Spread the love

୧୫୦ ତମ ଜୟନ୍ତୀ ଅବସରରେ ଭାରି ମନେ ପଡ଼ନ୍ତି ସୋନପୁର ଗଡ଼ଜାତ ର ବଳିଷ୍ଠ ଶାସକ ମହାରାଜା ବୀରମିତ୍ରୋଦୟ ସିଂହଦେବ। ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ।
ସୁବର୍ଣ୍ଣପୁର ଇତିହାସର ବଳିଷ୍ଠ ଶାସକ ମହାରାଜା ବୀରମିତ୍ରୋଦୟ ସିଂହଦେବ ଧର୍ମନିଧି, ଜ୍ଞାନଗୁଣାକାର, କେ.ସି.ଆ.ଇ, ଥିଲେ ରାଜା ପ୍ରତାପରୁଦ୍ର ସିଂହ ଦେବ ଏବଂ ରାଣୀ ଅମୂଲ୍ୟମଣି ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ।୧୮୭୪ ମସିହା ଜୁଲାଇ ମାସ ୮ ତାରିଖରେ ସୁବର୍ଣ୍ଣପୁର ରାଜ ଉଆସରେ ଜନ୍ମ ଗ୍ରହଣ କରନ୍ତି ଏହି ମହାନ ବ୍ୟକ୍ତିତ୍ଵ। ତାଙ୍କ ଜନ୍ମ ହେବା ପରେ ପରେ ଗଡ଼ଜାତ ଅଞ୍ଚଳରେ ନୂତନ ସୂର୍ଯ୍ୟୋଦୟ ର ଅୟମାରମ୍ଭ ଆସ୍ତେ ଆସ୍ତେ ଦେଖିବାକୁ ମିଳିଥିଲା। ତାଙ୍କ କୋଳକୁ ଆସିବା ଦିନରୁ ହିଁ ଅନେକ ଶୁଭ ଅନୁକୂଳ ଗଡ଼ଜାତ ଅଞ୍ଚଳର ପ୍ରଜାମାନେ ମଧ୍ୟ ଅନୁଭବ କରିଥିବା ଜଣାଯାଏ। କୁଳ ଜ୍ୟୋତିଷ ତାଙ୍କୁ ଦେଖି ଗଡ଼ଜାତ ସକାଶେ ମହାନ୍ ବ୍ୟକ୍ତିତ୍ୱଙ୍କର ଆଗମନ ହୋଇ ସାରିଛି। ଯେତେବେଳେ ଏହାଙ୍କ ରାଜ୍ୟାଭିଷେକ ହୋଇବ ସେହି ଦିନ ଠାରୁ ପ୍ରଜାଙ୍କ ସକାଶେ ଖୁସିର ଖୁସିର ଲହରୀ ଖେଳିବା ଆରମ୍ଭ ହେବ।
ତାହାହିଁ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଥିଲା।
ତାଙ୍କ ସମୟରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଘଟିଥିଲା।ସେ ହିଁ ଥିଲେ ଆଧୁନିକ ସୁବର୍ଣ୍ଣପୁର ର ନିର୍ମାତା।ସେହି ସମୟରେ ରାଜ୍ୟର ଶ୍ରୀସମୃଦ୍ଧି ବୃଦ୍ଧି ପାଇ ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି ର ଅୟମାରମ୍ଭ ହୋଇଥିଲା ।

ପିତା ପ୍ରତାପରୁଦ୍ର ୧୮୯୧ ମସିହାରେ ସିଂହାସନ ଆରୋହଣ କରିବା ସମୟରେ ଯୁବରାଜ ବୀରମିତ୍ରୋଦୟ ଥିଲେ ସତର ବର୍ଷର ଯୁବକ । ପିତାଙ୍କ ଅନ୍ତେ ୨୮ ବର୍ଷ ବୟସରେ ୧୯୦୨ ମସିହା ଅଗଷ୍ଟ ମାସ ୮ ତାରିଖରେ ତାଙ୍କର ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହୁଏ । ୧୯୦୨ ମସିହାରୁ ୧୯୩୭ ମସିହା ଦୀର୍ଘ ୩୫ ବର୍ଷ କାଳ ସୁବର୍ଣ୍ଣପୁର ରାଜ୍ୟର ଶାସନ ଭାର ନିଜ ହାତରେ ରଖନ୍ତି ଏବଂ ଆରମ୍ଭ ହୁଏ ସୁବର୍ଣ୍ଣପୁର ପାଇଁ ସୁବର୍ଣ୍ଣ ସମୟ। ସୁବର୍ଣ୍ଣପୁର ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପରିଲକ୍ଷିତ ହୁଏ। ରାଜ ପରିବାରର ପୂର୍ବ ପୁରୁଷ ମାନେ ରାୟ ବାହାଦୁର ଉପାଧି ଲାଭ କରିଥିଲେ ।ମାତ୍ର ଛଅ ବର୍ଷ ଶାସନ ସମୟରେ ଉତ୍କର୍ଷତା ପାଇଁ ୧୯୦୮ ମସିହାରେ “ମହାରାଜା” ଉପାଧିରେ ଭୂଷିତ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ।ଶାସନର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ତାଙ୍କୁ “K.C.I.E” ଉପାଧି ପ୍ରଦାନ କରାଯାଇଥିଲା । ପୁରୀର ଶ୍ରୀମନ୍ଦିର ତଥା ମୁକ୍ତିମଣ୍ଡପ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରଶଂସା କରି ଶ୍ରୀ ମୁକ୍ତିମଣ୍ଡପ ସଭା ତାଙ୍କୁ “ଧର୍ମନିଧି” ଉପାଧି ଦେଇଥିଲେ । ଏହା ଛଡ଼ା ବଙ୍ଗୀୟ ସଂସ୍କୃତ ମହାମଣ୍ଡଳ ତାଙ୍କୁ ପ୍ରଦାନ କରିଥିଲେ “ଜ୍ଞାନଗୁଣାକାର” ସମ୍ମାନ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ । ବଙ୍ଗଳା ପ୍ରଦେଶର ତତ୍କାଳୀନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର୍ ଆଣ୍ଡ୍ରୁ ଫ୍ରେଜର କଲିକତାର ଦରବାରରେ ତାଙ୍କୁ “ଉତ୍କଳର ଆଦର୍ଶ ରାଜା” ବୋଲି ସମ୍ବୋଧନ କରିଥିଲେ।
ଏସବୁ ଉପାଧୀ ରାଜା ହେବାର କିଛି ସମୟ ମଧ୍ୟରେ ଲାଭ କରି ପାରିଥିଲେ ।
ଏପରିକି ତାଙ୍କର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ମଧ୍ୟ ବେଶ ରୁଚିରହିଥିଲା। ତାଙ୍କର ସେତେବେଳେ ଖାଲି ନିଜ ଗଡ଼ଜାତ ଅଂଚଳରେ ନୁହଁ। ଅନ୍ୟାନ୍ୟ ଅଂଚଳରେ ମଧ୍ୟ ତାଙ୍କର ଖ୍ୟାତି ରହିଥିଲା। ତଦ୍ ସ୍ୱରୂପ ସେହି ସମୟରେ ସେ ଉତ୍କଳ ସାହିତ୍ୟ ସମାଜର ସଭାପତି, ବିହାର – ଓଡ଼ିଶା ଗବେଷଣା ପରିଷଦର ଉପ-ପୃଷ୍ଠପୋଷକ, ସର୍ବଭାରତୀୟ ମାତୃ ଓ ଶିଶୁ ମଙ୍ଗଳ ସଂଘର ଉପସଭାପତି ତଥା ରୟାଲ ଏସିଆଟିକ ସୋସାଇଟିର ସଦସ୍ୟ ଭାବରେ ମନୋନୀତ ହୋଇପାରିଥିବା ଜଣାଯାଏ।ସେ ଜଣେ ସୁସାହିତ୍ୟିକ, ଶିକ୍ଷା ସଂସ୍କୃତି ର ପୃଷ୍ଠପୋଷକ, ସମାଜ ସଂସ୍କାରକ, ଦୃଢ଼ ପ୍ରଶାସକ, ତଥା ନବଯୁଗର ପ୍ରବର୍ତ୍ତକ ଭାବରେ ତାଙ୍କର ଯଶ କୀର୍ତ୍ତି ସ୍ଥାପନ କରି ପାରିଥିଲେ। ତାଙ୍କ ସମୟରେ ଶିକ୍ଷାର ବିକାଶ କ୍ଷେତ୍ରରେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଥିଲେ।ଶାସନର ପାଞ୍ଚ ବର୍ଷ ମଧ୍ୟରେ ୧୬ ଗୋଟି ନୂତନ ବିଦ୍ୟାଳୟ ସ୍ଥାପନ କରିଥିଲେ । ସୋନପୁର ଓ ବିନିକା ଠାରେ ନିମ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସହ ବିଦ୍ୟାଳୟ ସ୍ଥାପନ କରିଥିଲେ। ୧୯୦୮ ମସିହାରେ ସୋନପୁର ଠାରେ ରାଜ୍ୟର ପ୍ରଥମ ବାଳିକା ମଧ୍ୟଇଂରାଜୀ ବିଦ୍ୟାଳୟ, ଅନ୍ୟାନ୍ୟ ଗଡ଼ଜାତ ଛାତ୍ର ଙ୍କ ପାଇଁ “ବୋଡିଙ୍ଗ ହାଉସ” ଏବଂ ଶିକ୍ଷା ର ବିକାଶ ପାଇଁ “ସୋନପୁର ଟ୍ରଷ୍ଟ ଫଣ୍ଡ” ତିଆରି କରି ଆଠ ପ୍ରକାରର ଶିକ୍ଷା ବିକାଶର ଫଣ୍ଡ ଆରମ୍ଭ କରିଥିଲେ । ଏହାଛଡା ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ତାଙ୍କ ଦାନରେ ପରିପୃଷ୍ଟ ହୋଇଥିଲେ । ଏତତ୍ ବ୍ୟତିତ ଆଉ ଗୋଟିଏ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ।ତାହାହେଉଛି ଗରିବ ଛାତ୍ରୀଙ୍କ ସକାଶେ ୫ଟଙ୍କା ଲେଖାଏଁ ବୃତ୍ତି ର ବନ୍ଦୋବସ୍ତ କରିବା।
ଏହାଛଡା ଗଡଜାତର ସମସ୍ତ ଙ୍କ ସକାଶେ ସ୍ୱାସ୍ଥ୍ୟ ସେବା ନିମନ୍ତେ ମଧ୍ୟ ବେଶ ଗୁରୁତ୍ୱ ପ୍ରଦାନ କରିଥିବା ଜଣାଯାଏ।ସେହି ଅନୁସାରେ
ସୋନପୁର, ତରଭା ଓ ଶୁଖା ରେ ଆୟୁର୍ବେଦିକ ଚିକିତ୍ସାଳୟ ଆରମ୍ଭ କରି ମାଗଣା ଔଷଧ ତଥା ପରାମର୍ଶ ର ବ୍ୟବସ୍ଥା ର ଆରମ୍ଭ ମଧ୍ୟ କରିଥିଲେ।
ତେଣୁ ତାଙ୍କ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ ଅଟେ।
“ସୋନପୁର ଟ୍ରଷ୍ଟ ଫଣ୍ଡ” ରେ ମୋଟ ନଅ ପ୍ରକାରର ସ୍ବାସ୍ଥ୍ୟ ପାଣ୍ଠି ସୃଷ୍ଟି କରିଥିଲେ । ଏହାଛଡ଼ା ଭାରତ ବର୍ଷର ଅନେକ ଡାକ୍ତରଖାନା କୁ ମଧ୍ୟ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ କରିଥିବା କଥା ଇତିହାସ ପୃଷ୍ଠାରୁ ଦେଖିବାକୁ ମିଳେ।
ତାଙ୍କ ସମୟରେ କୃଷକଙ୍କ କଲ୍ୟାଣ ନିମନ୍ତେ ଜଳସେଚନର ସୁବିଧାର ମଧ୍ୟ ଆରମ୍ଭ କରିଥିଲେ। ଜମିରୁ ମିଳୁଥିବା ଶସ୍ୟକୁ ସାଇତି ରଖିବା ପାଇଁ ରାଜ୍ୟରେ ୧୭ ଗୋଟି ଶସ୍ୟାଗାର ନିର୍ମିତ କରିଥିଲେ । ପ୍ରତିବର୍ଷ କୃଷି ପ୍ରଦର୍ଶନୀର ଆୟୋଜନ କରିବା ସହିତ କୃଷକ ମାନଙ୍କୁ ପୁରସ୍କୃତ କରୁଥିଲେ । କୃଷି ଉପକରଣ ତଥା କୃଷି ଋଣ ମଧ୍ୟ କୃଷକଙ୍କୁ ପ୍ରଦାନ କରାଯାଉଥିଲା । ରାଜ୍ୟର କ୍ଷୁଦ୍ର ତଥା କୁଟୀର ଶିଳ୍ପର ବିକାଶ ପାଇଁ “ଟ୍ରଷ୍ଟ ଫଣ୍ଡ” ନାମରେ ଏକ ପାଣ୍ଠି ସୃଷ୍ଟି କରିଥିଲେ। ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲା।
ପ୍ରସ୍ତର ଶିଳ୍ପ, ଧାତବ ଶିଳ୍ପ, କାଷ୍ଠ ଶିଳ୍ପ , ଚମଡ଼ା,ତୈଳ, ମନ୍ଦିର, ଗଞ୍ଜପା ତଥା ପଟ୍ଟଚିତ୍ର ର ଶିଳ୍ପ ରାଜ୍ୟର ଅର୍ଥନୀତି ରେ ବିଶେଷ ପ୍ରଭାବ ପକାଇଥିଲା। ଖଣ୍ଡହତା ରେ ଲୁହା ଶିଳ୍ପ, ବିନିକା ଓ ତରଭାର ସ୍ବର୍ଣ୍ଣ,ରୁପା ଓ କଂସା ଉଦ୍ୟୋଗ ଖୁବ ସମୃଦ୍ଧ ଲାଭ କରିଥିଲା । ଏହା ଛଡ଼ା ସୋନପୁରୀ ଶାଢ଼ୀ ବିଶେଷ ଭାବରେ ଆଦୃତ ଲାଭ କରିଥିଲା ।
ଏହି ସମୟରେ ରାଜ୍ୟର ଗମନାଗମନ ତଥା ପରିବହନର ବିଶେଷ ଉନ୍ନତିକରଣ ହୋଇଥିଲା । ବିଭିନ୍ନ ନାଳ ଉପରେ ପୋଲ, ରାଜ ମାର୍ଗରେ ଧର୍ମଶାଳା ବା ଚଟିଘରର ନିର୍ମାଣ ତଥା ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ ଲୋକଙ୍କ ଉପରେ ଗଭୀର ଛାପ ପକେଇଥିଲା । ଏ‌ହି ସମୟରେ ପରିବହନ କ୍ଷେତ୍ରରେ ମଧ୍ୟ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ସାହିତ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ସ୍ବୟଂ ମହାରାଜା ଜଣେ ଚମତ୍କାର ସାହିତ୍ୟିକ ଥିଲେ । ସେ ନିଜେ ଅନେକ ସଂସ୍କୃତ ତଥା ଓଡ଼ିଆ ପୁସ୍ତକର ସ୍ରଷ୍ଟା । ସାତୋଟି ସଂସ୍କୃତ ସ୍ତୋତ୍ରର ସଂକଳନ “ସ୍ତୋତ ତରଙ୍ଗିଣୀ”, ଓଡ଼ିଆ ଅନୁବାଦ ନାଟକ “ରତ୍ନାବଳୀ”, “ଅଭିଜ୍ଞାନ ଶାକୁନ୍ତଳମ”, “ସ୍ବର୍ଣ୍ଣପୁର ବେଢ଼ା ପରିକ୍ରମା” ଆଦି ବିଭିନ୍ନ ପୁସ୍ତକ ରାଜ ପଦ ପାଇବା ଆଗରୁ ଏବଂ ପରେ ମଧ୍ୟ ଓଡ଼ିଶାର ବିଭିନ୍ନ ପ୍ରେସରୁ ପ୍ରକାଶିତ ହୋଇଅଛି । ଏହାଛଡ଼ା ଅନେକ ରଚନା “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ପ୍ରକାଶିତ ହୋଇ ଅନେକ ପ୍ରଶଂସା ସାଉଁଟି ପାରିଛି । କବିବର ରାଧାନାଥ ରାୟ ଏବଂ ସ୍ବଭାବ କବି ଗଙ୍ଗାଧର ମେହେର ଏହି କାବ୍ୟ କବିତା ଗୁଡ଼ିକର ଭୂୟସୀ ପ୍ରଶଂସା କରିଛନ୍ତି । ଏହାଛଡ଼ା ଅନେକ କବି ,ଲେଖକଙ୍କୁ ସାହାଯ୍ୟ କରି ତାଙ୍କ ରଚନା ସବୁ ପ୍ରକାଶିତ କରିବାରେ ସାହାଯ୍ୟ କରିଛନ୍ତି ।
୧୯୧୯ ମସିହାରେ କଲିକତା ବିଶ୍ଵବିଦ୍ୟାଳୟ ରେ ଓଡ଼ିଆ ଏମ୍ .ଏ ବିଭାଗ ଖୋଲି ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ଭାଷା ନୁହେଁ ବୋଲି କହୁଥିବା ବଙ୍ଗାଳୀ ଙ୍କ ମୁହଁରେ ଦେଇଥିଲେ ଏକ ଶକ୍ତ ପ୍ରହାର । ୧୯୧୨ ମସିହା ଅଗଷ୍ଟ ୧ ତାରିଖରେ ଓଡ଼ିଶା-ବିହାର ପ୍ରଦେଶ ଗଠନ ହୋଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ “ଓଡିଶା ବିହାର” ବ୍ୟବସ୍ଥାପିକା ସଭାର ମନ୍ତ୍ରୀ ହୋଇଥିବା ବେଳେ ବୀରମିତ୍ରୋଦୟ ଥିଲେ “ଓଡିଶା-ବିହାର ରିସର୍ଚ୍ଚ ସୋସାଇଟି” ର ଉପ-ପୃଷ୍ଠପୋଷକ । ୧୯୨୮ ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ଲକ୍ଷ୍ନୌ ଅଧିବେଶନ ତଥା ସେହି ବର୍ଷ ସାଇମନ କମିଶନ ଙ୍କୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି ସମ୍ବନ୍ଧୀୟ ସ୍ମାରକ ପତ୍ର ପ୍ରଦାନ କରିବା ସମୟରେ ଉପସ୍ଥିତ ଥିଲେ । ୧୯୩୬, ଏପ୍ରିଲ ୧ ତାରିଖରେ ତାଙ୍କର ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ରେ ପାଳିତ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶାର ଜନ୍ମଦିବସ।
ସର୍ବଧର୍ମ ର ପୁଝାରୀ ଥିଲେ ମହାରାଜା ବୀରମିତ୍ରୋଦୟ । ନିଜେ ହିନ୍ଦୁ ହୋଇ ମଧ୍ୟ ଅନ୍ୟାନ୍ୟ ଧର୍ମ ତଥା ଧର୍ମାବଲମ୍ବୀଙ୍କୁ ସମ୍ମାନ ଓ ଭକ୍ତି କରୁଥିଲେ । ତାଙ୍କ ସମୟରେ ସୋନପୁର, ତରଭା, ନାରାୟଣପୁର ଆଦି ସ୍ଥାନରେ ମସଜିଦ ପ୍ରତିଷ୍ଠିତ ହୋଇଥିଲା । ସୋନପୁର ରେ ମସଜିଦ ସମ୍ମୁଖରେ ରଥଯାତ୍ରା ତଥା ନାରାୟଣପୁର ରେ ମୁସଲିମଙ୍କ ଦ୍ବାରା ଜଗନ୍ନାଥ ରଥଟଣା ତାଙ୍କ ସମୟର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ର ଏକ ଛୋଟ ଉଦାହରଣ । ମହାରାଜା ବାରାଣାସୀରେ ମହାରୁଦ୍ର ଯଜ୍ଞ ଆୟୋଜନ କରିଥିଲେ ‌। ବୃନ୍ଦାବନର ରାଧାମାଧବ ମନ୍ଦିର ର ନିର୍ମାଣ ତଥା ପୂଜା ଖଞ୍ଜାର ବ୍ୟବସ୍ଥା କରିଛନ୍ତି । ଏହା ଛଡ଼ା ସୁବର୍ଣ୍ଣପୁର ରାଜ୍ୟରେ ଅନେକ ନୂତନ ମନ୍ଦିର ନିର୍ମାଣ, ପୁରାତନ ମନ୍ଦିରର ଉନ୍ନତି କରଣ ତଥା ପ୍ରସିଦ୍ଧ ବଳି ଯାତ୍ରା ମାଧ୍ୟମରେ ଜାତି ଭେଦ ପ୍ରଥା ଉଛେଦ କରିଥିଲେ । ମନ୍ଦିର ମାନଙ୍କର ପୂଜା ଖଞ୍ଜା ତଥା ପରିଚାଳନା ପାଇଁ ଜମିବାଡ଼ି ର ବ୍ୟବସ୍ଥା କରିଥିଲେ । ତାଙ୍କର କୀର୍ତ୍ତି ସବୁ ଆଜି ମଧ୍ୟ ଜିଲ୍ଲାରେ ଦେଖିବାକୁ ମିଳିଥାଏ ।
ସେହି ମହାନ୍ ଶାସକଙ୍କ ଜନ୍ମତିଥିରେ ଆଜି ଭାରି ମନେ ପଡୁଛନ୍ତି।ତାଙ୍କୁ ପ୍ରାକ୍ତନ ଗଡ଼ଜାତ ଅଂଚଳ ବାସୀ ତଥା ଅଧୁନା ସୁବର୍ଣ୍ଣପୁର ଜିଲ୍ଲାବାସୀ ତାଙ୍କ ପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାସୁମନ ଜ୍ଞାପନ କରୁଛୁ।

                          ସିତାଂଶୁ ଶେଖର ମିଶ୍ର 
                         ସୋନପୁର, ଶାନ୍ତି ନଗର
                     ଦୁରଭାଷ.୮୧୪୪୮ ୭୦୭୨୯

Leave a Reply

Your email address will not be published. Required fields are marked *