ସେ ସତ ଫୁଟାଏ … …
ବୀଜ ଯେଉଁ ରୂପ ନେଇ ଅଙ୍କୁରାଇଚାଲେ,
ସେ ରୂପଟି ତା’ ଗରଭେ ଲେଖା ରହିଥାଏ I
ବଢ଼ି ବଢ଼ି ଗଛ ରୂପେ ଯାହା କରିଚାଲେ,
ଧରମ ତା’ ଲେଖାଥାଏ, ସିଏ ପାଳିଥାଏ I
ଅଣ୍ଡା ଯେଉଁ ଜୀବ ରୂପେ ଗଢ଼ା ହୋଇଚାଲେ,
ଜୀବ ରୂପ ତା’ ଗରଭେ ଆଗୁଁ ଲେଖା ଥାଏ I
ଜନମ ନେଇ ଜୀବଟି ଯାହା କରିଚାଲେ,
ଧରମ ତା’ ଲେଖାଥାଏ, ସିଏ ପାଳିଥାଏ I
ଜଗତ ଏଇ ଧାରାରେ ଆଗେ ବଢ଼ିଚାଲେ,
ତା’ ପ୍ରେମର ସୁଖ ନଈ ଜଗତ ହସାଏ I
ବୀଜ ଯେଉଁ ରୂପ ନେଇ ଅଙ୍କୁରାଇଚାଲେ,
ସେ ରୂପଟି ତା’ ଗରଭେ ଲେଖା ରହିଥାଏ I (୦)
ମଣିଷ ଗରଭେ ତା’ ଧରମ ଲେଖାଥାଏ,
ପିଲାଦିନେ ତା’ ଧରମ ସଫା ବାରିହୁଏ I
ପ୍ରତି ଛୁଆ ମଣିଷର ଗୁଣ ଧରିଥାଏ,
ଘରେ, ବାହାରେ ସଭିଙ୍କୁ ସିନିହେ ଅନାଏ I
ଗଛ, ପଶୁ, ପକ୍ଷୀ, କୀଟ ସାଦରେ କୋଳାଏ,
ମିତ ବନି ସଭିଙ୍କର ସାଥେ ଖେଳେ ସିଏ I
ସଭିଙ୍କୁ ସେ ନିଜ ପରି ଚିଜ ଭାବିଥାଏ,
କାହାକୁ କେମିତି ଲାଗେ ସବୁ ବୁଝିଥାଏ I
ପ୍ରତି ଚିଜ ତା’ର ଏ ସିନିହ ବୁଝିଥାଏ,
ତାହା ସାଥେ ଖେଳିବାକୁ ଭଲ ପାଇଥାଏ I
ସଭିଙ୍କର ଖୁସି ଦେଇ ଥାନ ହସିଥାଏ,
ଜଗତର ପ୍ରେମ ଧାରା ବହି ଚାଲିଥାଏ I
ଯେବେ ଯାଏଁ ମଣିଷଟେ ଏ ଧାରାରେ ଚାଲେ,
ମଣିଷଟି ତା’ ଧରମ ଭଲେ ପାଳିଚାଲେ I
ବୀଜ ଯେଉଁ ରୂପ ନେଇ ଅଙ୍କୁରାଇଚାଲେ,
ସେ ରୂପଟି ତା’ ଗରଭେ ଲେଖା ରହିଥାଏ I (୧)
କୃଷ୍ଣ ପରି ମଣିଷଟେ ଜମା ନ ବଦଳେ,
ପ୍ରେମର ଧାରାରେ ବହି ଜଗତ ହସାଏ I
ଥରକୁ ଥର ସମାଜ ତାକୁ ଭରମାଏ,
ପ୍ରେମର ପିତୁଳା ତାକୁ ସଦା ଧୋଇଦିଏ I
ଡରୁଆ ସମାଜ ତା’ର ପଛେ ଲାଗିଯାଏ,
ସବୁ ବଳ ଲଗାଇ ହଟାଇବାକୁ ଚାହେଁ I
ସଚେତ ମହା ମଣିଷ ସବୁ ପୋଛିଦିଏ,
ସମାଜର କୋଣେ କୋଣେ ଚହଳ ପକାଏ I
ସମାଜର କୂଟନୀତି ହାର ମାନିଯାଏ,
ମିଛର ଖେଳ ତାହାର ମୂଳୁଁ ପୋଛିହୁଏ I
ମଣିଷ ଦେଇ ଜଗତେ ସତ ଉଭା ହୁଏ,
ମିଛର ନରକ ହଟେ ହସ ଫୁଟିଥାଏ I
ମଣିଷ ଧରମ ପାଳେ ସତକୁ ଫୁଟାଏ,
ମଣିଷ ଦେଇ ଜଗତ ଆଗେ ବଢ଼ିଥାଏ I
ବୀଜ ଯେଉଁ ରୂପ ନେଇ ଅଙ୍କୁରାଇଚାଲେ,
ସେ ରୂପଟି ତା’ ଗରଭେ ଲେଖା ରହିଥାଏ I (୨)
ରଚନା, ସ୍ୱର ଓ କଣ୍ଠ: ବିନୟ ପଟ୍ଟନାୟକ
ନୂଆଦିଲ୍ଲୀ, ୦୯ ଫେବୃଆରୀ ୨୦୨୫