ମଣିଷ-ହାତୀ ସଂଘର୍ଷ- ସହାବସ୍ଥାନ ଏକମାତ୍ର ବିକଳ୍ପ (ହାତୀସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ: ବଞ୍ଚାଏ ଧନ ଜୀବନ)
ଖଜୁରିଆକଟା 20/2
ସମ୍ପ୍ରତି ହାତୀ-ମନୁଷ୍ୟ ମଧ୍ୟରେ ସଂଘର୍ଷ ବଢିବାରେ ଲାଗିଛି । ମଣିଷ ଯେତିକି ମରୁଛନ୍ତି, ସେତିକି ହାତୀ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ବିଗତ ଦଶନ୍ଧି ମଧ୍ୟରେ ମନୁଷ୍ୟ-ହାତୀ ସଂଘର୍ଷ ଉଗ୍ରରୂପ ନେଇସାରିଛି । ଏଥିଲାଗି ଦାୟୀହେଲା ମଣିଷ । ନିଜର ଇଛାକୁ ସାର୍ଥକ କରିବାକୁ ଯାଇ ଏବଂ କର୍ମନିଯୋଗ ସହିତ ଶିଳ୍ପଭିତ୍ତିକ ନିଯୁକ୍ତି ସୃଷ୍ଟି କରିବାକୁ ଯାଇ ମଣିଷ ପ୍ରାକୃତିକ ସମ୍ବଳକୁ ନିଜ ଇଚ୍ଛା ମୁତାବକ ବ୍ୟବହାର କରିଚାଲିଛି ଏବଂ ନିଜର ନ୍ୟାଯ୍ୟ ଭାଗଠାରୁ ଅଧିକ ସମ୍ବଳ ଉପରେ ନିଜର ଆଧିପତ୍ୟ ଜାହିର କରିଛି କିମ୍ବା ନଷ୍ଟ କରିଛି । ତାହାରି ଫଳସ୍ୱରୂପ ଆଜିର ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷର ସୂତ୍ରପାତ ଘଟଣା ।

ହେଲେ ହାତୀ ମାନଙ୍କର ବାସସ୍ଥଳୀ ଉଜାଡ଼ିବା ଲୋକ ଏବଂ ହାତୀର ପ୍ରତିଶୋଧର ଶିକାର ହେଉଥିବା ଲୋକ ଭିନ୍ନ । ଦୁହିଁଙ୍କ ମଧ୍ୟରେ ବିଶାଳ ପ୍ରଭେଦ ଏବଂ ବିଭେଦ । ପରିସଂଖ୍ୟନକୁ ଦେଖିଲେ ଜଣାପଡ଼ୁଛି ଯେ, ପ୍ରତିବର୍ଷ ହାତୀ ଯେତିକି ମରୁଛନ୍ତି, ମଣିଷ ବି ସେତିକି ମରୁଛନ୍ତି । ମଣିଷ ଆଉ ହାତୀ ମରିବା ଭିତରେ ବିଶେଷ ଫରକ ରହୁନାହିଁ । ବରଂ ହାତୀମୃତ୍ୟୁ ମଣିଷର ମୃତ୍ୟୁ ସଂଖ୍ୟାକୁ ଟପିଯାଇଛି । ସମସ୍ତ ଆଇନକାନୁନର ଦଣ୍ଡକୁ ଭୁଲିଯାଇ ବର୍ତ୍ତମାନ ମଣିଷ ବନ୍ୟପ୍ରାଣୀଙ୍କୁ ଦେଖିଲେ ମାରିବାକୁ ପଛାଉନାହିଁ । ଧାଉଁଥିବା ଏବଂ ଘଉଡ଼ାଉଥିବା ଲୋକ ହେଉଛନ୍ତି ସାଧାରଣ ଲୋକ ଯେଉଁମାନଙ୍କର ହାତୀ କିମ୍ବା ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କର ବାସସ୍ଥଳୀ ଉଜାଡ଼ିବାରେ କୌଣସି ଭୂମିକା ନାହିଁ । ସେମାନେ ଦାବୀ କରନ୍ତି ଯେ, ସରକାର ନୁଆ କୌଣସି ଖଣି କିମ୍ବା ଶିଳ୍ପ ପ୍ରତିଷ୍ଠାରୁ ବିରତ ରୁହନ୍ତୁ । ଖଣି ଏବଂ ଶିଳ୍ପ ହେବା କାରଣରୁ ହାତୀ ଏବଂ ବନ୍ୟପ୍ରାଣୀ ଉପଦ୍ରବ ହେଉଥିବାରୁ ଏବଂ ସରକାର ଏହି ସବୁକୁ ଅନୁମୋଦନ ଦେଉଥିବା ଯୁକ୍ତିଗୁଡ଼ିକୁ ଦର୍ଶାଇ ବନ୍ୟପ୍ରାଣୀ ଆକ୍ରମଣ ପାଇଁ ସରକାରଙ୍କୁ କାହିଁକି ଦାୟୀ କରାଯିବ ନାହିଁ ବୋଲି ସାଧାରଣ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି ।
ହାତୀ ମନସ୍ତତ୍ତ୍ଵ
ହାତୀ ଏକ ବୁଦ୍ଧିମାନ ପ୍ରାଣୀ। ଏହା ତାହାର ଆବାସସ୍ଥଳୀ, ଚଲାପଥ କୁ ମନେରଖିବାର କ୍ଷମତା ତାହାର ପୂର୍ବାପିଢି ଠାରୁ ଜନ୍ମଗତ ଭାବେ ପ୍ରାପ୍ତ କରିଥାଏ। ତେଣୁ ହାତୀ ନିଜର ଆବାସସ୍ଥଳୀକୁ ଖୋଜିବା, ତାକୁ ପ୍ରାପ୍ତକରିବାକୁ ଆଗ୍ରହୀ ହୋଇଥାଏ। ତାହା ମଧ୍ୟ ହାତୀ-ମଣିଷ ସଙ୍ଘର୍ଷର ଏକମାତ୍ର କାରଣ। ଖାସ ଏହି କାରଣ ଲାଗି ହାତୀ ବେଳେବେଳେ ନିଜ ଆବାସସ୍ଥଳୀ ଭିତରକୁ ପଶି ଆସିଥାଏ ଏବଂ ଏକ ଭୟଟିଆର ବାତାବରଣ ସୃଷ୍ଟି କରିଥାଏ। ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଅତୀତର ସମସ୍ତ ଘଟନା ଏହାର ପ୍ରକୃଷ୍ଟ ଉଦାହରଣ ମାତ୍ର। ଏହା ହାତୀ ମନସ୍ତତ୍ତ୍ଵର ଏକ ଝଲକ ମାତ୍ର। ବର୍ତ୍ତମାନ ସମୟରେ ଯୁବପିଢି ନିଜର ମୋବାଇଲ ଧରି ହାତୀ ପଛରେ ଫୋଟୋ ଭିଡିଓ ଲାଗି ଗୋଡାଇବା, ତାଙ୍କ ଉପରକୁ ଟେକ, ପଥର, ଢେଲା ମାଡ କରିବା ଏହା ସହିତ ତାଙ୍କୁ ଉଚ୍ଚ ସ୍ଵରରେ ଖରାପ ଭାଷାରେ ଗାଳି ଦେବା ଆଦି ଘଟନା ହାତୀର ମନସ୍ତତ୍ତ୍ଵକୁ ବିଗାଡି ଦେଉଛି। ଯେଉଁ ଅଞ୍ଚଳରେ ପୂର୍ବରୁ ହାତୀ ଶାନ୍ତ ଥିଲେ, ବର୍ତ୍ତମାନ ଉଗ୍ର। ଏହାର କାରଣ ହେଉଛି ମଣିଷର ଉଗ୍ର ମାନସିକତା। ମଣିଷ ଉଗ୍ର ହେଉଥିବାରୁ ହାତୀ ମଧ୍ୟ ଉଗ୍ର ହେଉଛି ଏବଂ ଉପଦ୍ରବ କରୁଛି। ତେଣୁ ହାତୀ ଉପଦ୍ରବ ଏକ ମନୁଷ୍ୟକୃତ ଉଗ୍ର ମାନସିକତା ସମସ୍ୟାର ଫଳାଫଳ ବୋଲି କହିଲେ ଅତ୍ୟୁକ୍ତି ହେବନାହି।
ସହାବସ୍ଥାନର କେତୋଟି ନିୟମ
- ଜଙ୍ଗଲ ଓ ଜଙ୍ଗଲ ଜମିକୁ ଜବରଦଖଲ କରିବା ନାହି
- ଜଙ୍ଗଲରେ ନିଆଁ ଲଗାଇବା ନାହି
- ହାତୀର ଆବାସସ୍ଥଳୀ ଏବଂ ଚଲାବୁଲା ଅଞ୍ଚଳରେ ଚଳପ୍ରଚଳ କରନ୍ତୁ ନାହି।
- ହାତୀ ଆବାସସ୍ଥଳୀରୁ ହାତୀର ଖାଦ୍ୟ ଯେପରିକି ଡାଳ, ପତ୍ର, ଫଳ ଆଦି ସଂଗ୍ରହ କରନ୍ତୁ ନାହି।
- ଜଙ୍ଗଲରେ ଥିବା ନାଳ, ନଦୀକୁ ମଣିଷ ବ୍ୟବହାରରେ ଲାଗିବା କଥା ନୁହଁ।
- ଭର୍ଟିକାଲ୍ ସୋଲାର ଫେନ୍ସିଂ ସ୍ଥାପନ
- ଗ୍ରାମ ସୀମାରେ ଜିଗଜାଗ ପଦ୍ଧତିରେ ତାଳଗଛ ଓ ଲେମ୍ବୁର ଚାରା ରୋପଣ କରି ଜୈବିକ ବାଡ଼ ପ୍ରସ୍ତୁତ କରନ୍ତୁ। ଏହାକୁ ହାତୀ ଅତିକ୍ରମ କରିନଥାଏ।
ଆତ୍ମରକ୍ଷାର କେତୋଟି ନିୟମ
- ବାହାରକୁ ମଳମୂତ୍ର ତ୍ୟାଗ ଲାଗି ଯାଆନ୍ତୁ ନାହିଁ। ମଣିଷ ମୃତାହାତ ହେବାର ପ୍ରମୁଖ କାରଣ ଭିତରୁ ଏହା ଗୋଟିଏ। ଭୋର ଓ ସନ୍ଧ୍ୟା ସମୟରେ ହିଁ ଲୋକେ ହାତୀ ଆକ୍ରମଣର ଶିକାର ହୋଇଥାନ୍ତି।
- ହାତିକୁ ଢେଲାପଥର ମାରିବା, ଚିଡାଇବା ଆଦି କାର୍ଯ୍ୟ କରନ୍ତୁ ନାହି। ଏହା ହାତୀର ମାନସିକତାରେ ଗଭୀର ପ୍ରଭାବ ପକାଇଥାଏ।
- ଶୀତ ଋତୁରେ କୁହୁଡି ଓ କାକର କାରଣରୁ ଦୂରରୁ ହାତୀ ଦୃଶ୍ୟମାନ ହୋଇନଥାଏ। ତେଣୁ ସକାଳ ୮ ଟା ପରେ କିମ୍ବା କୁହୁଡି ଦୁରହେଲା ପରେ ଘରୁ ବାହାରନ୍ତୁ।
- ହାତୀ ଘଉଡାଇବାକୁ କେବେହେଲେ ଏକା ନଯାଇ ଦଳ ହୋଇ ଯାଅନ୍ତୁ।
- ହାତୀ ଠାରୁ ସର୍ବନିମ୍ନ ୫୦ ମିଟର ଦୂରତା ରକ୍ଷା କରନ୍ତୁ।