ୱକଫ୍ ବିଲ୍କୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ମୁସ୍ଲିମ ସଂଗଠନ
ନୂଆଦିଲ୍ଲୀ: ପ୍ରବଳ ବିରୋଧ ଭିତରେ ୱକଫ୍ (ସଂଶୋଧିତ) ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହେବ। ସଂସଦରେ ବିଲ୍ ଗୃହୀତ ହେବାପରେ ଏହାକୁ ବିରୋଧ କରି ଗୁଜରାଟ, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ମୁସଲମାନମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ୱକଫ୍ ବିଲ୍ ଯେଭଳି ଭାବେ ଗୃହୀତ କରାଗଲା ତାହା ଏକଛତ୍ରବାଦ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଉଚିତ ବୋଲି କେତେକ ମୁସ୍ଲିମ ସଂଗଠନ ଦାବି କରିଛନ୍ତି।
କୋଲକାତା, ଚେନ୍ନାଇ ଓ ଅହମଦାବାଦ ସମେତ ବିଭିନ୍ନ ସହରରେ ମୁସଲମାନଙ୍କ ଜୋର୍ଦାର ବିରୋଧକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି। ବହୁ ସଂଖ୍ୟାରେ ମୁସ୍ଲିମ ରାସ୍ତାକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିଥିଲେ। ଶୁକ୍ରବାର ନମାଜ ପରେ ବିଭିନ୍ନ ସହରରେ ବିନା ଅନୁମତିରେ ଅଚାନକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସମସ୍ୟା ସୃଷ୍ଟି କରିଥିଲା।ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶତାଧିକ ଲୋକଙ୍କୁ ପୁଲିସ ବିଭିନ୍ନ ସ୍ଥାନରେ ଅଟକ ରଖିଥିଲା।
ସୂଚନାଯୋଗ୍ୟ,, ସଂସଦର ଉଭୟ ଗୃହରେ ଲମ୍ବା ବିତର୍କ ପରେ ବିଲ୍ ଗୃହୀତ ହୋଇଥିବା ବେଳେ ଏହି ବିଲ୍ ମୁସ୍ଲମାନଙ୍କ କଲ୍ୟାଣ ପାଇଁ ହିଁ ଉଦ୍ଦିଷ୍ଟ ଏବଂ କୌଣସି ଧାର୍ମିକ ବ୍ୟାପାରରେ ସରକାରଙ୍କ ହସ୍ତକ୍ଷେପ ରହିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବିରୋଧୀ ଦଳମାନେ କେବଳ ଭୋଟ୍ବ୍ୟାଙ୍କ ପାଇଁ ମୁସ୍ଲିମ ସଂପ୍ରଦାୟକୁ ବିଭ୍ରାନ୍ତ କରୁଛନ୍ତି ଏବଂ ସରକାରକୁ ମୁସ୍ଲିମ ବିରୋଧୀ ଭାବେ ଚିତ୍ରଣ କରାଯାଉଛି ବୋଲି ସ୍ଲୋଗାନ ଦେଇଥିଲେ.