Spread the love

ସୂରୁଜ ଆଧାରେ

ଦିନବେଳେ ଆମେ ଯାହା ବି ଦେଖୁଛେ
ଜଣେ କେହି ତା’ ଦେଖାଉଛି,
ଯାହା ବି ଧାରଣା ଆମେ ଗଢ଼ୁଅଛେ
ଜଣେ କେହି ତା’ ଗଢ଼ାଉଛି I

ରାତି ହେଲେ ଆମେ ଯାହା ବି ଦେଖୁଛେ
ଜଣେ କେହି ତା’ ଦେଖାଉଛି,
ମନେ ହୁଏ ସିନା ଚାନ୍ଦ ଦେଖାଉଛି
ସୂରୁଜ ହିଁ ତା’ କରାଉଛି I

ଜୀବ ଯାହା ଜାଣେ ଧରାର ଉପରେ
ସୂରୁଜ ତ’ ମୂଳରେ ଅଛି,
ସୂରୁଜ କିରଣ ପରଶ ପାଇକି
ଧରା ନୂଆ ରୂପେ ବଦଳୁଛି I

ଦିନବେଳେ ଆମେ ଯାହା ବି ଦେଖୁଛେ
ଜଣେ କେହି ତା’ ଦେଖାଉଛି,
ଯାହା ବି ଧାରଣା ଆମେ ଗଢ଼ୁଅଛେ
ଜଣେ କେହି ତା’ ଗଢ଼ାଉଛି I (୦)

ବିଶାଳ ଅନ୍ଧାର ଶୀତଳ ଜଗତେ
କାହିଁ କାହିଁ ତାରା ଜଳୁଅଛି,
ଆଲୁଅ ସାଥିରେ ଉତ୍ତାପ ଖେଳାଇ
ଚାରିପାଖ ଉଷୁମ କରୁଛି I

ଆଲୁଅ, ଉତ୍ତାପ ଚାରିପାଖେ ଧାଇଁ
ପରିବେଶେ ଶକତି ଢାଳୁଛି,
ଶକତି ପାଇକି ପ୍ରତି ଶିଳାଖଣ୍ଡ
ଘଡ଼ି ପରେ ଘଡ଼ି ବଦଳୁଛି I

ବୁଧ, ଶୁକ୍ର ପରି ଗ୍ରହ ପୂରା ତାତି
ପଥରର ରୂପରେ ରହୁଛି,
ବୃହସ୍ପତି, ଶନି ଉତ୍ତାପ ଅଭାବେ
ବରଫରେ ଢଙ୍କା ରହିଅଛି I

ପୃଥିବୀ ପରିକା କପାଳିଆ ଗ୍ରହ
ନିରାପଦ ଦୂରରେ ରହିଛି,
ଗରମ ନ ହୋଇ ଶୀତଳି ନ ଯାଇ
ବିବିଧ ଜୀବନ ଚଷିଅଛି I

ଦିନବେଳେ ଆମେ ଯାହା ବି ଦେଖୁଛେ
ଜଣେ କେହି ତା’ ଦେଖାଉଛି,
ଯାହା ବି ଧାରଣା ଆମେ ଗଢ଼ୁଅଛେ
ଜଣେ କେହି ତା’ ଗଢ଼ାଉଛି I (୧)

ଉଜ୍ଜ୍ୱଳ ଆଲୁଅ ନରମ ଗରମ
ଜୀବନକୁ ଉଧାଇ ଚାଲିଛି,
ଖରା, ବର୍ଷା, ଶୀତେ ଗାଧୋଇ ଜୀବନ
ବିବିଧ ପୁଲକେ ଉଲୁସୁଛି I

ଋତୁ ବଦଳୁଛି, ଧରା ହସୁଅଛି
ଫୁଲ, ଫଳ ବାସ ଚହଟୁଛି,
ପରମ ସରାଗେ ସୁଖ ପିଇପିଇ
ଜୀବ ପ୍ରାଣ ଖୁସିରେ ଜିଉଁଛି I

ମଣିଷ ଦେଖୁଛି, ଛୁଉଁଛି, ଭାବୁଛି,
ପରଖୁଛି, ଗୁଣକୁ ପଢ଼ୁଛି,
ଲୋଡ଼ା ଅନୁସାରେ ସେ ନୂଆ ଗଢ଼ୁଛି
ଜୀବନରେ ସୁଖ ତୋଳୁଅଛି I

କେଡ଼େ କପାଳିଆ ଏ ରଙ୍ଗୀନ ଧରା
ହସି, ଗାଇ, ଖୁସିରେ ଝୁଲୁଛି,
ସୂରୁଜର ଘରେ ଏକୋଇ ଥାନରେ
ଜୀବନ ତା’ ରାଗିଣୀ ତୋଳୁଛି I

ଦିନବେଳେ ଆମେ ଯାହା ବି ଦେଖୁଛେ
ଜଣେ କେହି ତା’ ଦେଖାଉଛି,
ଯାହା ବି ଧାରଣା ଆମେ ଗଢ଼ୁଅଛେ
ଜଣେ କେହି ତା’ ଗଢ଼ାଉଛି I (୨)

ରଚନା, ସ୍ୱର ଓ କଣ୍ଠ: ବିନୟ ପଟ୍ଟନାୟକ
ନୂଆଦିଲ୍ଲୀ, ୧୨ ଫେବୃଆରୀ ୨୦୨୫

Related Post

Leave a Reply

Your email address will not be published. Required fields are marked *