ସୁଯୋଗକୁ ନେଇ ଅବସର ନେବାର ଯୋଜନା ପ୍ରସ୍ତୁତ କରନ୍ତି।ଏଥିରେ ପରିବାରର ଦାୟିତ୍ବ ଏବଂ ଆବଶ୍ୟକତା ବ୍ୟକ୍ତିକୁ କର୍ମନିଯୋଗୀ କରିଥାଏ। ଅତିକ୍ରାନ୍ତ ବୟସର ଶିଥିଳତା ଅନେକ ସମୟରେ ବ୍ୟକ୍ତିକୁ କର୍ମ ବିମୁଖ କରାଉଥିଲେ ମଧ୍ୟ ଆବଶ୍ୟକତାର ଚାପ ବ୍ୟକ୍ତିକୁ କର୍ମପ୍ରବଣ କରାଇଥାଏ। ସେହି ସମୟରେ ବ୍ୟକ୍ତି ଶାରିରୀକ ସାମର୍ଥ୍ୟରେ ଦୁର୍ବଳ ଅନୁଭବ କରୁଥିଲେ ସେ ନିଜର ପୂର୍ବ ଅଭିଜ୍ଞତାକୁ ସଫଳତାର ସୂତ୍ର ଭାବରେ ପ୍ରୟୋଗ କରି ସଫଳତା ଲାଭ କରେ ବା ବିଫଳ ମଧ୍ୟ ହୋଇ ପାରେ। ମାତ୍ର ସେହି ଅବସର ପରବର୍ତ୍ତୀ ସମୟର କର୍ମ ଅଧିକ ସଫଳ ହେବାର ଦେଖାଯାଏ।ବୟସର ଚାପ ଆଗରେ ବ୍ୟକ୍ତି ସ୍ଥିର ରହି ନିଜର ଯୋଜନା ପ୍ରସ୍ତୁତ କରିବାରେ ତାଙ୍କର ପୂର୍ବ ଅଭିଜ୍ଞତା ବ୍ୟକ୍ତିକୁ ସଫଳତା ଦିଗରେ ଗତିଶୀଳ କରାଏ।
ଆୟୁଷର କାଠଗଡାରେ ବୟସର ବିଳାପ ତାର ଅସହାୟତାକୁ ସର୍ବସମକ୍ଷରେ ସ୍ବୀକାର କରିବାର କୁଣ୍ଠିତ ପ୍ରୟାସ ସ୍ପଷ୍ଟ କରିଦିଏ ଜୀବନର ଆଭ୍ୟନ୍ତରୀଣ ଦ୍ରୌବଲ୍ୟତାକୁ।ଯେଉଁ ସମୟରେ ମଣିଷ ନିଜର ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର ପରିଚାଳନାରେ ଅସମର୍ଥ ହୁଏ ତାହା ନିଜର ଜୀବନକୁ ଏକ ସମସ୍ୟା ଭାବରେ ଗ୍ରହଣ କରେ।ଏହି ବୟସ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟାରେ ସ୍ଥିର ହୋଇ ନଥାଏ।ସେହି ସମୟରେ ତାର ଚିନ୍ତା ତା ନିଜକୁ ନିଜ ପାଇଁ ଏକ ବୋଝ ହିସାବରେ ଗ୍ରହଣ କରିନିଏ। ନିଜପାଇଁ ନିଜେ କିଛି କରିବାର ସାମର୍ଥ୍ୟ ଲୋପ ପାଇଯିବା ତାକୁ ଅସହାୟ କରିପକାଏ।ଏହି ସମୟରେ ନିଜର ପରିବାରରେ ଥିବା ସଦସ୍ୟ ସେହି ବ୍ୟକ୍ତିକୁ ଆଉ ପୂର୍ବପରି ଗୁରୁତ୍ୱ ଦେବା ସେ ଅନୁଭବ କରନ୍ତିନାହିଁ। ଯେଉଁଥିପାଇଁ ଜୀବନର ଅନ୍ତିମ ସମୟରେ ଜଣେ ବ୍ୟକ୍ତି ଯେତେ ସୁବିଧାରେ ଥିଲେ ମଧ୍ୟ ନିଜକୁ ନିଜେ ଅବହେଳିତ ମନେ କରନ୍ତି। ଶାରିରୀକ ଦୁର୍ବଳତା ଦୃଷ୍ଟିରୁ ଶରିରରେ ରୋଗ ଦେଖାଯିବା ସ୍ବଭାବିକ।ଏହି ରୋଗ କିପରି କେଉଁ ରୋଗ ତାହା ଜଣେ ଚିକିତ୍ସକ ଜଣାଇଥାନ୍ତି।ସେହି ରୋଗର ନିରାକରଣ ପାଇଁ ଔଷଧପତ୍ର ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ବଦଳିଯାଏ।ଯାହାକୁ ସକାରାତ୍ମକ ଭାବରେ ଗ୍ରହଣ କରିବା ବ୍ୟକ୍ତିଟି ପକ୍ଷେ ସମ୍ଭବ ହୋଇ ନ ଥାଏ। ତେଣୁ ମନରେ ଜୀବନ ପ୍ରତି ବିତୃଷ୍ଣା ସୃଷ୍ଟି ହୁଏ।ଏହି ସମୟରେ ଅଧିକ ସହିଷ୍ଣୁତା ଓ ଧୈର୍ଯ୍ୟର ଆବଶ୍ୟକ ହୋଇଥାଏ। ଅଧିକ ସମୟ ନିରବ ରହିବା ଏବଂ ଜୀବନର ପୂର୍ବବର୍ତ୍ତୀ ସମୟକୁ ଅନୁଶୀଳନ କରିବାରେ ମନକୁ ଶାନ୍ତ୍ବନା ମିଳେ। ପାରିବାରିକ ଶିକ୍ଷା,ସସ୍କୃତି, ପରମ୍ପରା ଓ ବୌଦ୍ଧିକ ଚିନ୍ତନ ଦ୍ବାରା ଏହି ସମୟ ଅନୁତାପ,ଅନୁଶୋଚନା,ପଶ୍ଚ୍ୟାତତାପ ପରି ବିପରିତ ଧର୍ମି ଚିନ୍ତାକୁ ସକାରାତ୍ମକ ଚିନ୍ତାରେ ପରିଣତ କରାଏ। ଏହାଦ୍ବାରା ଅସନ୍ତୋଷ ଦୂର ହୋଇ ନିଜପାଇଁ ନିଜର ଚିନ୍ତା ଚେତନା ଜନକଲ୍ୟାଣମୁଖି ହୋଇଉଠେ ଏବଂ ବିଭୁ ଚିନ୍ତନର କ୍ଷେତ୍ର ପ୍ରସ୍ତୁତ କରେ।ଏହି ଅତିରିକ୍ତ ଜୀବନ ବା ଅବଶିଷ୍ଟ ଜୀବନ ନିଜପାଇଁ ହେଉ ବା ଅନ୍ୟ ମାନଙ୍କ ପାଇଁ ହେଉ ବିଶେଷ ଚିନ୍ତାଜନକ ନହୋଇ ଉପଭୋଗ୍ୟ ହୋଇଉଠେ।
🌄🌴🌹✍️ ସଞ୍ଜୟ ✍️ 🌹 🌳 🌝